Advertisment

କାର୍‌ ଚଢ଼େଇ ମାରିଦେଲେ, ଏବେ କିଆଁ ଲୁଚିଲେ; ବିଶାଳଙ୍କୁ ଘଣ୍ଟ ଘୋଡ଼ାଉଛି କି ପୋଲିସ !

ଗୋଟିଏ ଜୀବନ ଯିବା ପରେ, ଗାଡ଼ି କାହାର ସବୁ କିଛି ସ୍ପଷ୍ଟ ହେବା ପରେ ବି କାହିଁକି ସାମ୍ନାକୁ ଆସୁନି ପୋଲିସ୍ ? କାହିଁକି ସାମ୍ନାକୁ ଆସୁନାହାନ୍ତି ଗାଡ଼ି ମାଲିକ ?

undefined

Accident

Advertisment

ଦାମୀ ମଣିଷଙ୍କ ଦାମୀ ଗାଡ଼ି ନେଇଗଲା ଜଣେ ୨୪ ବର୍ଷିୟ ଝିଅର ଜୀବନ। ୪ ଦିନ କାଳ ସଂଘର୍ଷ ପରେ ରାଜଧାନୀ ରେଞ୍ଜରୋଭର ଧକ୍କାରେ ଗୁରୁତର ଲୋପାମୁଦ୍ରାଙ୍କର ଆଜି କଟକର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି। ଅନ୍ୟ ଜଣେ କାହ୍ନୁଚରଣ ନାୟକ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଏବେ ବି ଜୀବନ ସହ ଲଢୁଛନ୍ତି। ହେଲେ ଏତେ ସତ୍ତ୍ୱେ ବି, ଗାଡ଼ି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ନିର୍ଦ୍ଦେଶକ ଥିବା ସଂସ୍ଥାର ସ୍ପଷ୍ଟ ହେବା ପରେ ବି ନା ସେ ସାମ୍ନାକୁ ଆସୁଛନ୍ତି, ନା ଏନେଇ ପୋଲିସ ମୁହଁ ଖୋଲୁଛି। ସେପଟେ କାହ୍ନୁଚରଣଙ୍କ ଚିକିତ୍ସା ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ଥିବାରୁ ଅନ୍ୟ କିଛି ଉପାୟ
ନପାଇ କ୍ରାଉଡ୍ ଫଣ୍ଡିଂର ସାହାରା ନେଇଥିବା କହିଛନ୍ତି ତାଙ୍କ ଭାଇ।

Advertisment

ବେପରୁଆ ଭାବେ ଦାମୀ ମଣିଷଙ୍କ ଦାମୀ ଗାଡ଼ି ଧକ୍କାରେ ଜଣେ ସାଧାରଣ ମଣିଷର ଜୀବନ ଯିବା ପରେ ମୃତକଙ୍କ ଭାଇର ଲୁହ ଏବଂ ବାପାର କ୍ଷୋଭ ମିଶା କୋହ ଦେଖିଲେ ଆପଣଙ୍କ ଆଖିରୁ ବି ଲୁହ ଝରି ଆସିବ। ଯେଉଁ ବାପା-ଭାଇ ବିବାହ ଯୋଗ୍ୟା ନିଜ ୨୪ ବର୍ଷିଆ ଝିଅର ବାହାଘର ପାଇଁ ପ୍ରସ୍ତୁତ ହେଉଥିଲେ, ତା ପାଇଁ କେତେ କଣ ସ୍ୱପ୍ନ ଦେଖିଥିଲେ, ସେଇ ବାପା-ଭାଇ ଆଜି ସେଇ ବଡ଼ ଲୋକଙ୍କ ଛୋଟ ହୃଦୟକୁ, ବ୍ୟବସ୍ଥାକୁ କଟାକ୍ଷ କରିଛନ୍ତି, ନ୍ୟାୟ ମାଗିଛନ୍ତି।

ମଙ୍ଗଳବାର ରାଜଧାନୀର ରାଜରାସ୍ତାରେ ରେଞ୍ଜ ରୋଭର ଧକ୍କାରେ ତିନି ଦିନ କାଳ ଜୀବନ ସହ ଯୁଝି, ଯୁଝି ଆଜି ଅକାଳରେ ଆଖି ବୁଜିଛନ୍ତି ଯାଜପୁର ବରୀ ଅଞ୍ଚଳର ଲୋପାମୁଦ୍ରା। ହେଲେ ଏତେ ସତ୍ତ୍ୱେ ବି ଝିଅର ମୃତ୍ୟୁ ପାଇଁ ଦାୟୀ ବଡ଼ ମଣିଷ ବଡ଼ ପଣିଆ ସିନା ଦେଖାଇଲେନି, ଏମାନେ କିନ୍ତୁ ମାନବିକତା ଦୃଷ୍ଟିରୁ ଝିଅ ଆଉ କାହା ଦେହରେ ବଞ୍ଚିରହୁ ଭାବି ଅଙ୍ଗଦାନ କରିବାକୁ ଚାହିଁଥିଲେ, ତାହା ବି ସମ୍ଭବ ହେଲାନି।

Advertisment

OD-23-K-0006 ନମ୍ବର ବିଶିଷ୍ଟ ଏକ ରେଞ୍ଜ ରୋଭର ଧକ୍କାରେ କଟକର ଏକ ଘରୋଇ ହସ୍ପିଟାଲରେ ଲୋପାମୁଦ୍ରାଙ୍କ ଜୀବନ ଯିବା ପରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଜୀବନ ସହ ଲଢୁଛନ୍ତି ଅବସରପ୍ରାପ୍ତ ସିଆଇଏସ୍ଏଫ୍ ଯବାନ କାହ୍ନୁଚରଣ ନାୟକ। କାହ୍ନୁଚରଣଙ୍କ ଜୀବନ ବଞ୍ଚାଇବାକୁ ଏବେ ପ୍ରଚୁର ଅର୍ଥର ଆବଶ୍ୟକତା ଥିବାରୁ, ଏଥିପାଇଁ ସେଇ ଦାମୀ ମଣିଷଙ୍କ ଉଦ୍ଦେଶ୍ୟରେ ଅନ୍ତତଃ ମାନବିକତା ଦେଖାଇବାକୁ ଅପିଲ କରିଥିଲେ ତାଙ୍କ ଭାଇ। ହେଲେ ତା ବି ନହେବାରୁ ଏବେ କ୍ରାଉଡ୍ ଫଣ୍ଡିଂ ଜରିଆରେ ଅର୍ଥ ସଂଗ୍ରହର ଉଦ୍ୟମ କରୁଥିବା ସୂଚନା ଦେବା ସହ ପୂର୍ବତନ ମନ୍ତ୍ରୀଙ୍କ ପୁଅ ସଂପୃକ୍ତ ଥିବାରୁ ପୋଲିସଠୁ କିଛି ଆଶା ନଥିବା କହିଛନ୍ତି।

ଯେତେ ଲୁଚାଇବାକୁ ଚେଷ୍ଟା କରାଗଲେ ଝାରସୁଗୁଡ଼ା ଆରଟିଓ ଏବଂ କର୍ପୋରେଟ୍ ଆଫାର୍ୟ ମନ୍ତ୍ରାଳୟ ୱେବସାଇଟର ତଥ୍ୟରୁ ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ପୂର୍ବତନ ମନ୍ତ୍ରୀ ଦିବଙ୍ଗତ ନବଦାସ ତଥା ବର୍ତ୍ତମାନର ଝାରସୁଗୁଡ଼ା ବିଧାୟକା ଦୀପାଳି ଦାସଙ୍କ ଭାଇ ବିଶାଳ ଦାସ ନିର୍ଦ୍ଦେଶକ ଥିବା ଆର୍ମର ରେ ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡର ବୋଲି ସ୍ପଷ୍ଟ ହେଲାଣି। ହେଲେ ବାରମ୍ବାର ଉଦ୍ୟମ ସତ୍ତ୍ୱେ ଏପର୍ଯ୍ୟନ୍ତ ନା ବିଶାଳ ଏନେଇ ସାମ୍ନାକୁ ଆସୁଛନ୍ତି, ନା ପୋଲିସ ମୁହଁ  ଖୋଲୁଛି। ସମ୍ବଲପୁର ଅଇଁଠାପାଲି ସ୍ଥିତ ସଂପୃକ୍ତ କଂପାନିର ଅଫିସ ବି ପ୍ରାୟ ଦେଢ଼ ବର୍ଷ ଧରି ବନ୍ଦ ଥିବା ଜଣାପଡ଼ିଛି।

Advertisment

ସବୁଠୁ ବଡ଼ କଥା ହେଉଛି ମଙ୍ଗଳବାର ଦୁର୍ଘଟଣା ଘଟାଇଥିବା ଏଇ ରେଞ୍ଜ ରୋଭରର ମାଲିକଙ୍କ ଉପରେ ଦ୍ରୁତ ଗତି ଓ ବେପରୱା ଡ୍ରାଇଭିଂ ପାଇଁ ପୂର୍ବରୁ ତିନି ତିନି ଥର ୨ ହଜାର ଟଙ୍କା ଲେଖାଏଁ ଫାଇନ ହୋଇଛି। ଦୁଇଟି ଭୁବନେଶ୍ୱର ଓ ଗୋଟିଏ ଜଗତପୁରରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ଜରିମାନା  ହୋଇଛି। ପରିବହନ ବିଭାଗର ଦସ୍ତାବିଜ୍ ଏହା ସ୍ପଷ୍ଟ କରୁଛି।

ଏଠି ପ୍ରଶ୍ନ ଉଠୁଛି, ଗୋଟିଏ ଜୀବନ ଯିବା ପରେ, ଗାଡ଼ି କାହାର ସବୁ କିଛି ସ୍ପଷ୍ଟ ହେବା ପରେ ବି କାହିଁକି ସାମ୍ନାକୁ ଆସୁନି ପୋଲିସ୍ ? କାହିଁକି ସାମ୍ନାକୁ ଆସୁନାହାନ୍ତି ଗାଡ଼ି ମାଲିକ ? ଘଟଣାରେ ଗିରଫ ହୋଇଥିବା ଗାଡ଼ି ଡ୍ରାଇଭର ସତରେ ଘଟଣା ଦିନ ଗାଡ଼ି ଚଳାଉଥିଲେ, ନା କେହି ଦ୍ୱିତୀୟ ବ୍ୟକ୍ତି ଗାଡ଼ି ଚଳାଉଥିଲେ ? ପୋଲିସ ହାତରେ ଦୁର୍ଘଟଣା ସମୟର ସିସିଟିଭି ଫୁଟେଜ୍ ହାତରେ ଲାଗିଛି ନା ନାହିଁ ? ନା ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦାମୀ ଗାଡ଼ି ପାଇଁ ସବୁ କିଛି ମାଫ୍ ?

Accident Accused Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ