ହାତୀ କଙ୍କାଳ ଠାବ ଘଟଣା: ୩ ଗିରଫ, ୩ ସସ୍‌ପେଣ୍ଡ

ହାତୀ କଙ୍କାଳ ଠାବ ଘଟଣାରେ ୩ ଗିରଫ ହୋଇଥିବାବେଳେ ୩ ସସ୍‌ପେଣ୍ଡ ହୋଇଛନ୍ତି ।

ହାତୀ କଙ୍କାଳ ଠାବ ଘଟଣା: ୩ ଗିରଫ

ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ଜିଲିଣ୍ଡା ରେଞ୍ଜରେ ଦନ୍ତାର କଙ୍କାଳ ମିଳିବା ଘଟଣାରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, କାର୍ଯ୍ୟରେ ଅବହେଳା ପାଇଁ ୨ ଫରେଷ୍ଟର ସହଦେବ ସୋରେନ ଓ ଅନୁପମା ସାହୁଙ୍କୁ ନିଲମ୍ବନ କରାଯାଇଛି ।

ଗତବର୍ଷ ଏପ୍ରିଲ ବା ମେ ମାସରେ ଶିକାରୀମାନେ ହାତୀକୁ ମାରି ଦାନ୍ତ କାଟିନେଇ ମୃତଦେହକୁ ପୋତି ଦେଇଥିବାର ତଦନ୍ତରୁ ଜାଣିବାକୁ ପାଇଛନ୍ତି ଡିଏଫ୍ଓ । ଏହାସହ ରେଞ୍ଜ ଅଫିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା ସାତକୋଶିଆ ଡିଏଫ୍ଓ କହିଛନ୍ତି । 
ଅନ୍ୟପକ୍ଷେ, ଆଜି କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ କଳାପାଟ ସଂରକ୍ଷିତ ଜଙ୍ଗଲ ଟୁଲୁକପଦା ଗାଁ ନିକଟରେ ମାଈହାତୀ ମୃତଦେହ ଠାବ କରାଯାଇଛି । 

(ମାଈହାତୀ ମୃତ ଦେହ)

ସୂଚନାଅନୁସାରେ, କିଛି ସ୍ଥାନୀୟ ଲୋକ ଛତୁ ଖୋଜିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ, ସେଠାରେ ହାତୀଟି ମରି ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଘଟଣାସ୍ଥଳରେ କେନ୍ଦୁଝର ଡିଏଫ୍ଓ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ହାତୀଟି ଗତକାଲିଠାରୁ ମରି ପଡ଼ିଥିବା ଅନୁମାନ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।