gangrape
ହୋମଗାର୍ଡ ନିଯୁକ୍ତି ପରୀକ୍ଷା ଦେବାକୁ ଆସିଥିବା ଜଣେ ୨୬ ବର୍ଷୀୟ ମହିଳାଙ୍କୁ ଆମ୍ବୁଲାନ୍ସ ଭିତରେ ଗଣଦୁଷ୍କର୍ମ କରାଯାଇଛି । ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଏହି ଲଜ୍ଜାଜନକ ଘଟଣା ଏବେ ସାମ୍ନାକୁ ଆସିଛି। ଦୁଇ ଦିନ ତଳେ ଅର୍ଥାତ ଜୁଲାଇ ୨୪ ତାରିଖରେ ବୋଧଗୟାର ବିହାର ମିଲିଟାରୀ ପୋଲିସ ପରେଡ ଗ୍ରାଉଣ୍ଡରେ ହୋମଗାର୍ଡ ନିଯୁକ୍ତି ପାଇଁ ଚାଲିଥିବା ଶାରୀରିକ ସହନଶୀଳତା ପରୀକ୍ଷା (ଫିଜିକାଲ ଏଣ୍ଡୁରାନ୍ସ ଟେଷ୍ଟ) ସମୟରେ ଘଟିଛି । ପରୀକ୍ଷା ସମୟରେ ଦୌଡ଼ ପରୀକ୍ଷା ଦେଉଥିବା ଏହି ୨୬ ବର୍ଷୀୟ ମହିଳା ହଠାତ୍ ଅଚେତ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଏକ ଆମ୍ବୁଲାନ୍ସ ମାଧ୍ୟମରେ ହସ୍ପିଟାଲକୁ ନିଆଯାଇଥିଲା।
ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି, ସେ ଅଚେତ ଅବସ୍ଥାରେ ଥିବା ସମୟରେ ଆମ୍ବୁଲାନ୍ସ ଭିତରେ ୩ ରୁ ୪ ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ସେ ଆଂଶିକ ଭାବେ ଚେତା ଫେରିପାଇବା ପରେ ଏହି ଘଟଣା ବିଷୟରେ ହସ୍ପିଟାଲ କର୍ମଚାରୀ ଓ ପୋଲିସକୁ ସୂଚନା ଦେଇଥିଲେ। ବିହାରର ବୋଧଗୟାରେ ଏହି ଘଟଣା ଘଟିଛି ।
ଅଭିଯୋଗ ପାଇବାର ଦୁଇ ଘଣ୍ଟା ମଧ୍ୟରେ ଗୟା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ଆମ୍ବୁଲାନ୍ସର ଡ୍ରାଇଭର ବିନୟ କୁମାର ଓ ଆମ୍ବୁଲାନ୍ସରେ ଥିବା ଟେକନିସିଆନ ଅଜିତ କୁମାର ।
ଗୟାର ସିନିୟର ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ ଆନନ୍ଦ କୁମାର ଏକ ସ୍ୱତନ୍ତ୍ର ତଦନ୍ତ ଟିମ ଗଠନ କରିଛନ୍ତି । ବୋଧଗୟାର ସବ-ଡିଭିଜନାଲ ପୋଲିସ ଅଫିସରଙ୍କ ନେତୃତ୍ୱରେ ଓ ସିଟି ଏସପିଙ୍କ ତତ୍ତ୍ୱାବଧାନରେ ଏହି ଟିମ୍ କାର୍ଯ୍ୟ କରୁଛି।
ଫରେନସିକ ସାଇନ୍ସ ଲାବୋରେଟୋରୀ ଟିମ୍ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛି। ନିକଟସ୍ଥ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଇ ଆମ୍ବୁଲାନ୍ସର ରୁଟ ଓ ସମୟକୁ ଯାଞ୍ଚ କରାଯାଇଛି । ମେଡିକାଲରେ ପୀଡ଼ିତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି । ତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ମେଡିକାଲ ରିପୋର୍ଟ ଆସିବା ପରେ ଅଧିକ ସୂଚନା ମିଳିପାରିବ। ପୀଡ଼ିତା ଇମାମଗଞ୍ଜ ଥାନା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ବୋଧଗୟା ଥାନାରେ ଏକ ଏତଲା ଦାୟର କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି।
ଏହି ଘଟଣା ବିହାରରେ ଆଇନଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠାଇଛି। କେନ୍ଦ୍ର ମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମବିଲାସ)ର ନେତା ଚିରାଗ ପାଶ୍ୱାନ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, “ବିହାରରେ ଅପରାଧ ଉପରେ ଲଗାମ ଲାଗିପାରୁନାହିଁ । ପ୍ରଶାସନ ଅପରାଧୀଙ୍କ ଆଗରେ ନତମସ୍ତକ ହୋଇଛି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/gangrape_1753526823.jpg)