ସଂଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତ ପଲେଇ ମୃତ୍ୟୁ ମାମଲାରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ, କାରଣ ସଂପର୍କରେ ଏମିତି କହିଲା କ୍ରାଇମବ୍ରାଞ୍ଚ

ଘଟଣାଦିନ ରାତିରେ କାହିଁକି ଚକ୍ରପଡ଼ାର ସେହି ଘରକୁ ଯାଇଥିଲା ଜଗନ୍ନାଥ, ତାକୁ ନେଇ ଉପୁଜିଥିଲା ବିବାଦ । ସେହି ବିବାଦରୁ ଚିତ୍ତରଂଜନଙ୍କୁ ହତ୍ୟା କରାଯାଇଥିବା କହିଛି କ୍ରାଇମବ୍ରାଞ୍ଚ ।

Chitta Palei death Case

ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତ ପଲେଇ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର କାର୍ଯ୍ୟାନୁଷ୍ଠାନ । ହତ୍ୟା ଅଭିଯୋଗରେ ପୁର୍ବରୁ ଧରାପଡ଼ିଥିବା ଜଗନ୍ନାଥ ଷଡ଼ଙ୍ଗୀ ଓ ଅଶୋକ ଉପାଧ୍ୟାୟଙ୍କୁ ଗିରଫ କରି କ୍ରାଇମବ୍ରାଞ୍ଚ କୋର୍ଟ ଚାଲାଣ କରିଛି । ଏହି ୨ ଜଣଙ୍କ ବିରୋଧରେ ଲାଗିଛି ଦଫା ୩୦୨, ୧୨୦-B, ୨୦୧/୩୪ ଆଇପିସି ।

ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେବା ସହ କ୍ରାଇମବ୍ରାଞ୍ଚ ଡିଏସ୍‌ପି କହିଛନ୍ତି, ଚକ୍ରପଡ଼ାର ଗୋଟିଏ ପରିବାର ସହ ଜଗନ୍ନାଥ ଷଡ଼ଙ୍ଗୀଙ୍କ ଲିଙ୍କ ଥିଲା । ଏବଂ ସେହି ଘରକୁ ଯିବା ଆସିବା କରୁଥିଲେ । ଘଟଣାଦିନ ରାତିରେ କାହିଁକି ଚକ୍ରପଡ଼ାର ସେହି ଘରକୁ ଯାଇଥିଲା ଜଗନ୍ନାଥ, ତାକୁ ନେଇ ଉପୁଜିଥିଲା ବିବାଦ । ସେହି ବିବାଦରୁ ଚିତ୍ତରଂଜନଙ୍କୁ ହତ୍ୟା କରାଯାଇଥିବା କହିଛି କ୍ରାଇମବ୍ରାଞ୍ଚ ।

ତେବେ ଅଶୋକ ଉପାଧ୍ୟାୟଙ୍କ ସଂପୃକ୍ତି ନେଇ କ୍ରାଇମବ୍ରାଞ୍ଚ କୌଣସି ତଥ୍ୟ ଦେଇନି । ଏହି ଦୁଇ ଜଣଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟଙ୍କ ଅନୁମତି ମାଗିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ଆହୁରି କିଛି ଲୋକଙ୍କ ସଂପୃକ୍ତି ରହିଛି । ତାଙ୍କୁ ବି ଗିରଫ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍‌ପି । ଗତ ୧୧ ତାରିଖ ରାତିରେ ଜଗନ୍ନାଥ ଷଡ଼ଙ୍ଗୀ ସହ ଚିତ୍ତରଂଜନ ବାଇକ୍‌ରେ ଯାଇଥିଲେ । ତାପରଠୁ ନିଖୋଜ ହୋଇଯାଇଥିଲେ ଚିତ୍ତ । ଏନେଇ ସଦର ପୋଲିସ ଏକ ଅପହରଣ ମାମଲା ରୁଜୁ କରିବା ସହ ଖୋଳତାଡ଼ କରୁଥିବାବେଳେ ୧୩ ତାରିଖରେ ଚିତ୍ତଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା ନୂଆନଈର ଗଡ଼ମୃଗସିରା ବ୍ରିଜ୍ ତଳୁ । ଏହାପରେ ହତ୍ୟା ମାମଲାରେ ରୂପାନ୍ତର ହୋଇଥିଲା ଘଟଣା ଏବଂ ୧୫ ତାରିଖରେ କ୍ରାଇମବ୍ରାଞ୍ଚ ନେଇଥିଲା ଏହାର ତଦନ୍ତ ଭାର ।