ବଡ଼ ରେଡ୍‌ ! ଅତର ବ୍ୟବସାୟୀଙ୍କ ଘରୁ ନଗଦ ୧୫୦ କୋଟି ଜବତ ହେଲାଣି, ତଥାପି ଗଣା ସରୁନି ଟଙ୍କା

ଉତ୍ତର ପ୍ରଦେଶର ଜଣେ ଅତର ବ୍ୟବସାୟୀଙ୍କ ଘରୁ ନଗଦ ୧୫୦ କୋଟି ଟଙ୍କାରୁ ଅଧିକ ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି । ଏହା ଜିଏସଟି ଓ ଆୟକର ଅଧିକାରୀମାନେ କରିଛନ୍ତି ।

150 Crore

ନୂଆଦିଲ୍ଲୀ: ଏକାଥରକେ ୧୫୦ କୋଟି ଟଙ୍କା ନଗଦ ଜବତ । ଏତେ ଟଙ୍କା ଦେଖି ରେଡ୍‌ ପାଇଁ ଯାଇଥିବା ଅଧିକାରୀଙ୍କ ଆଖି ଟେରା ହୋଇଗଲା । ଟଙ୍କା ଦେଖି ମୁଣ୍ଡ ଗୋଲ । ଏତେ ପରିମାଣର ଟଙ୍କା କେହି ଘରେ ରଖିଥାଇପାରନ୍ତି ବୋଲି ଅଧିକାରୀଙ୍କୁ ସହଜରେ ବିଶ୍ୱାସ ହେଉନଥାଏ । ହେଲେ କଥା ଟା ସତ ।

ଉତ୍ତର ପ୍ରଦେଶର ଜଣେ ଅତର ବ୍ୟବସାୟୀଙ୍କ ଘରୁ ନଗଦ ୧୫୦ କୋଟି ଟଙ୍କାରୁ ଅଧିକ ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି । ଏହା ଜିଏସଟି ଓ ଆୟକର ଅଧିକାରୀମାନେ କରିଛନ୍ତି । ପୀୟୂଷ ଜୈନ ନାମକ ଏହି ବ୍ୟବସାୟୀ କୋଟିକୋଟି ଟଙ୍କାର ଜିଏସଟି ବା ସାମଗ୍ରୀ ଓ ସେବା କର ଫାଙ୍କିଥିବା ଅଭିଯୋଗ ରହିଥିଲା । ଏହାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ତାଙ୍କ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ କରିଥିଲା ଜିଏସଟି ଅଫିସର ଟିମ୍‌ ।

ଏହି ଚଢ଼ାଉରେ ସହଯୋଗ କରିଥିଲେ ଆୟକର ବିଭାଗର ଏକ ଟିମ୍ । ଶୁକ୍ରବାର ସକାଳ ସୁଦ୍ଧା ତାଙ୍କ ଘରୁ ୧୫୦ କୋଟି ଟଙ୍କା ମିଳିସାରିଥିବା ଜଣାପଡ଼ିଛି । ଏବେ ସୁଦ୍ଧା ଅଫିସର ଓ କର୍ମଚାରୀମାନଙ୍କର ଟଙ୍କା ଗଣିବା ସରି ନାହିଁ । ତେଣୁ ଆହୁରି ଅଧିକ ନଗଦ ଟଙ୍କା ମିଳିବା ନେଇ ଆଶଙ୍କା କରାଯାଉଛି । ଏହି ଚଢ଼ାଉରେ ଆୟକର ବିଭାଗ ପୀୟୁଷଙ୍କ ଘରୁ ନୋଟ୍‌ରେ ଭର୍ତ୍ତି ହୋଇଥିବା ଆଲମାରୀ ପାଇଥିଲା । ଆଉ ସେହି ଆଲମାରୀରେ ଏହି ଟଙ୍କା ରହିଥିଲା ।

ସୂଚନାଯୋଗ୍ୟ, ପୀୟୁଷ ଜୈନଙ୍କ ଘର, ଫ୍ୟାକ୍ଟ୍ରି, ଅଫିସ୍, କୋଲ୍ଡ ଷ୍ଟୋରେଜ୍ ଓ ପେଟ୍ରୋଲ ପମ୍ପ ଉପରେ ରେଡ୍ କରିଥିଲା ଜିଏସଟି ଇଣ୍ଟେଲିଜେନ୍ସ ମହାନିର୍ଦ୍ଦେଶାଳୟ । ଏହି ରେଡ୍ କାନପୁର, ମୁମ୍ବାଇ, କନୌଜ୍, ଗୁଜୁରାଟରେ ଥିବା ବିଭିନ୍ନ ପ୍ରତିଷ୍ଟାନ ମାନଙ୍କରେ କରାଯାଇଥିଲା । ତେବେ ଚଢ଼ାଉ ଅଧିକାରୀ ମାନେ ଫ୍ୟାକ୍ଟ୍ରି, ବ୍ୟବସାୟିକ ପ୍ରତିଷ୍ଠାନ ସବୁର ଦସ୍ତାବିଜ ଜବତ କରିଛନ୍ତି ।

ଆହୁରି ସୂଚନା ରହିଛି ଯେ, ପୀୟୁଷ ଜୈନଙ୍କର ପ୍ରାୟ ୪୦ଟି କମ୍ପାନୀ ରହିଛି । ଯେଉଁଥିରେ ଦୁଇଟି କମ୍ପାନୀ ସାଉଦୀ ଆରବରେ ରହିଛି । ଏକ ମାସ ତଳେ ସମାଜବାଦୀ ନାମକ ଏକ ଅତର ମଧ୍ୟ ଲଞ୍ଚ କରିଥିଲେ । ଏହି ଲଞ୍ଚିଂ ସମୟରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଯୋଗ ଦେଇଥିଲେ । ଏହି ସମୟରେ ସେ କହିଥିଲେ ଯେ ୨୦୨୨ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଅତର ୨୨ଟି ଫୁଲରୁ ପ୍ରସ୍ତୁତ କରାଯାଇଛି ।

ଜିଏସ୍‌ଟି ବିଭାଗର ସୂଚନା ଅନୁଯାୟୀ ଜୈନଙ୍କ ବ୍ୟାବସାୟିକ ପରିସରରୁ ଚାରିଟି ଟ୍ରକ ଜବତ କରାଯାଇଛି । ଏହି ଟ୍ରକରେ ବିନା ଇ-ୱେବିଲ୍‌ରେ ପ୍ରତ୍ୟେକ ୫୦ ହଜାର ଟଙ୍କା କରି ପ୍ରାୟ ୨୦୦ ଚାଲାଣ ରସିଦରେ ମାଲ୍‌ ଭର୍ତ୍ତି ଥିଲା । ଏସବୁ ଚାଲାଣ ଜାଲ୍ ବୋଲି ଜଣାପଡ଼ିଛି । ଜାଲ୍‌ ସଂସ୍ଥା ନାଁରେ ଇନ୍‌ଭଏସ୍‌ କଟାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବର ବିକ୍ରିକର ବ୍ୟବସ୍ଥାକୁ ରଦ୍ଦ କରି କେନ୍ଦ୍ର ସରକାର ଜିଏସଟି ପ୍ରଚଳନ କରିଥିଲେ । ସେତେବେଳେ କୁହାଯାଉଥିଲା ଯେ ଏହି ବ୍ୟବସ୍ଥା ଫଳରେ ଦେଶରେ ଆଉ କେହି ବିକ୍ରି କର ଫାଙ୍କି ପାରିବେ ନାହିଁ । ଏହା ସରଳ ବ୍ୟବସ୍ଥା ହୋଇଥିବାରୁ ବିକ୍ରି କର ପ୍ରଦାନରେ ସ୍ୱଚ୍ଛତା ରହିବ । କିନ୍ତୁ ଏହି ବ୍ୟବସ୍ଥା ପ୍ରଚଳିତ ହେବା ପରେ ସମଗ୍ର ଦେଶରେ ହଜାର ହଜାର କୋଟି ଟଙ୍କାର ଜିଏସିଟି ଦୁର୍ନୀତି ପଦାକୁ ଆସିବାରେ ଲାଗିଛି ।