Rajasthan Horror
ହସ୍ପିଟାଲ ଭିତରେ ଯୌନରାକ୍ଷସ । ନିଶା ଇଞ୍ଜେକ୍ସନ ଦେଇ ମହିଳା ରୋଗୀଙ୍କୁ ଦୁଷ୍କର୍ମ । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ରାଜସ୍ଥାନର ଅଲୱର ସହରରୁ । ଏଠାରେ ଥିବା ESIC ମେଡିକାଲ କଲେଜରେ ଜଣେ ୩୨ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି । ଦୁଷ୍କର୍ମକାରୀ ଆଉ କେହି ନୁହେଁ, ବରଂ ହସ୍ପିଟାଲର ଜଣେ ନର୍ସିଂ କର୍ମଚାରୀ । ଚିକିତ୍ସା ଆଳରେ ରାତିରେ ସେ ମହିଳାଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଦୁଷ୍କର୍ମ କରିଥିଲା । ଏନେଇ ଥାନାରେ ଏତଲା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।
ଘଟଣାଟି ଗତ ୪ ତାରିଖର । ଜଣେ ୩୨ ବର୍ଷୀୟା ମହିଳା ଅସୁସ୍ଥତା କାରଣରୁ ESIC ମେଡିକାଲ କଲେଜର ICU ୱାର୍ଡରେ ଭର୍ତ୍ତି ହୋଇଥିଲେ । ବାହାରେ ମହିଳାଙ୍କ ସ୍ୱାମୀ ଏବଂ ଅନ୍ୟ ପରିବାର ଲୋକେ ଅପେକ୍ଷା କରିଥାନ୍ତି । ରାତିରେ ହଠାତ୍ ମହିଳା ନିଜ ସ୍ୱାମୀ ନାଁ ଧରି କାନ୍ଦିବାକୁ ଲାଗିଲେ । ଏହାପରେ ୱାର୍ଡର ଜଣେ କର୍ମଚାରୀ ତାଙ୍କ ସ୍ୱାମୀଙ୍କୁ ଭିତରକୁ ଡାକି ନେଇଥିଲେ । ସେତେବେଳକୁ ମହିଳା ନିଶାସକ୍ତ ଅବସ୍ଥାରେ ଥାଆନ୍ତି ଏବଂ ତାଙ୍କ ବେଡ୍ ଚାରିପଡେ ପରଦା ଟଣା ହୋଇଥାଏ । ସକାଳେ ମହିଳାଙ୍କ ହୋସ୍ ଆସିବା ପରେ ସେ ଯାହା କହିଲେ, ସମସ୍ତଙ୍କ ହୋସ୍ ଉଡାଇ ଦେଇଥିଲା । ରାତିରେ ତାଙ୍କୁ ହସ୍ପିଟାଲରେ ଜଣେ ଷ୍ଟାଫ୍ ଦୁଷ୍କର୍ମ କରିଥିବା ପରିବାର ଲୋକଙ୍କୁ କହିଥିଲେ ମହିଳା ।
ଅଧିକ ପଢ଼ନ୍ତୁ: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଟପ ମାଓନେତା ଭାସ୍କର
ଏ ସମ୍ପର୍କରେ ପୀଡିତାଙ୍କ ପରିବାର ଲୋକେ ପ୍ରଥମେ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ, ହେଲେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କ'ଣ ଓଲଟା ମାମଲା ଚାପି ଦେବାକୁ ଚେଷ୍ଟା କରିଥିଲେ କର୍ତ୍ତୃପକ୍ଷ । ଏହାପରେ ପୀଡିତାଙ୍କ ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ମହିଳାଙ୍କ ମେଡିକାଲ ଟେଷ୍ଟ କରିଛି ।
ଘଟଣା ବାବଦରେ ଅଲୱର ASI ମହବୀର ସିଂହ କହିଛନ୍ତି, ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହସ୍ପିଟାଲରେ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ମହିଳା ESIC ମେଡିକାଲ କଲେଜର ଆଇସିୟୁ ୱାର୍ଡରେ ଭର୍ତ୍ତି ଥିଲେ । ଜୁନ୍ ୪ ତାରିଖ ରାତିରେ ହସ୍ପିଟାଲର ଜଣେ ନର୍ସିଂ ଷ୍ଟାପ୍ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ମହିଳାଙ୍କ ବେଡ୍ ଚାରିପଟେ ପରଦା ଢାଙ୍କି ତାଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଦୁଷ୍କର୍ମ କରିଥିଲା । ସେତେବେଳେ ପୀଡିତା ସାମାନ୍ୟ ହୋସ୍ରେ ଥିଲେ ଏବଂ ଯନ୍ତ୍ରଣାରେ ସ୍ୱାମୀଙ୍କ ନାଁ ଡାକି କାନ୍ଦିବାକୁ ଲାଗିଥିଲେ ।
ଏହାଶୁଣି ଆଉ ଜଣେ ICU ଷ୍ଟାଫ୍ ତାଙ୍କ ସ୍ୱାମୀଙ୍କ ସେଠାକୁ ନେଇଥିଲେ । ପୀଡିତା ତାଙ୍କ ସହ ଘଟିଥିବା ବର୍ବରତା ସ୍ୱାମୀଙ୍କୁ କହିବାକୁ ଚେଷ୍ଟା କରିଥିଲେ ହେଁ ନିଶା ଇଞ୍ଜେକ୍ସନର ପ୍ରଭାବରେ କିଛି ସ୍ପଷ୍ଟ ଭାବରେ କହିପାରିନଥିଲେ ଏବଂ ଅଚେତ୍ ହୋଇଯାଇଥିଲେ ।
ସେହି ଆଇସିୟୁ ୱାର୍ଡରେ ଭର୍ତ୍ତି ଥିବା ଆଉ ଜଣେ ମହିଳା ରୋଗୀଙ୍କ ସ୍ୱାମୀ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ ଓ ରାତିରେ ନର୍ସିଂ ଷ୍ଟାଫ୍ ମହିଳାଙ୍କୁ ଦୁଷ୍କର୍ମ କରିଥିବା ସେ ବି ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୁକ୍ତ ନର୍ସିଂ ଷ୍ଟାଫ୍କୁ ଗିରଫ କରିଛି । ହସ୍ପିଟାଲରେ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି ।
ତେବେ ଏନେଇ ମେଡିକାଲ କଲେଜ ଡିନ୍ ଡଃ ଅସିମ୍ ଦାସ କହିଛନ୍ତି, ଆମେ ସୂଚନା ପାଇବା ମାତ୍ରେ ଏକ ତଦନ୍ତକାରୀ ଟିମ୍ ଗଠନ କରିଥିଲୁ । ଶନିବାର ଦିନ ଟିମ୍ ରିପୋର୍ଟ ଦାଖଲ କରିବ ଏବଂ ଯିଏ ଦୋଷୀ ମିଳିବ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749290722.jpg)