ଅସୁରକ୍ଷିତ ରାଜଧାନୀର ଆପାର୍ଟମେଣ୍ଟ, ଇଞ୍ଜିନିୟରଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ନୂଆଁଖାଇ ପାଇଁ ସ୍ୱାମୀ-ସ୍ତ୍ରୀ ଘରକୁ ଯାଇଥିବା ବେଳେ କବାଟ ତାଡ଼ି ଲୁଟି ନେଇଛନ୍ତି ସୁନା ଓ ଟଙ୍କା । ଏହି ଘଟଣା ଘଟିଛି ଚନ୍ଦକା ଥାନା ଗୋଠପାଟଣାରେ ଥିବା ଆକ୍ରୋପଲିସ୍ ଆପାର୍ଟମେଣ୍ଟରେ ।

Loot

ଅସୁରକ୍ଷିତ ରାଜଧାନୀର ଆପାର୍ଟମେଣ୍ଟ । ଆତଙ୍କ ଖେଳାଇଛନ୍ତି ଲୁଟେରା । ଯେମିତି ପୋଲିସକୁ ଖାତିର ନାହିଁ । ପ୍ରତିଦିନ ଆପାର୍ଟମେଣ୍ଟରେ ପଶି ଲୁଟପାଟ୍ କରୁଛନ୍ତି । ଦିନକ ତଳେ ଜଣେ ବୈଜ୍ଞାନିକଙ୍କ ଘରୁ ୫୦ ଭରିର ସୁନା ଲୁଟିନେଥିବା ବେଳେ ଆଜି ପୁଣି ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ଘରୁ ୨୦ ଲକ୍ଷ ଟଙ୍କାର ସୁନାଗହଣା ସଫା କରିଦେଇଛନ୍ତି ।

ନୂଆଁଖାଇ ପାଇଁ ସ୍ୱାମୀ-ସ୍ତ୍ରୀ ଘରକୁ ଯାଇଥିବା ବେଳେ କବାଟ ତାଡ଼ି ଲୁଟି ନେଇଛନ୍ତି ସୁନା ଓ ଟଙ୍କା । ଏହି ଘଟଣା ଘଟିଛି ଚନ୍ଦକା ଥାନା ଗୋଠପାଟଣାରେ ଥିବା ଆକ୍ରୋପଲିସ୍ ଆପାର୍ଟମେଣ୍ଟରେ । ଲୁଟେରା ଲୁଟ୍ କରିବା ପରେ ଫ୍ରିଜରୁ ଫଳ ଓ କୋଲ୍ଡ ଡ୍ରିଙ୍କସ୍ ପିଇବା ସହ ରୋଷେଇ ଘରୁ ଡ୍ରାଏଫ୍ରୁଟ୍ ଖାଇ ଫେରାର ହୋଇଯାଇଛନ୍ତି । ଖବର ପାଇ ଚନ୍ଦକା ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ ଛାନଭିନ୍‌ ଚଳାଇଛନ୍ତି । ତେବେ ସୁରକ୍ଷାକୁ ନେଇ ଆଶଙ୍କାରେ ଆପାର୍ଟମେଣ୍ଟବାସୀ।

ଖାଲି ଆପାର୍ଟମେଣ୍ଟ ନୁହେଁ, ରାସ୍ତାଘାଟରେ ବି ବୁଲୁଛନ୍ତି ଲୁଟେରା । ଆଜି କଳିଙ୍ଗ ବିହାର ଅଞ୍ଚଳରେ ଜଣେ ବୟସ୍କ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଛନ୍ତି କଳା ପଲସର ଲୁଟେରା । ଲୁଟ୍ ସମୟର ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି । କେ-୪ ଅଞ୍ଚଳର ଜଣେ ମହିଳା ପ୍ରାତଃଭ୍ରମଣ ସାରି ଘରକୁ ଫେରୁଥିବା ବେଳେ କଳା ରଙ୍ଗର ପଲସର୍ ଗାଡ଼ିରେ ୨ ଜଣ ଦୁର୍ବୃତ୍ତ ଛକି ରହିଥିଲେ। ବାଇକ୍ ଚଲାଉଥିବା ଯୁବକ ଗାଡ଼ିକୁ ଷ୍ଟାର୍ଟରେ ରଖିଥିଲା ବେଳେ ଅନ୍ୟ ଜଣେ ଲୁଟ୍ ପାଇଁ ତୟାର ରହିଥିଲା । ମହିଳାଙ୍କୁ ଏକୁଟିଆ ଦେଖି ବେକରୁ ଚେନ୍ ଝାଙ୍କି ନେଇ ଫେରାର ହୋଇଯାଇଥିଲେ । ତମାଣ୍ଡୋ ଥାନା ପୋଲିସ ନିଜଆଡ଼ୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସୂଚନା ଅନୁସାରେ ପାର୍ବଣ ଆସିଲେ ଅଧିକ ସକ୍ରିୟ ହେଉଛନ୍ତି ଲୁଟେରା । ବିଶେଷ କରି ବରିଷ୍ଠ ନାଗରିକ ରହୁଥିବା କିମ୍ବା ତାଲା ବନ୍ଦ ଥିବା ଫ୍ଳାଟ୍ ହିଁ ରହୁଛି ଏମାନଙ୍କ ଟାର୍ଗେଟରେ । ତେବେ ଏହି ଫ୍ଲାଟ୍ ସଂପର୍କରେ କେମିତି ସୂଚନା ପାଉଛନ୍ତି ଲୁଟେରା ? କୁହାଯାଉଛି ଆପାର୍ଟମେଣ୍ଟରେ ଯେଉଁ ଭଡାଟିଆ ରହୁଛନ୍ତି ସେମାନଙ୍କ ଚିହ୍ନଟ ହେଉନି । ପୋଲିସ ପାଖରେ ରେଣ୍ଟ ଏଗ୍ରିମେଣ୍ଟ ଡିପୋଜିଟ କରାଯାଉନାହିଁ । ଫ୍ଲାଟ କିଣିଥିବା ଘର ମାଲିକ ମାସିକ ୨ ହଜାର ପର୍ଯ୍ୟନ୍ତ ସୋସିଆଇଟି ଚାର୍ଜ ଦେଉଥିବା ବେଳେ ନା କାମ କରୁଛି ସିସିଟିଭି ନା ନିୟୋଜିତ ହେଉଛନ୍ତି ସିକ୍ୟୁରିଟି ଗାର୍ଡ । ଯାହାକୁ ନେଇ ଶତାଧିକ ଫ୍ଲାଟ୍ ମାଲିକ ଏକାଠି ହୋଇ ସୁରକ୍ଷା ଦାବିରେ ଆପାର୍ଟମେଣ୍ଟ ଆଗରେ ଧାରଣା ଦେଇଛନ୍ତି।