Advertisment

ଅସହ୍ୟ ହେଲା କି ବିଚ୍ଛେଦ; ହାରିଦେଲେ ଜୀବନ

ରଶ୍ମିରେଖାଙ୍କ ବୟଫ୍ରେଣ୍ଡ ସନ୍ତୋଷଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ। ଘୋର ଅବସାଦରେ ପୁଅ ଥିଲା ବୋଲି କହିଛନ୍ତି ସନ୍ତୋଷଙ୍କ ମାଆ।

Suicide case of Boyfriend of Rashmirekha

Suicide case of Boyfriend of Rashmirekha

Advertisment

ପ୍ରେମିକାଙ୍କ ପରେ ପରେ ପ୍ରେମିକ ବି ବାଛିନେଲେ ଆତ୍ମହତ୍ୟାର ରାସ୍ତା। ବହୁ ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ବୟଫ୍ରେଣ୍ଡ ସନ୍ତୋଷ ପାତ୍ର ଗତକାଲି ରାତିରେ ଘର ଭିତରେ ଝୁଲି ଆତ୍ମହତ୍ୟା କରିଛନ୍ତି। ଘଟଣା ପରଠୁ ରାଉରକେଲାସ୍ଥିତ ଘରେ ନିଜ ବାପାମାଆଙ୍କ ସହ ରହିଆସୁଥିଲେ ସନ୍ତୋଷ। ରଶ୍ମିରେଖାଙ୍କୁ ହରାଇବା ପରେ ପ୍ରବଳ ମାନସିକ ଅବସାଦ ଭିତରେ ଥିଲେ ସନ୍ତୋଷ। ହେଲେ ତାଙ୍କୁ ସ୍ୱାଭାବିକ କରିବାକୁ ବୁଝାଇ ଆସୁଥିଲେ ଉଭୟ ବାପା ଓ ମାଆ।

Advertisment

ସବୁ କିଛି ଫେଲ୍ ମାରିଲା। ଗତକାଲି ରାତିରେ ସେ ଜୀବନ ହାରିବାର ଶେଷ ନିଷ୍ପତ୍ତି ନେଇଗଲେ। ପୋଲିସ ତାଙ୍କ ଆତ୍ମହତ୍ୟାର କାରଣ ଖୋଜୁଥିବା ବେଳେ ପ୍ରବଳ ମାନସିକ ଚାପ, ସାମାଜିକ ଅପବାଦ, ଆତ୍ମଗ୍ଲାନିରୁ ରକ୍ଷା ଲାଗି ସେ ଏଭଳି ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

ମନ, ପ୍ରାଣ ଓ ବଚନ ଦେଇ ଭଲ ପାଉଥିବାରୁ ଶେଷରେ ତାଙ୍କ ଭଳି ନିଷ୍ଠୁର ପଥର ପଥିକ ପାଲଟିଗଲେ ପ୍ରେମିକ। ବହୁଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁର ୧୬ ଦିନ ପରେ ସମାନ ଢଙ୍ଗରେ ନିଜ ଜୀବନକୁ ଜଳାଞ୍ଜଳି ଦେଇଛନ୍ତି ତାଙ୍କ ପ୍ରେମିକ ସନ୍ତୋଷ ପାତ୍ର। ରଶ୍ମୀରେଖାଙ୍କ ଆତ୍ମହତ୍ୟା ପରେ ପ୍ରତି ମୁହୂର୍ତ୍ତରେ ଅବସାଦ ଓ ଆତ୍ମଗ୍ଲାନିରେ ଜଳୁଥିବା ସନ୍ତୋଷ ଗତକାଲି ରାତିରେ ହିଁ ନେଇଥିଲେ ଚରମ ନିଷ୍ପତ୍ତି।

Advertisment

ରାଉରକେଲା ବାସନ୍ତୀ କଲୋନୀରେ ନିଜ ବାପା-ମାଆଙ୍କ ସହ ରହୁଥିବା ବେଳେ ରଶ୍ମୀରେଖାଙ୍କ ମୃତ୍ୟୁ ପରଠୁ ସବୁବେଳେ ମାନସିକ ଚାପ ଓ ଅବସାଦ ଭିତରେ ଦିନ କାଟୁଥିଲେ। ସନ୍ତୋଷଙ୍କ ଆତ୍ମହତ୍ୟା ପରେ ତାଙ୍କ ମାଆ କହିଛନ୍ତି ଯେ ଆଗରୁ ଏକାଧିକ ଥର ଆତ୍ମହତ୍ୟା କରିବାର ପ୍ରଚେଷ୍ଟା ବି କରିଥିଲେ ସନ୍ତୋଷ। ହେଲେ ବାପା ଓ ମାଆ ତାଙ୍କୁ ଗୋଡ଼େ ଗୋଡ଼େ ଜଗୁଥିଲେ। ଘଟଣା ପରଠୁ ତାଙ୍କୁ ଦୈନିକ ବୁଝାଇବାକୁ ଚେଷ୍ଟା ବି କରୁଥିଲେ। ହେଲେ ବାପା ଓ ମାଆଙ୍କ ସବୁ ଚେଷ୍ଟାକୁ ନିଷ୍ଫଳ କରି ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳକୁ ବେକରେ ଶାଢୀ ଲଗାଇ ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ ସନ୍ତୋଷ।

ସନ୍ତୋଷଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଗତକାଲି ରାତି ପର୍ଯ୍ୟନ୍ତ ସ୍ୱାଭାବିକ ଆଚରଣ ଦେଖାଇଥିଲା ସନ୍ତୋଷ। ଏପରିକି ମାଆଙ୍କୁ ମଞ୍ଜୁରିଆନ୍ ଓ ଚାଓମିନ୍ ମାଗିବାରୁ ମାଆ ବି ତା’ ଇଛା ପୂରଣ କରିଥିଲେ। କିନ୍ତୁ ତା’ର ଠିକ୍ ପର ମୁହୂର୍ତ୍ତିରେ ହିଁ ବଦଳି ଯାଇଥିଲା ଦୃଶ୍ୟପଟ୍ଟ। ଏପଟେ ରାଉରକେଲା ଉଦିତନଗର ପୋଲିସ ସନ୍ତୋଷର ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି ସାଇଣ୍ଟିଫିକ୍ ଟିମ୍।

Advertisment

ଘଟଣାସ୍ଥଳରେ ଛାନ୍‌ଭିନ୍ କରିଥିବା ବେଳେ ପୋଲିସକୁ ମିଳିଛି ଏକ ସୁଇସାଇଡ୍ ନୋଟ୍, ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ଏବଂ ସେ ସ୍ଥିର ମସ୍ତିଷ୍କରେ ଏଭଳି ନିଷ୍ପତ୍ତି ନେଇଥିବା କଥା ଉଲ୍ଲେଖ କରିଥିବା ସୂଚନା ଦେଇଛି ପୋଲିସ।

ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାରେ ଚାକିରି କରୁଥିବା ସନ୍ତୋଷ ଭୁବନେଶ୍ୱରରେ ରହୁଥିଲେ। ଏହି ରହଣୀ ଭିତରେ ହିଁ ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ସହ ତାଙ୍କର ପ୍ରଥମେ ପରିଚୟ ଆଉ ପରେ ଏ ସମ୍ପର୍କ ପ୍ରେମର ରୂପ ନେଇଥିଲା। ପରେ ସନ୍ତୋଷଙ୍କ ନୟାପଲ୍ଲୀ ଭଡ଼ା ଘରେ ହିଁ ଉଭୟ ଲିଭ୍ ଇନ୍ ରିଲେସନ୍‌ସିପ୍‌ରେ ରହୁଥିଲେ।

ଗତ ଜୁନ୍ ୧୯ ତାରିଖରେ ସେହି ଭଡ଼ାଘରେ ହିଁ ଆତ୍ମହତ୍ୟା କରିଥିଲେ ରଶ୍ମିରେଖା। ରଶ୍ମିରେଖାଙ୍କ ଆତ୍ମହତ୍ୟା ପଛର କାରଣ ଏଯାଏଁ ସାମ୍ନାକୁ ଆସି ନଥିବା ବେଳେ ଏହା ପଛରେ ତ୍ରିକୋଣୀୟ ପ୍ରେମ କାହାଣୀ ଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହାପରେ ସନ୍ଦେହ ଘେରକୁ ଆସିଥିଲେ ସନ୍ତୋଷ ପାତ୍ର ଓ ରଶ୍ମିରେଖାଙ୍କ ପୂର୍ବତନ ପୁରୁଷ ବନ୍ଧୁ ଅଭିନେତା ରାଜା। ସେତେବେଳେ ଉଭୟଙ୍କୁ ନୟାପଲ୍ଲୀ ପୋଲିସ ଥାନାକୁ ଡାକି ଜେରା କରିଥିଲା।

ଏଠି ପ୍ରଶ୍ନ ଉଠୁଛି, ଯଦି ରଶ୍ମିରେଖାଙ୍କ ମୃତ୍ୟୁ ପରେ ସନ୍ତୋଷଙ୍କ ପାଖରେ ସମସ୍ତ ଆତ୍ମହତ୍ୟା ପ୍ରବଣତା ଦେଖାଯାଇଥିଲା, ତେବେ ଏ ଦିଗରେ ତାଙ୍କୁ ଉପଯୁକ୍ତ କାଉନ୍ସେଲିଂ କରାଗଲାନି କାହିଁକି?

(ରିପୋର୍ଟ: ରାଉରକେଲାରୁ ପଓ୍ୱନ ତିଓ୍ୱାରୀ)

Actress Rashmirekha Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ