• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆମ୍ବ ପାଇଁ ପର ହୋଇଗଲା ସମ୍ପର୍କ । ବାପା ଓ ବଡ଼ ଭାଇର ମାଡ଼ରେ ଚାଲିଗଲା ସାନଭାଇର ଜୀବନ । ଗୋରଖପୁରର ଗୁଲରିହା ଥାନା ଅଧୀନସ୍ଥ ଜୈନପୁର ଗାଁରେ କେବଳ ଦୁଇଟି ଆମ୍ବ ପାଇଁ ବାପପୁଅ ମିଶି ସାନ ପୁଅକୁ ନିର୍ଘାତ ମାଡ଼ ମାରିଥିଲେ । ମାଡରେ ଆହତ ଯୁବକଙ୍କ ଗତକାଲି ରାତିରେ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ପତ୍ନୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିବା ଛାନଭିନ୍‌ ଆରମ୍ଭ କରିଛି । ଅନ୍ୟପଟେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି ।

ରବିବାର ଦିନ ଆମ୍ବ ତୋଳାକୁ ନେଇ ଜୈନପୁର ବାସିନ୍ଦା ରାମରତନଙ୍କ ତାଙ୍କ ବାପା ମୋହିତ ନିଶାଦ ଏବଂ ଭାଇ ସୁରେନ୍ଦ୍ର ନିଶାଦଙ୍କ ସହ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଉଭୟେ ମିଶି ରାମରତନଙ୍କୁ ପ୍ରବଳ ମାଡ଼ ମାରିଥିଲେ । ରାମରତନଙ୍କ ପତ୍ନୀ କିରଣଙ୍କ ଅନୁଯାୟୀ ଏକ ଗଛରୁ ଆମ୍ବ ତୋଳାହେବା ପରେ ଦୁଇ ପୁଅଙ୍କ ମଧ୍ୟ ସମାନ ଭାବରେ ବାଣ୍ଟି ଦିଆଯାଇଥିଲା । ଏହା ପରେ ସନ୍ଧ୍ୟା ପ୍ରାୟ ପାଞ୍ଚଟା ବେଳେ ଗଛରେ ଛଡ଼ାହୋଇଥିବା ଦୁଇ ଦୁଇଟି ଆମ୍ବ କିରଣଙ୍କ ସ୍ୱାମୀ ରାମରତନ ତୋଳି ଆଣିଥିଲେ ।

ଆଉ ସେହି ଦୁଇଟି ଆମ୍ବ ପାଇଁ ହିଁ ମହାଭାରତ ଆରମ୍ଭ ହୋଇଥିଲା । ରାମରତନଙ୍କ ବାପା ଓ ଭାଇ ତାଙ୍କୁ ମାଡ଼ ଗାଳି କରିବା ସହ ମାଡ଼ ମାରିଥିଲେ । ମାଡ ମାରିବା ସମୟରେ ଅଭିଯୁକ୍ତଙ୍କ ଧମକ ଯୋଗୁଁ ଗାଁ ଲୋକେ ମଧ୍ୟ ଉଦ୍ଧାର କରିବାକୁ ଆସିନଥିଲେ । ମାଡ଼ ଖାଇବା ପରେ ରାମରତନ୍ ରାତିସାରା ଘରେ ଯନ୍ତ୍ରଣାରେ କାନ୍ଦୁଥିଲେ, ହେଲେ କେହି ହସ୍ପିଟାଲକୁ ନେଇନଥିଲେ । ଆଉ ସୋମବାର ସକାଳ ପ୍ରାୟ ପାଞ୍ଚଟା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀ କିରଣ ନିଜ ପରିବାର ସଦସ୍ୟଙ୍କୁ ଜଣାଇବା ସହ ଏବଂ ଗୁଲରିହା ପୋଲିସକୁ ମଧ୍ୟ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଗୁଲରିହା ଥାନାର ଇନ୍ସପେକ୍ଟର ଉମେଶ କୁମାର ବାଜପାଇ କହିଛନ୍ତି, କିରଣଙ୍କ ଅଭିଯୋଗ ପରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ମୃତ୍ୟୁର କାରଣ ସ୍ପଷ୍ଟ ହେବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।