• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Puspanjali Panda

ବାଂଲାଦେଶକୁ ମୁକ୍ତ କରିବା ପାଇଁ ପାକିସ୍ତାନର ମିଆଁୱାଲି ଜେଲର ଏକ କାଳକୋଠରୀରେ ନଅ ମାସ ବିତାଇଥିବା ବଂଗ ବନ୍ଧୁ ମୁଜିବୁର ରହମାନଙ୍କ ଘର ଧନମଣ୍ଡି-୩୨ରେ ମୌଳବାଦୀମାନେ ନିଆଁ ଲଗାଇ ଭାଙ୍ଗି ଦେଇଛନ୍ତି। ୧୯୭୫ ରେ ତାଙ୍କ ହତ୍ୟା ପର୍ଯ୍ୟନ୍ତ ତାଙ୍କର ସମସ୍ତ ରାଜନୈତିକ କାର୍ଯ୍ୟକଳାପର କେନ୍ଦ୍ରବିନ୍ଦୁ ଥିଲା ଏହି ଘର। ଗତ ବୁଧବାର, ଅର୍ଥାତ୍ ୫ ଫେବୃଆରୀ ରାତିରେ ଢାକାରେ ଏଭଳି କାଣ୍ଡ ଘଟିଛି। ବଂଗ ବନ୍ଧୁଙ୍କ ଝିଅ ତଥା ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡ଼ି ଭାରତକୁ ଯିବା ପରଠାରୁ ସାରା ବାଂଲାଦେଶରେ ହିଂସାର ନିଆଁରେ ଜଳୁଛି। ଏବେ ଏହି ଘରକୁ ଭାଙ୍ଗି ବିଦ୍ରୋହୀ ଆହୁରି ଉଗ୍ର ହୋଇଥିବା କୁହାଯାଉଛି।

ବଙ୍ଗବନ୍ଧୁ ଶେଖ ମୁଜିବୁରହମାନ କିଏ?

ଶେଖ୍ ମୁଜିବୁର୍ ରହମାନଙ୍କୁ ବାଂଲାଦେଶରେ "ଜାତିର ପିତା" ବୋଲି କୁହାଯାଏ । ସେ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ। ପରବର୍ତ୍ତି ସମୟରେ ସେ ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୭୧ ଏପ୍ରିଲ ୧୭ ରୁ ୧୯୭୫ ଅଗଷ୍ଟ ୧୫ ଯାଏ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଅଗଷ୍ଟ ୧୫ରେ ତାଙ୍କୁ ହତ୍ୟା କରାଯାଇଥିଲା। ବାଂଲାଦେଶ ସ୍ୱାଧୀନତା ପଛରେ ତାଙ୍କର ଭୂମିକା ଅତୁଳନୀୟ।

କାହିଁକି ମୁଜିବୁରଙ୍କ ଘର ଉପରେ ରାଗ?

ଶେଖ ହସିନା ଭାରତରେ ବସି ବାଂଲାଦେଶ ବିରୋଧୀ କାର୍ଯ୍ୟକଳାପ ଚଳାଇଥିବା ବିରୋଧୀମାନେ ଅଭିଯୋଗ କରୁଛନ୍ତି। ଶେଖ ହସିନାଙ୍କ ଦଳ 'ଛାତ୍ର ଲିଗ୍'ର ଛାତ୍ର ଶାଖା ଏକ ଅନଲାଇନ୍ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏଥିରେ ଶେଖ ହସିନା ଫେସବୁକ୍ ମାଧ୍ୟମରେ ଭାଷଣ ଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଯେତେବେଳେ ତାଙ୍କ ବିରୋଧୀମାନେ ଏହି କାର୍ଯ୍ୟକ୍ରମର ଖବର ପାଇଲେ ସେତେବେଳେ ବିରୋଧ ପ୍ରଦର୍ଶନ ଆରମ୍ଭ କରିବା ସହିତ 'ବୁଲଡୋଜର ପ୍ରଦର୍ଶନ' ପାଇଁ ଡାକରା ଦେଇଥିଲେ। ଗଲା ଫେବୃଆରୀ ୫ ରାତି ୯ଟା ୩୦ ବେଳେ ପ୍ରତିବାଦକାରୀମାନେ ମୁଜିବୁରଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଏହା ପରେ ରାତି ପ୍ରାୟ ୨ଟା ବେଳେ ଏକ ବୁଲଡୋଜର ଦ୍ୱାରା କୋଠାର ଏକ ଅଂଶକୁ ମଧ୍ୟ ଭାଙ୍ଗି ଦିଆଯାଇଥିଲା।

କଣ ରହିଛି ମୁଜିବୁରଙ୍କ ଘରର କାହାଣୀ

ଶେଖ ମୁଜିବୁର ୧୯୬୦ ପର୍ଯ୍ୟନ୍ତ ଜେଲରେ ରହିଥିଲେ। ମୁକ୍ତ ହେବା ପରେ ସେ ଧନମଣ୍ଡିରେ ଏକ ଘର ତିଆରି କରିଥିଲେ। ସେ ସେହି ଅର୍ଦ୍ଧନିର୍ମିତ ଦୁଇ କୋଠରୀ ବିଶିଷ୍ଟ ଘରେ ରହିବା ଆରମ୍ଭ କଲେ। ମୁଜିବୁର ୧୯୬୧ ଅଗଷ୍ଟ ୧ ରେ ହାଉସ୍ ବିଲ୍ଡିଂ ଫାଇନାନ୍ସ କର୍ପୋରେସନରୁ ଋଣ ପାଇଥିଲେ। ସେ ଆଗୁଆ ୧୦୦୦ ଟଙ୍କା ନେଇ ଘର କାମ ଆରମ୍ଭ କଲେ। ଶେଖ ମୁଜିବୁର ରହମାନଙ୍କ ସାନ ପୁଅ ଶେଖ ରସେଲ ୧୯୬୪ ଅକ୍ଟୋବର ୧୮ ରେ ଏହି ଘରେ ଜନ୍ମଗ୍ରହଣ କରିଥିଲେ। ଏହି ଘରଟି ୧୯୬୬ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା। ମୁଜିବୁର ତାଙ୍କ ଦୁଇ ମହଲା ଘରେ ଏକ ପାଠାଗାର ନିର୍ମାଣ କରିଥିଲେ। ଏହି ଘରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଯେଉଁଥିରେ ୧୯୬୯ ପୂର୍ବ ପାକିସ୍ତାନ ବିଦ୍ରୋହ ଏବଂ ୧୯୭୦ ପାକିସ୍ତାନ ସାଧାରଣ ନିର୍ବାଚନ ଅନ୍ତର୍ଭୁକ୍ତ। ସେ ୧୯୭୧ ମାର୍ଚ୍ଚ ୨୫ ରାତିରେ ଏହି ଘରୁ ବାଂଲାଦେଶର ସ୍ୱାଧୀନତା ଘୋଷଣା କରିଥିଲେ। ଏହାର କିଛି ସମୟ ପରେ ମୁଜିବୁର ରହମାନଙ୍କୁ ଗିରଫ କରାଯାଇଥିଲା। ବାଂଲାଦେଶ ମୁକ୍ତି ଯୁଦ୍ଧ ସମୟରେ ଏହି ଘରଟି କ୍ଷତିଗ୍ରସ୍ତ ହୋଇଥିଲା। ପରେ ଏହାକୁ ନବୀକରଣ କରାଯାଇଥିଲା। ଶେଖ ମୁଜିବୁର ରହମାନ ପାକିସ୍ତାନରୁ ଫେରିବା ପରେ ତାଙ୍କ ପରିବାର ଏହି ଘରକୁ ଫେରି ଆସିଥିଲେ। ବଙ୍ଗବନ୍ଧୁ ୧୯୭୨ ରୁ ୧୯୭୫ ପର୍ଯ୍ୟନ୍ତ ତାଙ୍କ ପରିବାର ସହିତ ଏହି ଘରେ ରହୁଥିଲେ। ସେତେବେଳେ ଭାରତର ଗୁଇନ୍ଦା ସଂସ୍ଥା ର‘ର ମୁଖ୍ୟ ଥିଲେ ରାମେଶ୍ୱର ନାଥ କାଓ। ସେ ଏକ ଗୁପ୍ତ ସୂତ୍ରରୁ ସୂଚନା ପାଇଲେ ଯେ ବାଂଲାଦେଶୀ ସେନା ମୁଜିବୁର ରହମାନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଛି। ସେ ଏ ସମ୍ପର୍କରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଜଣାଇଥିଲେ। ସେ ରାମେଶ୍ୱର ନାଥଙ୍କୁ ବାଂଲାଦେଶ ପଠାଇ ମୁଜିବଙ୍କୁ ଚେତାବନୀ ଦେଇଥିଲେ। କିନ୍ତୁ ମୁଜିବୁର ଏହି ତଥ୍ୟକୁ ଗ୍ରହଣ କରିନଥିଲେ।

ରକ୍ତପାତର ମୁକସାକ୍ଷୀ

୧୯୭୫ ଅଗଷ୍ଟ ୧୪ ରାତିରେ ଶେଖ ମୁଜିବୁର ରହମାନ ତାଙ୍କ ପତ୍ନୀ ଏବଂ ସାନ ପୁଅ ଶେଖ ରସେଲ ତୃତୀୟ ମହଲାର ଏକ କୋଠରୀରେ ଏକାଠି ଶୋଇଥିଲେ। ତାଙ୍କ ପୁଅ ଜମାଲ ଏବଂ ତାଙ୍କ ପତ୍ନୀ ରୋଜି ତୃତୀୟ ମହଲାର ଅନ୍ୟ ଏକ କୋଠରୀରେ ଥିଲେ। ମୁଜିବୁରଙ୍କ ପୁଅ କମଲ ଏବଂ ତାଙ୍କ ପତ୍ନୀ ସୁଲତାନା ଚତୁର୍ଥ ମହଲାରେ ଥିଲେ। ଘରର ଦୁଇଜଣ ଚାକର ରୋମା ଏବଂ ସଲିମ, ମୁଜୀବୁରଙ୍କ ଘର ସାମ୍ନାରେ ଥିବା ବାଲକୋନିରେ ଶୋଇଥିଲେ। ଏହା ବ୍ୟତୀତ ତଳ ମହଲାରେ ମଧ୍ୟ ଅନେକ କର୍ମଚାରୀ ଥିଲେ। ସେହି ସମୟରେ ଶେଖ୍ ହସିନା ଏବଂ ତାଙ୍କ ଭଉଣୀ ରେହାନା ବିଦେଶରେ ଥିଲେ। ସମୟ ଥିଲା ସକାଳ ପାଞ୍ଚଟା। ହଠାତ୍ କବାଟ ଖୋଲି ମୁଜିବୁରଙ୍କ ପତ୍ନୀ ବାହାରକୁ ଆସିଲେ। ମୁଜିବୁରଙ୍କ ଘର ଉପରକୁ ଗୁଳି ମାଡ଼ ହେଉଥିଲା। ଶେଖ୍ କମଲ ଏବଂ ଜମାଲ ଦୁହେଁ ତଳକୁ ଓହ୍ଲାଇ ଆସିଲେ। ଶେଖ୍ କମଲଙ୍କ ଚିତ୍କାର ଶୁଣିବାକୁ ମିଳିଲା। ପୁଅର ଚିତ୍କାର ଶୁଣି ବଙ୍ଗବନ୍ଧୁ ତାଙ୍କ କୋଠରୀକୁ ଦୌଡ଼ି ଆସିଲେ। କବାଟ ବନ୍ଦ କରିବାକୁ କହିଲେ। ଗୁଳିର ଶବ୍ଦ ବନ୍ଦ ହୋଇଗଲା। କିଛି ସମୟ ପରେ ମୁଜିବୁର କବାଟ ଖୋଲି ବାହାରକୁ ଆସିଲେ। ଆକ୍ରମଣକାରୀମାନେ ତାଙ୍କୁ ଘେରିଗଲେ। ଆକ୍ରମଣକାରୀମାନେ ତାଙ୍କୁ ସିଡ଼ି ପାଖକୁ ଟାଣି ନେଇଥିଲେ। ତାଙ୍କ ଉପରକୁ ଗୁଳି ମାଡ଼ କରାଯାଇଥିଲା। ମୁଜିବୁର ରକ୍ତରେ ଜୁଡୁବୁଡୁ ହୋଇ ସିଡ଼ିରୁ ତଳକୁ ପଡ଼ିଗଲେ। ସେତେବେଳକୁ ପରିବାର ସଦସ୍ୟମାନେ ଜୀବନ ବଞ୍ଚାଇବା ପାଇଁ ମୁଜିବୁରଙ୍କ ଘରର ଗାଧୁଆ ଘରେ ଆଶ୍ରୟ ନେଇଥିଲେ। ମୁଜିବୁର ରହମାନଙ୍କ ଭାଇ ଶେଖ୍ ନାସିରଙ୍କ ହାତରେ ଗୁଳି ବାଜିଥିଲା। ମୁଜିବଙ୍କ ପତ୍ନୀ ତାଙ୍କ ଶାଢ଼ି ଚିରି ତାଙ୍କ ହାତରେ ବାନ୍ଧି ଦେଲେ। ସେହି ସମୟରେ ଆକ୍ରମଣକାରୀମାନେ ତୃତୀୟ ମହଲାରେ ପହଞ୍ଚିଗଲେ। ଜଣ ଜଣ କରି ସମସ୍ତଙ୍କୁ ଗାଧୁଆ ଘରୁ ବାହାରକୁ ନିଆଗଲା। ସମସ୍ତଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା।

ଧନମଣ୍ଡିର ୩୨ ଘର ସଂଗ୍ରହାଳୟ ଥିଲା

ହସିନା ଏବଂ ତାଙ୍କ ଭଉଣୀ ରେହାନା ସେମାନଙ୍କ ପରିବାରର ହତ୍ୟା ଖବର ପାଇବା ପରେ ମଧ୍ୟ ଫେରିପାରିଲେ ନାହିଁ। ଦୁଇ ଭଉଣୀ ୧୯୮୧ ମେ ୧୭ ରେ ଦେଶକୁ ଫେରି ଆସିଥିଲେ। କିନ୍ତୁ ସେମାନଙ୍କୁ ସେମାନଙ୍କ ଧନମଣ୍ଡି ଘରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ଘରଟି ନିଲାମ ପାଇଁ ମଧ୍ୟ ରଖାଯାଇଥିଲା। ସେହି ବର୍ଷ ଜୁନ୍ ୧୦ ତାରିଖରେ ସମସ୍ତ ଋଣ ପରିଶୋଧ କରିବା ପରେ ହସିନା ଘରର ମାଲିକାନା ନେଇଥିଲେ। ହସିନା ତାଙ୍କ ସ୍ୱାମୀଙ୍କ ସହିତ ମହାଖାଲିରେ ରହୁଥିଲେ। ଧନମଣ୍ଡିର ୩୨ ନମ୍ବର ଘରଟି ରାଜନୈତିକ କାର୍ଯ୍ୟକ୍ରମ ପାଇଁ ବ୍ୟବହୃତ ହେଉଥିଲା।

ହସିନା ଏହି ଘରର ମାଲିକାନା ପାଇବା ପରଠାରୁ ସେ ଏହାକୁ ଏକ ସଂଗ୍ରହାଳୟରେ ପରିଣତ କରିବାକୁ ଯୋଜନା କରୁଥିଲେ। ସଂଗ୍ରହାଳୟଟି ୧୯୯୪ ଅଗଷ୍ଟ ୧୪ ରେ ଉଦଘାଟିତ ହୋଇଥିଲା। ଏହି ଘରର ମାଲିକାନା ସେପ୍ଟେମ୍ବର ୬ ତାରିଖରେ ବଙ୍ଗବନ୍ଧୁ ମେମୋରିଆଲ୍ ଟ୍ରଷ୍ଟକୁ ହସ୍ତାନ୍ତର କରାଯାଇଥିଲା। ମୁଜିବୁରଙ୍କ ନାମରେ ନାମିତ ଏହି ସଂଗ୍ରହାଳୟ ଦେଖିବାକୁ ସାରା ବିଶ୍ବରୁ ଲୋକ ଆସୁଥିଲେ। ସେହି ଘରଟି ଏବେ ଇତିହାସ ପୃଷ୍ଠାରୁ ଲିଭାଇ ଦିଆଯାଇଛି। ବୁଲଡୋଜର ସାହାଯ୍ୟରେ ଘରଟିକୁ ଭାଙ୍ଗି ଦିଆଯାଇଛି।

 

OTV is now on Whatsapp

Join and get latest news update delivered to you via whatsapp

Join Now