ଜାହାଜରେ ନିଶା ଚାଲାଣ; ୨୨ଟି ପ୍ୟାକେଟ୍‌ରୁ ମିଳିଲା ୨୨୦ କୋଟିର କୋକେନ୍‌

ପାରାଦୀପରେ ଲାଗିଥିବା ଜାହାଜରେ ୨୨ଟି ପ୍ୟାକେଟ ମିଳିବା ଘଟଣା । ଯାଞ୍ଚ ପରେ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ ଥିବା ସ୍ପଷ୍ଟ ହେଲା । ସମସ୍ତ ୨୨ ପ୍ୟାକେଟରେ କୋକେନ ଥିବା କଷ୍ଟମ୍ସ ଯାଞ୍ଚରୁ ସ୍ପଷ୍ଟ ହୋଇଛି । ଜବତ କୋକେନ୍‌ର ଆନୁମାନିକ ମୂଲ୍ୟ ୨୨୦ କୋଟି ଟଙ୍କା ।

Drugs Smuggling

ଜାହାଜରେ ହେଉଥିଲା କି ନିଶା ଦ୍ରବ୍ୟ ଚାଲାଣ । ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରୁ ମିଳିଛି ସଂଦେହଜନକ ପ୍ୟାକେଟ । ବିଳମ୍ବିତ ରାତିରେ ପୋଲିସ, ସିଆଇଏସଏଫ୍, ଡଗ ସ୍କ୍ୱାଡ ଓ କଷ୍ଟମସ ବିଭାଗ ଖୋଳତାଡ଼ କରିବା ବେଳେ ଏହି ସନ୍ଦେହଜନକ ୨୨ଟି ପ୍ୟାକେଟ ମିଳିଥିଲା । ଷ୍ଟିଲ ପ୍ଲେଟ ଆଣି ଆସିଥିବା ଜାହାଜ MV DEBIରୁ ଏହି ସନ୍ଦିଗ୍ଧ ପ୍ୟାକେଟ ମିଳିଛି ।

ପ୍ୟାକେଟରେ କିଛି ପାଉଡର ଭଳି ସାମଗ୍ରୀ ଥିବା କୁହାଯାଉଥିଲା । ଯାଞ୍ଚ ପରେ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ ଥିବା ସ୍ପଷ୍ଟ ହୋଇଛି । ସମସ୍ତ ୨୨ ପ୍ୟାକେଟରେ କୋକେନ ଥିବା କଷ୍ଟମ୍ସ ଯାଞ୍ଚରୁ ସ୍ପଷ୍ଟ ହୋଇଛି । ଜବତ କୋକେନ୍‌ର ଆନୁମାନିକ ମୂଲ୍ୟ ୨୨୦ କୋଟି ଟଙ୍କା । ଜବତ ସାମଗ୍ରୀର ଯାଂଚ ପାଇଁ ଭୁବନେଶ୍ୱରରୁ କଷ୍ଟମ ବିଭାର ବରିଷ୍ଠ ଅଧିକାରୀ ଡ୍ରଗ ଟେଷ୍ଟିଂ କିଟ୍ ନେଇ ପାରାଦୀପ ଯାଇଛନ୍ତି ।

ତେବେ ପ୍ୟାକେଟରେ ବିପୁଳ ପରିମାଣର ଧଳା ପାଉଡର ଥିବା ଜଣାପଡ଼ିଛି । ଏହି ଜବତ ପାଉଡର କୋକେନ୍‌ ବୋଲି ଯାଂଚରୁ ଜଣାପଡ଼ିଛି । ଜାହାଜରେ ଡ୍ରଗ୍ସ କାରବାର ଚାଲିଥିଲା କି ତାହାର ଖୋଳତାଡ଼ ଚାଲିଛି । ଇଣ୍ଡୋନେସିଆର ଗ୍ରେସିକ ବନ୍ଦରରୁ ଏହି ଜାହାଜ ଆସିଥିଲା । ଗତକାଲି ପାରାଦୀପ ପୋର୍ଟରେ ପହଞ୍ଚିଥିଲା ଜାହାଜ । ଏହା ପାରାଦୀପରୁ ଡେନମାର୍କ ଯାଇଥାନ୍ତା ।

ମାତ୍ର MV DEBIରେ ଷ୍ଟିଲ ପ୍ଲେଟ ବୋଝେଇ କରିବା ନିମନ୍ତେ ଗତକାଲି କ୍ରେନ୍‌ ଅପରେଟର ଜାହାଜର ଚାମ୍ବରକୁ ଯାଇଥିଲେ। ସେଠାରେ ସେ କିଛି ସନ୍ଦେହଜନକ ପଦାର୍ଥ ଦେଖିବାକୁ ପାଇଥିଲେ। ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଏହାପରେ ଉକ୍ତ ଜାହାଜରେ କିଛି ବିସ୍ଫୋରକ ପଦାର୍ଥ ବା ବୋମା ଥିବା ଖବର ପ୍ରଚାରିତ ହେଲା।

ଗତ ରାତିରେ CISF, ପାରାଦୀପ ପୁଲିସ୍‌, ଡଗ୍‌ ସ୍କ୍ୱାର୍ଡ ଓ କଷ୍ଟମ୍ସ ବିଭାଗ ଅଧିକାରୀ ପହଞ୍ଚିଥିଲେ। ସେମାନେ ସ୍କାନରରେ ଯାଞ୍ଚ କରିବା ପରେ ତାହା ବୋମା ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା।