ମହିଳା ASIଙ୍କ ମୃତ୍ୟୁପୂର୍ବର ଗଣ୍ଡଗୋଳ ଭିଡିଓ; ସୁସ୍ଥ ଥାଇ ବି କେମିତି ହେଲା ମୃତ୍ୟୁ ?

ରାଉରକେଲା ଉଦିତନଗର ଥାନା ମହିଳା ASI ମୃତ୍ୟୁ ମାମଲା । ୨ ଜଣଙ୍କୁ ଗିରଫ କଲା ଉଦିତନଗର ଥାନା ପୋଲିସ । ସାମ୍ନାକୁ ଆସିଲା ମହିଳା ASIଙ୍କ ମୃତ୍ୟୁପୂର୍ବରୁ ଗଣ୍ଡଗୋଳର ଚିତ୍ର ।

ASI Death

ରାଉରକେଲା ଉଦିତନଗର ଥାନାର ମହିଳା ASI ଆଲିଶା ଲୁଗୁନଙ୍କ ଆସିଲା ମୃତ୍ୟୁ ପୂର୍ବର ଶେଷ ଭିଡ଼ିଓ । RMC ଛକ ନିକଟ ରିଂ ରୋଡରେ ସଡ଼କ ଦୁର୍ଘଟଣାସ୍ଥଳରେ ASI ପହଞ୍ଚିଥିବା ବେଳେ କେମିତି ପାଟିତୁଣ୍ଡ ହୋଇଥିଲା ତା’ର ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ସେ ଜଣେ ମହିଳାଙ୍କ ହାତ ଧରିଥିବାବେଳେ ତାଙ୍କୁ ଛଡ଼ାଇବା ପାଇଁ ଆଉ କିଛି ବ୍ୟକ୍ତି ଉଦ୍ୟମ କରୁଥିଲେ । କେବଳ ଉଦ୍ୟମ ନୁହଁ, ଟଣାଓଟରା ବି ଜାରି ରହିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ବସ୍ ଏବଂ କାର ଦୁର୍ଘଟଣା ପରେ ଘଟଣାସ୍ଥଳରେ ଦେଖାଦେଇଥିଲା ଉତ୍ତେଜନା । କାର୍ ମାଲିକଙ୍କ ସଂପର୍କିୟ ପହଞ୍ଚି ବସର କାଚ ଭଙ୍ଗାରୁଜା କରିଥିଲେ । ଏହି ଘଟଣା ସଂପର୍କରେ ଖବର ପାଇ ପହଞ୍ଚିଥିଲେ ମହିଳା ASI ଆଲିଶା ଲୁଗୁନ୍ । ଆଉ ଜଣଙ୍କୁ ଧରିବା ପରେ ଆରମ୍ଭ ହୋଇଯାଇଥିଲା ପାଟିତୁଣ୍ଡ । ଗଣ୍ଡଗୋଳ ବେଳେ ବିଲକୁଲ୍ ସୁସ୍ଥ ଥିବା ଦେଖାଯାଉଛନ୍ତି ASI ଲୁଗୁନ୍ । କିନ୍ତୁ ଏହାର କିଛି ସମୟ ପରେ ଅସୁସ୍ଥ ହୋଇଥିବା ଦର୍ଶାଇ ତାଙ୍କୁ ନିଆଯାଇଥିଲା ରାଉରକେଲା ସରକାରୀ ମେଡ଼ିକାଲକୁ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉଦିତନଗର ପୋଲିସ ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ASIଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପରିବାର ଲୋକେ । ଘଟଣାସ୍ଥଳରେ ଲାଗିରହିଥିବା ଉତ୍ତେଜନା ଭିତରେ ହିଁ ତାଙ୍କୁ ଆକ୍ରମଣ କରି ହତ୍ୟା କରାଯାଇଥିବା ଆଲିଶାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ।