Advertisment

କାର୍ଯ୍ୟାଦେଶ SHG ନାଁରେ, କାମ କରୁଛନ୍ତି ଠିକାଦାର

କେଉଁଠି SHG ନାଁରେ କାର୍ଯ୍ୟାଦେଶ ଥାଇ ଠିକାଦାର କାମ କରୁଛି ତ ପୁଣି କେଉଁଠି ଦଳୀୟ ଭିତ୍ତିରେ ୱାର୍କଅର୍ଡର ବଣ୍ଟାଯାଉଥିବା ଅଭିଯୋଗ।

ଅଦ୍ୟତନ ହୋଇଛି
undefined

SHG Group

Advertisment

ମିଶନ ଶକ୍ତି ଜରିଆରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ସହ ସେମାନଙ୍କ ଅର୍ଥନୈତିକ ବିକାଶ ଲାଗି ରାଜ୍ୟ ସରକାର ଚଳାଇଛନ୍ତି ବଡ଼ ଯୋଜନା। ହେଲେ ବାସ୍ତବରେ କେତେ ପୂରଣ ହେଉଛି ଲକ୍ଷ୍ୟ, ତାକୁ ନେଇ ଉଠିଛି ପ୍ରଶ୍ନ। କେଉଁଠି SHG ନାଁରେ କାର୍ଯ୍ୟାଦେଶ ଥାଇ ଠିକାଦାର କାମ କରୁଛି ତ ପୁଣି କେଉଁଠି ଦଳୀୟ ଭିତ୍ତିରେ ୱାର୍କଅର୍ଡର ବଣ୍ଟାଯାଉଥିବା ଅଭିଯୋଗ। ଯୋଜନା ପୁରା ବାଟବଣା ବୋଲି ଅଭିଯୋଗ ଭିତରେ ବିଭାଗୀୟ ମନ୍ତ୍ରୀ କିନ୍ତୁ କହିଛନ୍ତି ରାଜ୍ୟରେ ମହିଳାମାନେ ମିଶନ ଶକ୍ତି ଜରିଆରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ବିଜେଡି ଠାରୁ ଦୂରେଇ ଯାଉଛନ୍ତି କି SHG ଗୋଷ୍ଠୀ ?

କାର୍ଯ୍ୟାଦେଶ SHG ନାଁରେ । ହେଲେ କାମ କରୁଛନ୍ତି ଠିକାଦାର । ସେଥିରେ ପୁଣି ଲାଭାଂଶକୁ ନେଇ ଚାଲୁଛି ଡିଲ୍ । ଏଭଳି ପ୍ରମାଣ ଆସିଛି ନବରଙ୍ଗପୁରରୁ। ସହରର ଇଚ୍ଛାବତୀଗୁଡ଼ା ସିନେମା ହଲ୍ ନିକଟରେ ଏକ ଶୌଚାଳୟ ନିର୍ମାଣ ଚାଲିଛି। ଯାହାକୁ ତିଆରି ପାଇଁ ୨୦୨୧ ମସିହା ଡିସେମ୍ବର ୨୦ରେ ସ୍ଥାନୀୟ ପୌରପାଳିକା ପକ୍ଷରୁ ମାଆ ବ୍ରାହ୍ମଣଦେଇ ସ୍ୱୟ ସଂହାୟକ ଗୋଷ୍ଠୀକୁ ୱାର୍କଅର୍ଡର ଦିଆଯାଇଥିଲା। ୩ ଲକ୍ଷ ଟଙ୍କାର କାମକୁ ଉକ୍ତ ସ୍ବୟଂ ସହାୟକ ଗୋଷ୍ଠୀର ରମା ମାଝୀ ଓ ସଂପାଦିକା ପିଙ୍କି ସୁବୁଦ୍ଧିଙ୍କ ନାଁରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା 
ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। 

ହେଲେ ଏହାରି ଭିତରେ ଦେଢ଼ ବର୍ଷ ବିତିବାକୁ ବସିଲାଣି, କିନ୍ତୁ କାମ କେବେ ସରିବ କାହାରିକୁ ଜଣାନାହିଁ। ଶୌଚାଳୟ ନିର୍ମାଣ ସରି ବିଲ୍ ଆସିଲେ ସେଥିରୁ ଠିକାଦାର ପର୍ସେଣ୍ଟେଜ୍ ଦେବାକୁ ଡିଲ୍ ହୋଇଥିବା କ୍ୟାମେରା ଆଗରେ ସିଧା କହିନଥିଲେ ବି ପରୋକ୍ଷରେ ସ୍ବୀକାର କରିଛନ୍ତି ସଂପାଦିକା। ତେବେ ନବରଙ୍ଗପୁରରେ ଏଇ ଗୋଟିଏ ଘଟଣା ନୁହେଁ, ଅନେକ ସ୍ଥାନରେ ଏମିତି କାମ ଚାଲିଛି ଓ ନିମ୍ନମାନର କାମ ଧରପଗଡ଼ ହେଲେ ଠିକାଦାର ଖସି ଯିବେ, ହେଲେ ଏସଏଚଜି ମୁଣ୍ଡରେ ଅଠା ବୋଳାଯିବ ବୋଲି ଆଶଙ୍କା କଲେଣି ସହରବାସୀ।

Advertisment

କେଉଁଠି ଏସଏଚଜିଙ୍କୁ ଦଳୀୟ ଭିତ୍ତିରେ କାର୍ଯ୍ୟାଦେଶ ପ୍ରଦାନ, ତ କେଉଁଠି ଗ୍ରୁପ୍ ଟଙ୍କା କାରବାରରେ ହେରଫେର। ସବୁଆଡୁ ଆସୁଛି ମାଳ ମାଳ ଅଭିଯୋଗ। ଭଦ୍ରକ ବାସୁଦେବପୁରରେ ଗତ ୪ ତାରିଖରେ ମିଶନ ଶକ୍ତି ବୈଠକ ବେଳେ ଏମିତି କିଛି ଅଭିଯୋଗକୁ ନେଇ ଘଟିଥିଲା ହଙ୍ଗମା। 

ସେହିପରି ସେଇ ଭଦ୍ରକ ଜିଲ୍ଲା ମୀରହସନପୁର ଗାଁର ରାଧାମାଧବ SHG ସଦସ୍ୟାଙ୍କ ଅଭିଯୋଗ ୨୦୧୫ ମସିହାରୁ ଋଣ ଆଣି ସଠିକ୍ ଭାବେ ପରିଶୋଧ କରୁଥିଲେ ବି ବାରମ୍ବାର ଆବେଦନ ସତ୍ତ୍ବେ ତାଙ୍କୁ ଧାନମଣ୍ଡି ଖୋଲିବାକୁ କି ସ୍କୁଲରେ ରନ୍ଧାଖାଦ୍ୟ ଯୋଗାଣ ଅନୁମତି ମିଳିଲା ନାହିଁ। ଏମିତିକି ସେମାନଙ୍କ ପ୍ରତି ପାତର ଅନ୍ତର କରାଯାଇ ଦଳୀୟ ଭିତ୍ତିରେ ଅନ୍ୟ ଗୋଷ୍ଠୀଙ୍କୁ ଏସବୁ ଦିଆଯାଉଥିବା ଅଭିଯୋଗ କରିଛନ୍ତି।

Advertisment

ରାଜ୍ୟରେ ମିଶନ ଶକ୍ତି ଜରିଆରେ ମହିଳା ସଶକ୍ତିକରଣ ନାଁରେ SHG ସଦସ୍ୟା ମାନଙ୍କୁ ମୋହରା ବନା ଯାଉଥିବା ଅଭିଯୋଗ  ଆସୁଥିବାବେଳେ ବିଭାଗୀୟ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କିନ୍ତୁ ଏହାକୁ ସିଧାସଳଖ ଖଣ୍ଡନ କରିଛନ୍ତି । ସେ କହିଛନ୍ତି- ଓଡ଼ିଶାରେ ମହିଳା ମାନେ ଏସଏଚଜି ଜରିଆରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।

SHG Groups Contractor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ