ଏ କେମିତିକା ଚୋର ! ଚିକ୍କଣ କାନ୍ଥ ଦେଖି ଲେଖିଦେଲା ‘ବିଗ୍‌ ବି’ଙ୍କ ଡାଏଲଗ୍‌, ବାନ୍ଧିଲା ପୋଲିସ

କାନ୍ଥରେ ଦୁଇ ଚୋର ଚିତ୍ର ଆଙ୍କିବା ସହ ଡାଏଲଗ୍‌ ଲେଖିବା ସମୟରେ ସେଠାରେ ଲାଗିଥିବା ଏକ କାଚ ଖସିପଡ଼ିଥିଲା । ତଳେ ପଡ଼ି କାଚଟି ଭାଙ୍ଗିଯାଇଥିଲା । ଯାହାଦ୍ୱାରା ଘର ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା ।

କାନ୍ଥରେ ଲେଖିଦେଲେ ଅମିତା ବଚ୍ଚନ ଡାଏଲଗ୍‌

ଅତୀତରେ ଅନେକ ଚୋରି ଘଟଣା ଆପଣଙ୍କ ନଜରକୁ ଆସିଥିବ । ଚୋରମାନେ ଟଙ୍କା, ସୁନା ଗହଣା ଚୋରି କରିନେବା ସହ ବହୁ ମୂଲ୍ୟବାନ ଜିନିଷ ଚୋରି କରିନେଇଥିବେ । ଖାଲି ଏତିକି ତ ନୁହେଁ, ସେହି ପରିବାର ଲୋକଙ୍କ ସହ କିଛି ଖରାପ ବ୍ୟବହାର କରିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିବ ।

ପରିବାର ସଦସ୍ୟଙ୍କୁ ଚୋରମାନେ ମାଡ଼ ମାରିଥିବା ମଧ୍ୟ ଆପଣ ଶୁଣିବାକୁ ପାଇଥିବେ । ହେଲେ କୌଣସି ଚୋର ମୂଲ୍ୟବାନ ଜିନିଷ ଚୋରି କରିବା ପରେ ସେମାନଙ୍କ କାନ୍ଥରେ ବଲିଉଡ୍‌ ଫିଲ୍ମର ଡାଏଲଗ୍‌ ଲେଖିଥିବା ଘଟଣା କେବେ ଶୁଣି ନଥିବେ । ଆଉ ସେହି ଡାଏଲଗ୍‌ ଲେଖିବା କାରଣରୁ ସେମାନେ ଗିରଫ ମଧ୍ୟ ହୋଇଛନ୍ତି ।

ଏପରି ଏକ ଘଟଣା ଇନ୍ଦୋରର ଜୁନା ରିସାଲା ଅଞ୍ଚଳରୁ ସାମ୍‌ନାକୁ ଆସିଛି । ରବିବାର ରାତିରେ ବିଜୟ ଯାଦବ ଏବଂ ସୋନୁ ଯାଦବ ନାମକ ଦୁଇ ଜଣ ବ୍ୟକ୍ତି ରିସାଲା ଅଞ୍ଚଳରେ କର୍ପୋରେଟର ଅନୱାର କାଦ୍ରିଙ୍କ ଘରେ ପଶିବା ସହ ଟଙ୍କା, ସୁନା ଓ ରୁପା ଚୋରି କରିଥିଲେ ।

ସୋନୁ ଘର ଭିତରକୁ ପଶିଥିବାବେଳେ ବିଜୟ ବାହାରେ ରହିଥିଲେ । ପରେ ସୋନୁ ଘର ଭିତରୁ ଟଙ୍କା ଓ ସୁନା ନେଇ ବାହାରକୁ ଆସିଥିଲେ । ବାହାରକୁ ଆସିବା ପରେ ଘରର କାନ୍ତ ଅତି ଚିକ୍କଣ ଓ ସୁନ୍ଦର ଦିଶୁଥିବାରୁ କାନ୍ଥରେ କିଛି ଲେଖିବାକୁ ସ୍ଥିର କରିଥିଲେ । ସେଠାରେ କିଛି ସ୍କେଚ୍ ଓ ପେନ୍‌ ପାଇବାରୁ ଚିତ୍ର ଆଙ୍କିଥିଲେ ଚୋର ଦୁଇଜଣ । ପରେ ପରେ ବଲିଉଡ୍‌ ଫିଲ୍ମ ‘ଅଗ୍ନିପଥ’ର ଅମିତାଭ ବଚ୍ଚନଙ୍କ କିଛି ଡାଏଲଗ୍‌ ଚୋରମାନେ କାନ୍ଥରେ ଲେଖିଥିଲେ ।

କାନ୍ଥରେ ଚୋର ଦୁଇଜଣ ଚିତ୍ର ଓ ଡାଏଲଗ୍‌ ଲେଖିବା ସମୟରେ ସେଠାରେ ଲାଗିଥିବା ଏକ କାଚ ଖସିପଡ଼ିଥିଲା । ତଳେ ପଡ଼ି କାଚଟି ଭାଙ୍ଗିଯାଇଥିଲା । ଯାହାଦ୍ୱାରା ଘର ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା । ପରେ ପରିବାରର ଲୋକେ ଏହା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚିଥିଲା । ସେମାନଙ୍କୁ ଗିରଫ କରିବା ସହ ଥାନାକୁ ନେଇଥିଲା ।

ଥାନାରେ ପୋଲିସ ସେମାନଙ୍କୁ ପଚରା ଉଚରା କରିବା ସମୟରେ ଅଭିଯୁକ୍ତମାନେ ନିଜର ଦୋଷ ସ୍ୱୀକାର କରିଛନ୍ତି । ଟଙ୍କା ଓ ଗହଣା ଚୋରି କରିଥିବା ମାନିଛନ୍ତି ଉଭୟ । ତାହାସହ ସେମାନେ କାନ୍ଥରେ ଅମିତାଭ ବଚ୍ଚନଙ୍କ ଡାଏଲଗ୍‌ ଲେଖିବା ସହ ଚିତ୍ର ଆଙ୍କିଥିବା କହିଛନ୍ତି । ଖାଲି ସେତିକି ନୁହେଁ ଉଭୟ ଅମିତାଭ ବଚ୍ଚନଙ୍କ ଫ୍ୟାନ୍ସ ଥିବା ପୋଲିସ କହିଛି ।