କୋର୍ଟରେ ଦ୍ୱିତୀୟ ବିବାହ କରୁଥିଲା ପୁଅ, ରାସ୍ତାରେ ଚଲାଇ ଚଲାଇ ଶାସ୍ତି ଦେଲେ ବାପା

କୁହାଯାଏ ନା, ‘ବାପ୍ ବାପ୍ ହୋତା ହୈ ...’ ଘରେ ଥିଲା ସ୍ତ୍ରୀ । ହସଖୁସିରେ ପରିବାର ଚାଲିଥିଲା । ଦଶ ବର୍ଷର ବୈବାହିକ ସମ୍ପର୍କର ସାକ୍ଷୀ ସ୍ୱରୂପ ପୁଅଟିଏ ମଧ୍ୟ ଥିଲା । ଏହା ସତ୍ତ୍ୱେ ଦ୍ୱିତୀୟ ବିବାହ କରିବାକୁ କୋର୍ଟରେ ପହଞ୍ଚି ଯାଇଥିଲା ପୁଅ ।

Marriage

କୁହାଯାଏ ନା, ‘ବାପ୍ ବାପ୍ ହୋତା ହୈ ...’ ଘରେ ଥିଲା ସ୍ତ୍ରୀ । ହସଖୁସିରେ ପରିବାର ଚାଲିଥିଲା । ଦଶ ବର୍ଷର ବୈବାହିକ ସମ୍ପର୍କର ସାକ୍ଷୀ ସ୍ୱରୂପ ପୁଅଟିଏ ମଧ୍ୟ ଥିଲା । ଏହା ସତ୍ତ୍ୱେ ଦ୍ୱିତୀୟ ବିବାହ କରିବାକୁ କୋର୍ଟରେ ପହଞ୍ଚି ଯାଇଥିଲା ପୁଅ । ଖବର ଯାଇ ପହଞ୍ଚିଥିଲା ବାପା ପାଖେ । ପୁଅ ଭୁଲ କରୁଥିବା ଜାଣି ତା’ପାଖରେ ପହଞ୍ଚିଥିଲେ ବାପା । ରାସ୍ତାରେ ଚଲାଇ ଚଲାଇ ଆଣି ଥାନାରେ ଜିମା ଦେଇଥିଲେ ।

ପୁତ୍ର ପ୍ରେମରେ ଅନ୍ଧ ପାଲଟିନଥିଲେ ବାପା । ପୁଅକୁ ଶାସ୍ତି ଦେବା ସହ ଆଇନର ସହାୟତା କରିଥିବାରୁ ସବୁଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ । ଯେ ଶୁଣୁଛି ସେ କହୁଛି, ବାପା ହେବ ତ ଏମିତି । ସୂଚନା ଅନୁସାରେ, ଘରେ ସ୍ତ୍ରୀ ଥାଉ ଥାଉ ପୁଅ କୋର୍ଟରେ ଦ୍ୱିତୀୟ ବିବାହ କରୁଥିବା ଶୁଣି, ତାଙ୍କୁ ରାସ୍ତାରେ ଚଲାଇ ଚଲାଇ ଆଣି ଥାନାରେ ଜିମା ଦେଲେ ବାପା ।

ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଏଭଳି ଏକ ରୋଚକ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନା ଅନୁସାରେ, ଏଡ଼ତାଳ ଗାଁର ବିଷ୍ଣୁମୋହନଙ୍କ ଜେନାଙ୍କ ପୁଅ ଅଜୟ ୧୦ ବର୍ଷ ତଳେ ତୁଳସୀ ଜେନାଙ୍କୁ ବିବାହ କରିଥିଲେ । ସେମାନଙ୍କର ଏକ ୮ ବର୍ଷର ପୁଅ ବି ଅଛି । ଏସବୁ ସତ୍ତ୍ୱେ ଅଜୟ ଆଜି ଆଉ ଜଣେ ମହିଳାଙ୍କୁ କୋର୍ଟ ମ୍ୟାରେଜ କରିବାକୁ ଯାଇଥିଲେ ।

ଅଜୟଙ୍କ ବାପା ବିଷ୍ଣୁମୋହନ ବୋହୂ ଓ ନାତିଙ୍କ ସହ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିବା ବେଳେ, ପୁଅ ଦ୍ୱିତୀୟ ବିବାହ କରୁଛି ଖବର ପାଇ କୋର୍ଟ ନିକଟରେ ପହଞ୍ଚି ପୁଅକୁ ଧରିଥିଲେ । ଏହାପରେ ତାଙ୍କୁ ଟାଣି ଟାଣି ଆଣି ବାସୁଦେବପୁର ଥାନାରେ ଜିମା ଦେଇଥିଲେ । ପୋଲିସ ଅଜୟଙ୍କୁ ଅଟକ ରଖିଥିବା ସୂଚନା ମିଳିଛି ।

ସେପଟେ ସ୍ଥାନୀୟ ଅଞ୍ଚଳରେ ବିଷ୍ଣୁମୋହନଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଅନେକେ ପ୍ରଶଂସା କରୁଛନ୍ତି । ତେବେ ଏନେଇ ଅଜୟ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।