Advertisment

ଋଣ ବୋଝ-ପାରିବାରିକ ସମସ୍ୟା; ମାନସିକ ଚାପ ପାଲଟିଲା ପରମ ଚଣ୍ତାଳ, ପିତୃହନ୍ତା ପାଲଟିଲା ପୁଅ

ଏକାଧିକ ସମସ୍ୟାକୁ ନେଇ ମାନସିକ ଚାପ ଯୋଗୁଁ ପିତୃହନ୍ତା ପାଲଟିଲା ପୁଅ । ମାତ୍ରାଧିକ ଋଣ ବୋଝ ସାଙ୍ଗକୁ ପାରିବାରିକ ସମସ୍ୟା ଏବଂ ପ୍ରଫେସର ଥିବା କଲେଜରେ ମଧ୍ୟ ନାନା ସମସ୍ୟା ଦେଖାଦେଇଥିଲା ।

ଅଦ୍ୟତନ ହୋଇଛି
Bhubaneswar Crime

Bhubaneswar Crime

Advertisment

ଏକାଧିକ ସମସ୍ୟାକୁ ନେଇ ମାନସିକ ଚାପ ଯୋଗୁଁ ପିତୃହନ୍ତା ପାଲଟିଲା ପୁଅ । ମାତ୍ରାଧିକ ଋଣ ବୋଝ ସାଙ୍ଗକୁ ପାରିବାରିକ ସମସ୍ୟା ଏବଂ ପ୍ରଫେସର ଥିବା କଲେଜରେ ମଧ୍ୟ ନାନା ସମସ୍ୟା ଦେଖାଦେଇଥିଲା । ଅଭିଯୁକ୍ତ ଅନିରୁଦ୍ଧ ଚୌଧୁରୀ ବିଦେଶରେ ଏଲଏଲଏମ ପଢିବାକୁ ଯାଇଥିଲେ । ସେହି କଲେଜରୁ ଡିଗ୍ରୀ ମିଳିବାରେ ମଧ୍ୟ ବିଳମ୍ଭ ହେଉଥିଲା ।

Advertisment

ଯାହାକୁ ନେଇ ସେ କଲେଜରେ ଡିପୋଜିଟ କରିବାର ଥିଲା । କିନ୍ତୁ ତାହା ମଧ୍ୟ ହେଉନଥିଲା । ଋଣ ପରିଶୋଧ ସମସ୍ୟା ମଧ୍ୟ ଧିରେ ଧିରେ ଗମ୍ଭୀର ହେଉଥିଲା । ବାପା ସୁନିଲ ଚୌଧୁରୀ ମଧ୍ୟ କୌଣସି ସାହାଯ୍ୟ କରିବାକୁ କୁଆଡ଼େ ମନା କରି ଦେଇଥିଲେ । ଫଳରେ ରାତି ଅଧରେ ବାପାଙ୍କୁ ଜୀବନରୁ ମାରିଦେବାକୁ ଯୋଜନା କରିଥିଲା ପୁଅ ।

ରାତି ସାଢେ ୩ରୁ ୪ଟା ମଧ୍ୟରେ ବାପା ଶୋଇଥିବା ରୁମ୍‌କୁ ପଶି ଏକାଧିକ ଥର ଛୁରୀ ଭୁସିଥିଲା ଅଭିଯୁକ୍ତ ପୁଅ । ଏହି ସମୟରେ ତାଙ୍କ ମାଆ ମଧ୍ୟ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସକ୍ଷମ ହୋଇପାରିନଥିଲେ । ମାମଲାରେ ନୂଆ ଆଇନ ଅନୁସାରେ ତଦନ୍ତ ଚାଲିଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

Advertisment

ଗତକାଲି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ଏଭଳି ଜଘନ୍ୟ ଅପରାଧ ଘଟିଥିଲା । ଜଣେ ଶିକ୍ଷିତ ପୁଅର ଏଭଳି କାଣ୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା । ସାମାନ୍ୟ ଟଙ୍କା ପାଇଁ ରକ୍ତ ସଂପର୍କରେ ଲାଗିଥିଲା ରକ୍ତର ଛିଟା । ପୁଅ ପାଲଟିଗଲା ପିତୃହନ୍ତା । ପ୍ରଫେସର ପୁଅର ଛୁରା ମାଡ଼ରେ ଚାଲିଗଲା ବୃଦ୍ଧ ବାପାଙ୍କ ଜୀବନ ।

ଋଣ ବୋଝରେ ବୁଡିଥିବା ପୁଅ, ବାପାଙ୍କଠାରୁ ଟଙ୍କା ଆଶା ରଖି ନିରାଶ ହେବାରୁ ଶେଷରେ ତାଙ୍କୁ ଛୁରୀ ଭୁଷି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୋଲିସ କହିଛି । ସାମାନ୍ୟ ଟଙ୍କା ପାଇଁ ଉଚ୍ଚ ଶିକ୍ଷିତ ଏବଂ ସମାଜରେ ପ୍ରତିଷ୍ଠିତ ପୁଅ ସାଜିଲା ବାପାଙ୍କ ହତ୍ୟାକାରୀ । ପ୍ରଫେସର ପୁଅର ଛୁରା ମାଡ଼ରେ ଆଖି ବୁଜିଛନ୍ତି ୬୮ ବର୍ଷୀୟ ନାଲକୋର ଅବସରପ୍ରାପ୍ତ ଅଫିସର ସୁନୀଲ ଚୌଧୁରୀ ।

Advertisment

ଗତକାଲି ସମୟ ପ୍ରାୟ ଭୋର୍ ପ୍ରାୟ ୪ଟା । ରଙ୍ଗମାଟିଆ ସ୍ଥିତ DHPL ଆପାର୍ଟମେଣ୍ଟର ଫାଷ୍ଟ ଫ୍ଲୋରରେ ରହୁଥିବା ସୁନୀଲ ଚୌଧୁରୀଙ୍କ ଘରୁ ଫୋନ୍ ଯାଇଥିଲା ସେମାନଙ୍କ ନିତିଦିନ ଦେଖାଶୁଣା କରୁଥିବା ସ୍ଥାନୀୟ ଆଲୋକ ବେହେରାଙ୍କ ନିକଟକୁ । ସେ ତତକ୍ଷଣାତ ଆସି ଦେଖିବା ବେଳକୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଖଟ ଉପରେ ଲୋଟିଥିଲା ସୁନୀଲଙ୍କ ଶରୀର । ଆଉ ତାଙ୍କ ନିକଟରେ ଛିଡା ହୋଇଥିଲେ ହାତରେ ରକ୍ତାକ୍ତ ଛୁରୀ ଧରିଥିବା ପୁଅ ଅନିରୁଦ୍ଧ ।

ପରେ ତୁରନ୍ତ ପଡ଼ୋଶୀଙ୍କୁ ଡାକି ପରେ ପୋଲିସକୁ ଫୋନ କରିଥିଲେ ଆଲୋକ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ମଞ୍ଚେଶ୍ୱର ପୋଲିସ । ପରେ ଡିସିପି ଓ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ପ୍ରାଥମିକ ତଦନ୍ତ ପରେ ଟଙ୍କା ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ଦେଇଛି ପୋଲିସ ।

ଅଭିଯୁକ୍ତ ଅନିରୁଦ୍ଧ JNUରୁ ଆଇନରେ ଡିଗ୍ରୀ ହାସଲ ପରେ ଭୁବନେଶ୍ୱର ପ୍ରତିଷ୍ଠିତ ବିଶ୍ୱ ବିଦ୍ୟାଳୟରେ ଚାକିରି କରୁଥିଲା । ହେଲେ ସାମାନ୍ୟ ଟଙ୍କା ପାଇଁ ନିଜ ହାତରେ ନିଜ ବାପାଙ୍କ ଜୀବନ ନେବାକୁ କେମିତି ପଛାଇଲାନି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମାନସିକ ଦୁଶ୍ଚିନ୍ତାରୁ ହେଉ କି କେଉଁ ବିଷମ ପରିସ୍ଥିତିର ତାଡନା ହେଉ, ପୁଅକୁ ମଣିଷ କରି ସମାଜରେ ପ୍ରତିଷ୍ଠିତ କରିଥିବା ପରେ ସେଇ ପୁଅ ଏବେ ପିତୃଋଣ ସୁଝିବା ବଦଳରେ ପିତୃହନ୍ତା ପାଲଟି ଯାଇଥିବାରୁ ଏବେ ଜେଲର ଚାରିକାନ୍ଥ ପାଲଟିଛି ତାର ଶେଷ ଠିକଣା ।

Murder Crime Crime In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ