ଏଭରେଷ୍ଟ ଚଢ଼ିବା ସ୍ୱପ୍ନ ପୁରଣ ପାଇଁ କରିବାକୁ ପଡ଼ିଲା ଚୋରି...

ତିନୋଟି ଘରୁ ଅଳଙ୍କାର ଚୋରି ଅଭିଯୋଗରେ କେରଳ ପୋଲିସ ତିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୨୩ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

Theft

୨୩ ବର୍ଷର ଜଣେ ଯୁବକ ଏଭରେଷ୍ଟ ଚଢ଼ିବାକୁ ଚାହୁଁଥିଲେ । କିନ୍ତୁ ଏଭରେଷ୍ଟ ଆରୋହଣ କରିବାର ସ୍ୱପ୍ନକୁ ପୂରଣ କରିବା ପାଇଁ ତାଙ୍କୁ ବହୁତ ଟଙ୍କା ଦରକାର ଥିଲା । ଏଭଳି ପରିସ୍ଥିତିରେ ସେ ଟଙ୍କା ସଂଗ୍ରହ କରିବା ପାଇଁ ଚୋରି କରିବା ଆରମ୍ଭ କରିଥିଲେ । ବ୍ୟକ୍ତି ଜଣକ ଏଭରେଷ୍ଟ ଆରୋହଣ ତ କରିପାରିଲେ ନାହିଁ, କିନ୍ତୁ ଚୋରିମାମଲାରେ ଧରାପଡ଼ି ଜେଲ୍‌ରେ ପହଞ୍ଚିଗଲେ । ଏଭଳି ଏକ ଘଟଣା କେରଳର ରାଜଧାନୀ ଥିରୁବନନ୍ତପୁରମରେ ଘଟିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତିନୋଟି ଘରୁ ଅଳଙ୍କାର ଚୋରି ଅଭିଯୋଗରେ କେରଳ ପୋଲିସ ତିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୨୩ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ପୋଲିସ ସୂଚନାନୁସାରେ, ଗିରଫ ଯୁବକ ଉମା ପ୍ରସାଦ ତେଲେଙ୍ଗାନାର ଖମାମ୍‌ର ବାସିନ୍ଦା । ସେ କେରଳର ରାଜଧାନୀ ଥିରୁବନନ୍ତପୁରମରେ ତିନୋଟି ଚୋରି କରିଥିଲା । ଉମା ପ୍ରସାଦ ମେ ରୁ ଜୁନ୍ ପର୍ଯ୍ୟନ୍ତ ଏକ ହୋଟେଲରେ ରହିଥିଲା ।

ସେ ଦିନରେ ଅଟୋ ରିକ୍ସାରେ ବୁଲାବୁଲି କରି ଘର ବାଛୁଥିଲା, ରାତିରେ ସେଠାରୁ ଚୋରି କରୁଥିଲା । ସେ ଏମିତି ଘରଗୁଡ଼ିକୁ ଟାର୍ଗେଟ କରୁଥିଲେ, ଯେଉଁଘରେ ତାଲା ପଡ଼ି ରହୁଥିଲା । ଯୁବକ ଜଣକ କହିଛି, ତାର ଏଭରେଷ୍ଟ ପର୍ବତ ଉପରକୁ ଚଢ଼ିବାର ସ୍ୱପ୍ନ ଥିଲା । ଏଥିପାଇଁ ତାଙ୍କୁ ବହୁତ ଟଙ୍କା ଦରକାର ଥିଲା । ଏଥିପାଇଁ ସେ ଚୋରି କରିବା ଆରମ୍ଭ କରିଥିଲା ।

ପୋଲିସର ସୂଚନାନୁସାରେ, ଉମା ପ୍ରସାଦ ଦିନ ବେଳେ ଟାର୍ଗେଟ କରିଥିବା ଘର ଗୁଡ଼ିକୁ ରାତିରେ ଯାଇଥାଏ । ସାଙ୍ଗରେ ଏକ କଟର ନେଇ ଯାଇଥାଏ । କଟରରରେ ଘରର ତାଲା କାଟି କିମ୍ବା ଝରକା ଗ୍ରିଲ କାଟି ସେ ଘରେ ପଶିଥାଏ । ଏହା ପରେ ସେ ଚୋରି କରି ଫେରାର ହୋଇଯାଏ । ସେ ସମାନ ତରିକାରେ ତିନୋଟି ଯାକ ଘରୁ ଚୋରି କରିଥିଲା । ଉମା ପ୍ରସାଦ ପ୍ରଥମେ ୧୭ ଜୁନ୍‌ରେ ଏକ ଘରୁ ୩୦ ହଜାର ଟଙ୍କା ମୂଲ୍ୟର ଅଳଙ୍କାର ଚୋରି କରିଥିଲା । କେବଳ ଏତିକି ନୁହେଁ, ସେ ଜୁନ୍ ୨୮ରେ ତୃତୀୟ ଚୋରି କରିଥିଲା । ସେଠାରୁ ୫୦ ହଜାର ଟଙ୍କା ମୂଲ୍ୟର ଅଳଙ୍କାର ଚୋରି କରିଥିଲା ।

ଏମିତି ଧରାପଡିଲା ଉମା..

ଚୋରିର ତିନୋଟି ଅଭିଯୋଗ ପଞ୍ଜିକରଣ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୋଲିସ ପ୍ରଥମେ ଏହି ଘରଗୁଡ଼ିକର ଆଖ ପାଖରେ ଲାଗିଥିବା ସିସିଟିଭି ଫୁଟେଜ ଗୁଡ଼ିକୁ ଯାଞ୍ଚ କରିଥିଲା । ତିନୋଟି ଯାକ ଘର ନିକଟରେ ଲାଗିଥିବା ସିସିଟିଭିରେ କେବଳ ଜଣେ ବ୍ୟକ୍ତି ଅର୍ଥାତ୍ ଉମା ପ୍ରସାଦଙ୍କୁ ପୋଲିସ ଦେଖିଥଲା । ଏହା ପରେ ପୋଲିସ ଅଧିକ ସିସିଟିଭି ଯାଞ୍ଚ କରି ଜାଣିବାକୁ ପାଇଲା ଯେ ସେ ଅଟୋରିକ୍ସାରେ ବୁଲି ବୁଲି ଏହି ଘର ଗୁଡ଼ିକୁ ଚିହ୍ନଟ କରିଥିଲା । ଏହା ପରେ ପୋଲିସ ଅଟୋ ରିକ୍ସା ଡ୍ରାଇଭରମାନଙ୍କୁ ମଧ୍ୟ ପଚରାଉଚରା କରିଥିଲା ।

ପରେ ଅଟୋ ଚାଳକଙ୍କଠାରୁ ପୋଲିସ ଜାଣିବାକୁ ପାଇଥିଲା ଯେ ସେ ଏକ ହୋଟେଲରେ ରହୁଥିଲା । ତାପରେ ହୋଟେଲରେ ପହଞ୍ଚି ପୋଲିସ ପଚରାଉଚରା କରିଥିଲା । ସେଠାରୁ ପୋଲିସ ଜାଣିପାରିଥିଲା ଯେ ଉମା ମାସେ ହେବ ସେଠାରେ ରହୁଥିଲା । କିନ୍ତ ଜୁଲାଇ ୧ ତାରିଖ ଦିନ ହୋଟେଲ ଖାଲି କରି ଏୟାରପୋର୍ଟ ଯାଇଛି । ପୋଲିସ ଏହି ସୂଚନା ଆଧାରରେ ଏୟାରପୋର୍ଟରେ ପହଞ୍ଚି ଉମା ପ୍ରସାଦକୁ ଗିରଫ କରିଥିଲା ।