ଇଞ୍ଜିନିୟରିଂ କଲେଜରେ ଚାଞ୍ଚଲ୍ୟ, ବାଥରୁମରେ ଯୁବତୀଙ୍କ ଭିଡିଓ ରେକର୍ଡିଂ କରି ଛାତ୍ର ଗିରଫ

ବେଙ୍ଗାଲୁରୁରେ ଏକ କଲେଜରେ ଚାଞ୍ଚଲ୍ୟ । କଲେଜ ବାଥରୁମରେ ଯୁବତୀଙ୍କ ଭିଡିଓ ରେକର୍ଡିଂ କରିବା ଅଭିଯୋଗରେ ଜଣେ ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର ଗିରଫ ।

Student films women in Bengaluru college bathroom

ବେଙ୍ଗାଲୁରୁରେ ପୁଣି ଲଜ୍ଜା । ଏକ କଲେଜର ବାଥରୁମରେ ଯୁବତୀଙ୍କ ଭିଡିଓ ରେକର୍ଡିଂ କରିବା ଅଭିଯୋଗରେ ଜଣେ ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରକୁ ଗିରଫ କରାଯାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । କଲେଜରେ ଏପରି ଘଟଣାକୁ ନେଇ ଆନ୍ଦୋଳନ ତେଜିଥିବାବେଳେ ଅଭିଯୁକ୍ତର ମୋବାଇଲ ପରୀକ୍ଷା ପାଇଁ ପଠାଯାଇଛି । 

ଖବର ଅନୁସାରେ କଲେଜର ବାଥରୁମରେ ମହିଳାଙ୍କ ଭିଡିଓ ରେକର୍ଡିଂ କରିଛି ୨୧ ବର୍ଷୀୟ ଛାତ୍ର ଜଣଙ୍କ । ଏହାପରେ ରେକର୍ଡିଂ ସମୟରେ ଧରା ପଡ଼ିଯିବାରୁ ଅଭିଯୋଗକାରୀଙ୍କୁ ଧମକ ଦେଇଛି ଅଭିଯୁକ୍ତ । ଯୁବତୀ ଜଣଙ୍କ ଯଦି ଏହି ଘଟଣା ବିଷୟରେ କାହାରିକୁ କୁହନ୍ତି କିମ୍ବା ଅଭିଯୋଗ କରନ୍ତି, ଜୀବନରୁ ମାରିଦେବାକୁ ଧମକ ଦେଇଛି ଅଭିଯୁକ୍ତ । ଅଭିଯୋଗ ଅନୁଯାୟୀ, ନିଜ ଫୋନରେ ଅଭିଯୁକ୍ତ ଭିଡିଓ ରେକର୍ଡ କରୁଥିଲା ଓ ସୋସିଆଲ ମିଡିଆରେ ଏହାକୁ ଅନ୍ୟମାନଙ୍କୁ ପଠାଉଥିଲା ।   

ଘଟଣା ସାମ୍ନାକୁ ଆସିବା ପରେ କଲେଜ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଛି ଓ ଆନ୍ଦୋଳନ ତେଜିବାରେ ଲାଗିଛି । ଉଭୟ ପୁରୁଷ ଓ ମହିଳା ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସ୍ଥାନୀୟ ପୋଲିସ ପହଞ୍ଚି ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରୁଛି । 

ସ୍ଥିତିକୁ ଦେଖି ସେପ୍ଟେମ୍ବର ୧୯ ପରଠୁ କ୍ଳାସ୍ ସସପେଣ୍ଡ କରାଯାଇଛି । ଛାତ୍ରଜଣଙ୍କ ନିଜ ମୋବାଇଲରେ ପ୍ରାୟ ୮ଟି ଭିଡିଓ ରେକର୍ଡ କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଅଭିଯୁକ୍ତ ଛାତ୍ର ଅଭ୍ୟାସଗତ ଅପରାଧୀ ହୋଇଥାଇପାରେ ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ପୋଲିସ ଅଧିକ ତଦନ୍ତ ଚଳାଇଛି ।