Chief Secretary Holds High-Level Meet
ଯୁବତୀ ଓ ମହିଳା ସୁରକ୍ଷା ନେଇ ବସିବ ବଡ଼ ବୈଠକ । ମୁଖ୍ୟମନ୍ତ୍ରଙ୍କ ଉଦବେଗ ପରେ ମୁଖ୍ୟ ଶାସନ ସଚିବ ଡାକିଲେ ବୈଠକ । ଡଜନେରୁ ଅଧିକ ବିଭାଗକୁ ନେଇ ବୈଠକ ବସିବ । ଯୁବତୀ ଓ ମହିଳା ସଶକ୍ତିକରଣ ଏବଂ ନିରାପତ୍ତା ନେଇ ରାଜ୍ୟସ୍ତରୀୟ ଟାସ୍କଫୋର୍ସର ବୈଠକ ଲୋକସେବା ଭବନରେ ୩ଟାରେ ବସିବ । ଏଥିରେ ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ସଚିବ ଓ ପୋଲିସ ଡିଜି ଉପସ୍ଥିତ ରହିବେ । ସେହିପରି କ୍ରାଇମ ଆଇଜି, ଇଷ୍ଟକୋଷ୍ଟ ରେଲୱେ ଅଧିକାରୀ, ଆଇନ ପ୍ରାଧିକରଣ ସେବାର ସଦସ୍ୟ ବି ସାମିଲ ହେବେ ।
ରାଜ୍ୟରେ ଗତ କିଛି ଦିନ ହେବ ମହିଳାଙ୍କ ପ୍ରତି ନିର୍ଯାତନା ବଢ଼ିବାରେ ଲାଗିଛି । ବାଲେଶ୍ବର ଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ବର ଯାଏଁ ଲମ୍ବିଛି ନାରୀଙ୍କ ଉପରେ ନିର୍ଯାତନାର ଅପରାଧ ତାଲିକା । ରାଜଧାନୀ ଭୁବନେଶ୍ବର , ଯାଜପୁର, ଜଗତସିଂପୁର ଓ ଗଞ୍ଜାମରୁ ଲାଗତର ଆସୁଛି ମହିଳା ଓ ଯୁବତୀଙ୍କ ପ୍ରତି ଅତ୍ୟାଚାର ଅଭିଯୋଗ । ରଜରେ ପୁରୁଷ ବନ୍ଧୁ ସହ ଜଣେ କଲେଜ ଛାତ୍ରୀ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଯାଇଥିବାବେଳେ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ । ପୁରୁଷ ବନ୍ଧୁ ସାମ୍ନାରେ ନର ରୂପୀ ରାକ୍ଷସ ଝିଅଟିକୁ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।
ଯାଜପୁରରେ ହକି ପ୍ରଶିକ୍ଷଣ ପାଇଁ ଆସିଥିବା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଏକ ଲଜକୁ ନେଇ ପ୍ରଶିକ୍ଷକ ମାନେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରାଯାଇଥିଲା । ୨ ହକି ପ୍ରଶିକ୍ଷକଙ୍କ ସମେତ ୩ ଜଣଙ୍କ ନାଁରେ ଅଭିଯୋଗ ହୋଇଛି । ଏନେଇ ଯାଜପୁର ଟାଉନ୍ ଥାନାରେ ରୁଜୁ ହୋଇଛି ମାମଲା । କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ଏହି ଘଟଣାରେ ୨ ହକି ପ୍ରଶିକ୍ଷକଙ୍କ ସହ ଅନ୍ୟ ଅଭିଯୁକ୍ତ ଓ ସହଯୋଗୀଙ୍କୁ ମିଶାଇ ୪ ଜଣ ଅଟକ ଅଛନ୍ତି । ଏହି ସୂଚନା ଦେଇଛନ୍ତି ଯାଜପୁର ଏସପି । ଗତ ୩ ତାରିଖରେ ଏହି ଘଟଣା ଘଟିଥିଲା ।
ସେହିପରି ଗତ ମାର୍ଚ୍ଚ ୧୮ରେ ଜଣେ ଯୁବତୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଭୁବନେଶ୍ବରର ଏକ ହୋଟେଲରେ ଦୁଷ୍କର୍ମ କରିଥିଲେ କଂଗ୍ରେସ ଛାତ୍ର ସଭାପତି ଉଦିତ୍ ପ୍ରଧାନ । ଏପରିକି ଦୁଷ୍କର୍ମ ପରେ ଭୟଭୀତ କରିବା ସହ ଧମକ ଚମକ ଦେଉଥିଲେ । ଯେଉଁଥି ପାଇଁ ପୀଡିତା ପୂର୍ବରୁ ଥାନାରେ ଏତଲା ଦେଇପାରିନଥିଲେ । ହେଲେ ରାଜ୍ୟ ସରକାର ଏବେ ମହିଳା ନିର୍ଯାତନା ଘଟଣାରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଥିବାରୁ ସାହସ ଜୁଟାଇ ମଞ୍ଚେଶ୍ବର ଥାନାରେ ଏତଲା ଦେଇଥିଲେ ପୀଡିତା ।
ଜଗତସିଂହପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗର ତନାଘନା । ପୋଲିସ ୩ଟି ଟିମ ଗଠନ କରି ତଦନ୍ତ କରୁଛି । ଅଭିଯୁକ୍ତଙ୍କୁ ଧରିବାକୁ ଛାନଭିନ୍ ଚଳାଇଛି ପୋଲିସ । ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଘଟଣାରେ ଦୁଇ ଜଣ ଅଭିଯୁକ୍ତ ଫେରାର ଥିବା କୁହାଯାଉଛି । କ୍ରାଇମସ୍ପଟରେ ପହଞ୍ଚି ସାଇଣ୍ଟିଫିକ୍ ଟିମ ବି ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753173609.jpg)