ଅଭିଯୁକ୍ତ ଅଫ୍ତାବ ବାରମ୍ବାର ନିଜ ବୟାନ ବଦଳାଉଛି ଓ ପୋଲିସକୁ ତଦନ୍ତରେ ସହଯୋଗ ମଧ୍ୟ କରୁନାହିଁ । ତେଣୁ ସେ ଚେତାରେ ଥିବା ବେଳେ ଯେଉଁ ସତକୁ ନିଜ ପେଟରେ ଚାପି ରଖୁଛି, ତାକୁ ଏକପ୍ରକାର ଅଚେତ ବା ସଂଜ୍ଞାହୀନ କରି ସତ ଓଗାଳିବାକୁ ଚେଷ୍ଟା କରିବ ପୋଲିସ । ପଚାରିବ ଶହେରୁ ଅଧିକ ପ୍ରଶ୍ନ ।
Also Read
ତେବେ ଆସନ୍ତୁ ଜାଣିବା ଏହି ଅଚେତ ଅବସ୍ଥାରେ ହେବାକୁ ଥିବା ଏହି ନାର୍କୋ ଟେଷ୍ଟ କ’ଣ ? ଯେଉଁଥିରେ ସତ ଓଗାଳେ ସେରମ୍ । ସେଥିପାଇଁ ତାକୁ ଟ୍ରୁଥ୍ ସେରମ୍ ମଧ୍ୟ କୁହାଯାଏ ।
- ନାର୍କୋ ଟେଷ୍ଟ୍ ବେଳେ ଅଭିଯୁକ୍ତ ବା କୌଣସି ବ୍ୟକ୍ତି ବିଶେଷକୁ ସେରମ୍ ବା ଏକ ପ୍ରକାର ରାସାୟନିକ ପଦାର୍ଥ ଇଞ୍ଜେକସନ ଆକାରରେ ଦିଆଯାଏ ।
- ଏହା ରକ୍ତରେ ମିଶିବା ପରେ ସାମୟିକ ଭାବେ ଏକପ୍ରକାର ହିପ୍ନୋଟିକ୍ ସ୍ଥିତି ବା ନିଶାସକ୍ତ ସ୍ଥିତିକୁ ଚାଲିଯାଏ ଅଭିଯୁକ୍ତ ।
- ସେତେବେଳେ ସମ୍ପୃକ୍ତ ବ୍ୟକ୍ତି ମିଛ କହିବା ପାଇଁ ମନଗଢ଼ା କଥା ଚିନ୍ତା କରିବା ସ୍ଥିତିରେ ନଥାଏ ।
- ନିଜ ଆତ୍ମଚେତନା ଉପରୁ ନିୟନ୍ତ୍ରଣ ହରାଇଥାଏ ଏବଂ ବିନା ଦ୍ୱିଧାରେ ସତ କହିବାରେ ଲାଗେ ।
- ଲିଙ୍ଗ, ବୟସ, ସ୍ୱାସ୍ଥ୍ୟାବସ୍ଥା ଓ ଶାରିରୀକ ସ୍ଥିତିକୁ ଦେଖି ଟ୍ରୁଥ୍ ସେରମ୍ର ଡୋଜ୍ ନିର୍ଦ୍ଧାରଣ କରାଯାଏ ।
- ସଠିକ୍ ଡୋଜ୍ର ସେରମ୍ ଦିଆନଗଲେ ଜଣେ କୋମାକୁ ଚାଲିଯାଇପାରେ କିମ୍ବା ତାର ମୃତ୍ୟୁ ମଧ୍ୟ ହୋଇପାରେ ।
- ଅଭିଯୁକ୍ତର ମାନସିକ ଓ ଶାରିରୀକ ସ୍ଥିତି ପରଖିବା ପାଇଁ ନାର୍କୋଟେଷ୍ଟ ବେଳେ କାର୍ଡିଓ କଫ୍ ଓ ସେନ୍ସିଟିଭ୍ ଇଲେକ୍ଟ୍ରୋଡ୍ ଆଦି ବ୍ୟବହାର କରାଯାଏ ।
- ଅଭିଯୁକ୍ତର ରକ୍ତଚାପ, ହୃଦସ୍ପନ୍ଦନ, ଶ୍ୱାସକ୍ରିୟାର ଗତି ଏବଂ ସ୍ୱେଦଗ୍ରନ୍ଥି ଉପରେ ନଜର ରଖିଥାନ୍ତି ଡାକ୍ତର ।
- ନାର୍କୋଟେଷ୍ଟ ପାଇଁ ସମ୍ପୃକ୍ତ ଅଭିଯୁକ୍ତ ବା ବ୍ୟକ୍ତି ବିଶେଷର ସହମତି ଜରୁରୀ ।
- ନାର୍କୋଟେଷ୍ଟ ବେଳେ ଦିଆଯାଇଥିବା ବୟାନକୁ କୋର୍ଟରେ ପ୍ରମାଣ ଭାବେ ଗ୍ରହଣ କରାଯାଏ ନାହିଁ ।
- ଏହା ପୋଲିସକୁ ଆନୁସଙ୍ଗିକ ପ୍ରମାଣ ଯୋଗାଡ଼ କରିବାରେ ସହାୟତା କରେ ।
- ଏହି ପଦ୍ଧତି ଶତ ପ୍ରତିଶତ ସଠିକ୍ ନୁହେଁ । ବହୁ କ୍ଷେତ୍ରରେ ଟ୍ରୁଥ୍ ସେରମ୍ ଦିଆଯିବା ସତ୍ତ୍ୱେ ଅଭିଯୁକ୍ତ ମିଛ କହିବାର ନଜିର ରହିଛି ।
- ଆରୁଷି ତଲଓ୍ୱାର୍ ହତ୍ୟା ମାମଲା, ୨୦୦୭ ହାଇଦ୍ରାବାଦ ଟ୍ୱିନ୍ ବ୍ଲାଷ୍ଟ୍, ନିଠାରୀ ହତ୍ୟାକାଣ୍ଡ, ଷ୍ଟାମ୍ପ ପେପର୍ ସ୍କାମ୍ ଓ ମୁମ୍ବାଇ ଆକ୍ରମଣରେ ଆତଙ୍କୀ କସାବକୁ ନାର୍କୋ ଟେଷ୍ଟ କରାଯାଇଥିଲା ।