ସବୁ ସାରିଦେଲା ଭୁଲ କ୍ୟାନସର ରିପୋର୍ଟ : ଅପରେସନ୍‌ କରି ଅଙ୍ଗ କାଟିଦେବା ପରେ ସାମ୍ନାକୁ ଆସିଲା ସତ

ଭୁଲ କ୍ୟାନସର ରିପୋର୍ଟ ପାଇଁ ଅଙ୍ଗ ହରାଇଲେ ରୋଗୀ

ଭୁଲ ରିପୋର୍ଟ ଯୋଗୁ ରୋଗୀ ଗୁରୁତର !

ରୋଗୀଙ୍କ ଜୀବନ ସହ ଖେଳ । ଭୁଲ କ୍ୟାନସର ରିପୋର୍ଟ ପାଇଁ ଅଙ୍ଗ ହରାଇଲେ ରୋଗୀ । ଖାଲି ଅଙ୍ଗ ହରାଇଲେନି ଏବେ ତାଙ୍କର ଅବସ୍ଥା ଗୁରୁତର । ଏପରି ଏକ ସାଂଘାତିକ ଅଭିଯୋଗ ଆସିଛି ଏସସିବି ମେଡିକାଲ କଲେଜ ପାଥୋଲୋଜି ବିଭାଗରୁ । ଏନେଇ ମେଡିକାଲ ଅଧିକ୍ଷକ ପାଖରେ ରୋଗୀଙ୍କ ସମ୍ପର୍କୀୟ ଲିଖିତ ଅଭିଯୋଗ କରିଛନ୍ତି ।

ଢେଙ୍କାନାଳ ଅଞ୍ଚଳର ଜଣେ ମହିଳା ଛାତିରେ ମାଂସ ବଢିବା ପରେ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ସର୍ଜରୀ ବିଭାଗରେ ଅପରେସନ ପରେ ମାଂସ ପରୀକ୍ଷା ପାଇଁ ପାଥୋଲୋଜିକୁ ପଠା ଯାଇଥିଲା । ତେବେ ରିପୋର୍ଟରେ କ୍ୟାନସର ଥିବା ଜଣାପଡ଼ିଥିଲା । ଏହା ପରେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଆଉଥରେ ଅପରେସନ କରାଯାଇ ଗୋଟିଏ ଅଙ୍ଗ କଟାଯିବା ସହ କେମୋ ମଧ୍ୟ ଦିଆଯାଇଥିଲା । ତେବେ ଡାକ୍ତରଙ୍କ ସନ୍ଦେହ ହେବାରୁ ଉକ୍ତ ନମୁନାକୁ ଆଉ ଥରେ ପରୀକ୍ଷା ପାଇଁ କହିବା ପରେ କଥା ପଦାକୁ ଆସିଥିଲା ।

ପୁରୁଣା ରିପୋର୍ଟ ନେଗେଟିଭ ଥିଲା ଓ ଭୁଲରେ ମନୁଷ୍ୟକୃତ ତ୍ରୁଟି ଯୋଗୁଁ ପଜିଟିଭ ହୋଇଯାଇଥିଲା ବୋଲି ପାଥୋଲୋଜି ବିଭାଗ କହି ସଂଶୋଧିତ ରିପୋର୍ଟ ଦେଇଥିଲେ । ତେବେ ସେତେବେଳକୁ ମହିଳାଙ୍କ ଅଙ୍ଗ କଟାଯାଇ ସାରିଥିଲା । ତେବେ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ମେଡିକାଲ କର୍ତ୍ତୃପକ୍ଷଙ୍କ ନଜରକୁ ଆସିବା ପରେ ଖୋଳତାଡ ଆରମ୍ଭ ହୋଇଛି ।