ଝିଅର ଦାମ୍ ଅଢ଼େଇ ଲକ୍ଷ
ଏଠି ଝିଅଙ୍କୁ ବିକ୍ରି ହୁଏ ଅଢ଼େଇ ଲକ୍ଷ ଟଙ୍କାରେ। ଚାକିରିର ଲୋଭ ଦେଖାଇ ଝିଅଙ୍କୁ ବିଭିନ୍ନ ରାଜ୍ୟରୁ ଚାଲାଣ ପରେ ଏହାକୁ ଅଢ଼େଇ ଲକ୍ଷରେ ବିକ୍ରି କରୁଥିଲେ। ପରେ ନିଶା ଖୁଆଇ ବଳପୂର୍ବକ ବିବାହ କରାଉଥିଲେ। ଏଥିପାଇଁ ବି ପ୍ରସ୍ତୁତ ହେଉଥିଲା ଜାଲ୍ ବାହାଘର ପ୍ରମାଣପତ୍ର। ଭାରତରେ ଏଭଳି କାଣ୍ଡ ଯେ ଘଟୁଥିବ ଏକଥା ଶୁଣିଲେ ସହଜରେ ବିଶ୍ବାସ କରିହେଉନି। ରାଜସ୍ଥାନର ଜୟପୁରରେ ଏଭଳି କାଣ୍ଡ ହଟଚମଟ ସୃଷ୍ଟି କରିଛି। ପଡ଼ୋଶୀ ରାଜ୍ୟରୁ ନାବାଳିକା ଓ ଯୁବତୀଙ୍କୁ ସଂଗ୍ରହ କରିବା ପରେ ରାଜସ୍ଥାନରେ ବାହାଘର କରାଯାଉଥିବା ଘଟଣା କାହାଣୀ ପରି ଲାଗୁଥିଲେ ବି ସତ।
ଏଠି ମିଛ ସ୍ବପ୍ନ ଦେଖାଇ ବିକ୍ରି ହୁଏ ମଣିଷ
ଜୟପୁରର ବସି ଥାନା ଅଧିନରେ ରହିଛି ସର୍ବସମାଜ ଗାୟତ୍ରୀ ଫାଉଣ୍ଡେସନ ନାମକ ଏକ ଏନଜିଓ। ଏହି ସ୍ବେଚ୍ଛାସେବୀ ଯେ ସାମାଜିକ କାର୍ଯ୍ୟକ୍ରମ ନାଁରେ କଦର୍ଯ୍ୟ କାମରେ ସାମିଲ ରହିଥିଲା, ଏକଥା କେହୁ ହୁଏତ ବିଶ୍ବାସ କରିପାରିବେ ନାହିଁ। ଏଡି ସଂଗଠନ ଯୁବତୀ ଚାଲାଣ ପଛର ପ୍ରମୁଖ କାର୍ପଟଦାର। ସୋସିଆଲ୍ ମିଡିଆକୁ ଯୁବତୀ ଚାଲାଣ ପାଇଁ ଅସ୍ତ୍ର କରାଯାଏ। ଫେସବୁକରେ ବିବାହ ଓ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞାପନ ଦିଆଯାଉଥିଲା। ଏହି ନିଯୁକ୍ତି ଦେଖି ଗରିବ ପରିବାରର ଯୁବତୀମାନେ ଫସିଯାଉଥିଲେ। ସେମାନଙ୍କୁ ନିଯୁକ୍ତି ଓ ବିବାହ ଲୋଭ ଦେଖାଇ ଜୟପୁର ଅଣାଯାଉଥିଲା। ସେଠାରେ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଉଥିଲା। ପଡ଼ୋଶୀ ରାଜ୍ୟକୁ ଏଥିପାଏ ଟାର୍ଗେଟ୍ କରାଯାଏ। ମଣିଷଙ୍କୁ ଏଭଳି ଢଙ୍ଗରେ ଚାଲାଣ ଓ ବିକ୍ରି ଘଟଣା ସିନେମା ପରି ଲାଗିଲେ ବି ସତ।
ଏମାନେ ମଣିଷ ଥିଲେ ତ…
ଫେସବୁକ ମାଧ୍ୟମରେ ବିବାହର ଲୋଭ ଦେଖାଇ ଯୁବତୀ ସଂଗ୍ରହ କରୁଥିବା ଏହି ଏନଜିଓ ଗ୍ୟାଙ୍ଗ ପାଇଁ ଏଜେଣ୍ଟ କାମ କରୁଥିଲେ। ଏମାନେ ଉତ୍ତରପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟକୁ ଟାର୍ଗେଟ୍ କରୁଥିଲେ। ଏହି ରାଜ୍ୟରୁ ଯୁବତୀଙ୍କୁ କୋଲକାତାରେ ଚାକିରି କିମ୍ବା ବିବାହର ପ୍ରତିଶ୍ରୁତି ଦିଆଯାଉଥିଲା। ସେମାନେ ଏଜେଣ୍ଟଙ୍କ ନିକଟରେ ପହଞ୍ଚିବା ପରେ ଏଜେଣ୍ଟମାନେ ଏହି ଯୁବତୀଙ୍କୁ ସିଧା ରାଜସ୍ଥାନର ଜୟପୁର ଚାଲାଣ କରୁଥିଲେ। ଯେଉଁ ଯୁବତୀ କିମ୍ବା ନାବାଳିକାମାନେ ଏହି କାରନାମାକୁ ନେଇ ପ୍ରତିବାଦ କରୁଥିଲେ, ସେମାନଙ୍କୁ ହତ୍ୟା ଧମକ ଦିଆଯାଉଥିଲା। ନଚେତ ଜେଲ୍ ଭଳି ଅନ୍ଧାର ଘରେ ବନ୍ଦୀ କରି ରଖାଯାଉଥିଲା। ଏମାନଙ୍କ ସହିତ ଅମଣିଷଙ୍କ ଭଳି ବ୍ୟବହାର କରାଯାଉଥିଲା। ନିର୍ଯାତନା ଦିଆଯାଉଥିଲା।
୧୬ ବର୍ଷର ଝିଅ ଦେଶରେ ଚହଳ ପକାଇଲା
ଏନଜିଓ ମାଧ୍ୟମରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଆଜମେରର ଦୁଇଜଣ ଦଲାଲ ଜୟପୁର ଆଣିଥିଲେ। ସେଠାରେ ତାଙ୍କୁ ଅଢ଼େଇ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। ନାବାଳିକାଙ୍କୁ ନିଶାସକ୍ତ କରାଇଥିଲେ। ପରେ ପୂର୍ବ ଯୋଜନା ଅନୁଯାୟୀ, ତାଙ୍କୁ ଉତ୍ତରପ୍ରଦେଶରେ ବିବାହ କରିବାକୁ ବାଧ୍ୟ କରିଥିଲେ। ପୀଡ଼ିତା ଜଣକ ତଥାପି ରାଜି ହୋଇନଥିଲେ। ଦଲାଲମାନେ ପୁଣି ଥରେ ତାଙ୍କୁ ଜୟପୁରର ଏନଜିଓରେ ଛାଡ଼ିଦେଇଥିଲେ। ସେହି ଏନଜିଓରୁ ନାବାଳିକା କୌଶଳକ୍ରମେ ଖସିବାକୁ ରାସ୍ତା କାଢ଼ିଥିଲେ। ଜଣେ ମହିଳାଙ୍କ ସହାୟତାରେ ଏନଜିଓରୁ ପଳାଇ ଆସି ପୁଲିସ ନିକଟରେ ଫେରାଦ ହୋଇଥିଲେ। ତାଙ୍କ ଅଭିଯୋଗ ଉପରେ ପୁଲିସ ଏକ ଶୂନ୍ୟ ଏଫଆଇଆର ରୁଜୁ କରି ଉତ୍ତର ପ୍ରଦେଶ ପଠାଇ ଦେଇଥିଲା। ବସ୍ସିର ସୁଜନପୁରାରେ ଥିବା ନକଲି ଏନଜିଓ ଉପରେ ପୁଲିସ ଚଢ଼ଉ କରି ପୁରା କେଳେଙ୍କାରୀକୁ ସାମନାକୁ ଆଣିଥିଲା। ତେବେ ଏହି ପୀଡ଼ିତା ନାବାଳିକଙ୍କ ଏଭଳି ସାହାସିକତା ପୁରା ଚହଳ ପକାଇଛି।
ଏମିତି କରୁଥିଲେ ଜାଲି ବାହାଘର
ଏନଜିଓରେ ଚଢ଼ଉ ସମୟରେ ଏହାର ପରିଚାଳିକା ଗାୟତ୍ରୀ ବିଶ୍ୱକର୍ମା ଏବଂ ତାଙ୍କ ସହଯୋଗୀ ଭଗବାନଦାସ ମହେନ୍ଦ୍ର ହନୁମାନ ସିଂଙ୍କୁ ଗିରଫ କରାଯାଇଥିଲା। ଏହା ସହିତ ଏହି ମାମଲାରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି। ଗାୟତ୍ରୀ ବିଶ୍ୱକର୍ମା ନକଲି କାଗଜପତ୍ର ତିଆରି କରିବାରେ ମାହିର। ସେ ନାବାଳିକା ଓ ଯୁବତୀଙ୍କ ଅବୈଧ ବିବାହ ସଂକ୍ରାନ୍ତ ସମସ୍ତ କାଗଜପତ୍ର ବ୍ୟବସ୍ଥା କରୁଥିଲା। ଏହାକୁ ପରବର୍ତ୍ତି ସମୟରେ ବୈଧ ବୋଲି ଦର୍ଶାଇ ପୁଲିସର କାର୍ଯ୍ୟାନୁଷ୍ଠାନରୁ ବଞ୍ଚିଆସୁଥିଲେ।
ଶରୀରର ରଙ୍ଗ ଦେଖି ମଣିଷର ମୂଲ ଛିଣ୍ଡେ
ନାବାଳିକା ଓ ଯୁବତୀଙ୍କ ମୂଲ୍ୟ ସେମାନଙ୍କ ଶରୀରର ରଙ୍ଗ ଏବଂ ଗଠନ ଦେଖି ସ୍ଥିର ହୁଏ। ଏନଜିଓ ମାଧ୍ୟମରେ ଗ୍ରାହକଙ୍କ ସାମନାରେ ମୂଲ୍ୟ ଛିଣ୍ଡିବା ପରେ ବିବାହ ପାଇଁ ଜାଲ୍ କାଗଜପତ୍ର ପ୍ରସ୍ତୁତ ହୁଏ। ବାହାଘର ସମୟରେ ଯେଭଳି ସେମାନେ କୌଣସି ପ୍ରତିରୋଧ କରିବେ ନାହିଁ, ଏଥିପାଇଁ ଯୋଜନାବଦ୍ଧ ପ୍ରସ୍ତୁତି ମଧ୍ୟ କରାଯାଏ। ସେମାନଙ୍କୁ ବଳପୂର୍ବକ ନିଶା ଖୁଆଇ ଦିଆଯାଏ। ନିଶାର ପରିମାଣ ଏତେ ମାତ୍ରାରେ ଥାଏ ସେମାନେ ପ୍ରତିରୋଧ କରିବାର କ୍ଷମତା ହରାଇ ବସନ୍ତି। ନିଶାସକ୍ତ ଅବସ୍ଥାରେ ବେଦୀରେ ବିବାହ ହୁଏ।
କାନୋତାରୁ ବସି ଯାଏ
ଗାୟତ୍ରୀ ବିଶ୍ୱକର୍ମା ପୂର୍ବରୁ କାନୋତା, ଖୋହ ନାଗୋରିଆନ୍ ଏବଂ ଟ୍ରାନସପୋର୍ଟ ନଗର ପରି ଅଞ୍ଚଳରେ ଏହି କାରବାର ଚଲାଇଆସୁଥିଲା। ସେଠାରେ ପୁଲିସ ପ୍ରାୟ ୧୦ ଅପରାଧୀକ ମାମଲା ଏ ସଂକ୍ରାନ୍ତରେ ପଞ୍ଜିକରଣ କରିଥିଲା। ମାମଲା ସଂଖ୍ୟା ବଢ଼ିବା ସହିତ ପୁଲିସ ଟାର୍ଗେଟରେ ସେ ଆସିଥିଲା। ଫଳରେ ନିଜର ସ୍ଥାନ ପରିବର୍ତ୍ତନ କରିଥିଲା। ବସିରେ ଏନଜିଓ ଖୋଲି ଏହି ରାକେଟ୍ ଆରମ୍ଭ କଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745059690.jpg)