ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ଘଟଣା, ରିମାଣ୍ଡରେ ଆସିଲା ଅଭିଯୁକ୍ତ ରାଜୁ

ରାଜଧାନୀ ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ହେବା ଘଟଣାରେ ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳକୁ ରିମାଣ୍ଡରେ ଆଣିଲା ପୋଲିସ । ୫ ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ୍ ପୋଲିସ ।

Sim Box

ରାଜଧାନୀ ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ହେବା ଘଟଣାରେ ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳକୁ ରିମାଣ୍ଡରେ ଆଣିଲା ପୋଲିସ । ୫ ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ୍ ପୋଲିସ । ରାଜୁ ମଣ୍ଡଳର ଆତଙ୍କୀ ଲିଙ୍କ୍ ନେଇ ଖୋଳତାଡ଼ କରାଯିବ । ମାଷ୍ଟରମାଇଣ୍ଡ ତଥା ବାଂଲାଦେଶୀ ନାଗରିକ ଆଶାଦ୍ଦୁର ଜମାନ ସମ୍ପର୍କରେ ଅଧିକ ଛାନଭିନ୍ କରିବ ପୋଲିସ ।

ଆବଶ୍ୟକସ୍ଥଳେ NIA ଓ ଇଣ୍ଟରପୋଲର ସାହାଯ୍ୟ ନିଆଯାଇପାରେ । ଆଉ କିଏ କିଏ ଏହି ସିଣ୍ଡିକେଟରେ ଅଛନ୍ତି, କେଉଁ ଦେଶରେ ଏହାକୁ ଅପରେଟ୍ କରାଯାଉଛି, କେତେ ଟଙ୍କା ଟ୍ରାଞ୍ଜାକସନ୍ ହୋଇଛି ସେନେଇ ଖୋଳତାଡ଼ ହେବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

ସେପଟେ ଗତକାଲି ଖବର ମିଳିଥିଲା ଯେ, ଭୁବନେଶ୍ୱରରେ ସିମବକ୍ସ ଥିଲା ସତ ବାଂଲାଦେଶରୁ ହେଉଥିଲା କିନ୍ତୁ ଅପରେଟ୍ । ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟରୁ ଗୁପ୍ତ ଫୋନ୍ କଲ୍ ଆଶଙ୍କା କରାଯାଉଛି । ଦିନେ-ଅଧେ ନୁହେଁ, ପ୍ରାୟ ବର୍ଷେ ହେଲା ବିଛାଯାଇଥିଲା ଅଦୃଶ୍ୟ ଅପରାଧର ଏହି ନେଟୱର୍କ । ମାଷ୍ଟରମାଇଣ୍ଡ ସାଜିଥିଲା ବାଂଲାଦେଶୀ ନାଗରିକ ଆଶାଦ୍ଦୁର ଜମାନ୍ । ଆଉ ଯାହାର ଏଜେଣ୍ଟ ସାଜିଥିଲା ପଶ୍ଚିମବଙ୍ଗର ଯୁବକ । ଯାହା ନାଁ ରାଜୁ ମଣ୍ଡଳ ।

ଗତକାଲି ସିପି କହିଥିଲେ, ଗତ ଅକ୍ଟୋବର ୨୧ରେ ବାଂଲାଦେଶରୁ ଭାରତକୁ ଏଣ୍ଟ୍ରି କରିବା ପରେ ଭୁବନେଶ୍ୱର ଆସିଥିଲା ଆଶାଦ୍ଦୁର । ଆଉ ରାଜୁ ମଣ୍ଡଳ ନାଁରେ କେଶୁରାରେ ମାସକୁ ୮ ହଜାର ଟଙ୍କାରେ ଘରଭଡ଼ା ନେଇ ସ୍ଥାପନ କରିଥିଲା ଏହି ସିମ୍‌ ବକ୍ସ ନେଟୱର୍କ । ରାଜୁର କାମ ଥିଲା ନିୟମିତ ବ୍ୟବଧାନରେ ସିମ୍ କାର୍ଡ ବଦଳାଇବା, ଆଉ ପାୱାର ସପ୍ଲାଏର ତଦାରଖ ।

ରାଜୁ ଏହି ଘରେ ରହୁନଥିଲା ସତ, କିନ୍ତୁ ସପ୍ତାହକୁ ଥରେ ଦୁଇ ଥର ପଶ୍ଚିମବଙ୍ଗରୁ ଆସୁଥିଲା ଭୁବନେଶ୍ୱର । ଯାହାକୁ ଗିରଫ କରିବା ସହ ୫ଟି ଅପରେସନାଲ ସିମ୍ ବକ୍ସକୁ ଜବତ କରିଛି ପୋଲିସ । ଯେଉଁଥିରେ ୨୫୫ଟି ସିମ୍ ଆକ୍ଟିଭ ଥିଲା । ସେହିପରି ପ୍ରାୟ ୧ ହଜାର ସିମ୍ ମିଳିଥିବାବେଳେ ତା ମଧ୍ୟରୁ ଅବ୍ୟବହୃତ ଥିଲା ୫୮ଟି ସିମ୍ ।

ଏକାଧିକ ସିମକୁ ଏକକାଳୀନ ବ୍ୟବହାର କରି କଲ୍ କରାଯାଇପାରୁଥିବା ଏକ ସ୍ୱତନ୍ତ୍ର ଡିଭାଇସ୍ ତଥା ନେଟୱର୍କ ବକ୍ସ । ଉଦାହରଣ ସ୍ୱରୂପ, ପାକିସ୍ତାନର ISD କୋଡ୍ ହେଉଛି-୯୨ । ଏହି ୯୨ ଯୁକ୍ତ ନମ୍ବରରୁ ଭାରତରେ ରହୁଥିବା ମୋବାଇଲ ୟୁଜର୍ସଙ୍କ ପାଖକୁ ଯଦି କଲ୍ ଆସେ, ତେବେ ଏହି ସିମବକ୍ସ ଜରିଆରେ ଡିକୋଡ୍ ହୋଇ ଭାରତର ISD କୋଡ୍ ୯୧ ସହ ଦୁର୍ବୃତ୍ତ ବ୍ୟବହାର କରୁଥିବା ଲୋକାଲ୍ ନମ୍ବର ସୋ’ କରିବ ।

କେବଳ ଭାରତ ନୁହେଁ, ଯେଉଁ ଦେଶରେ ସିମବକ୍ସ ଖଂଜା ଯାଇଥିବ ସେହି ରାଷ୍ଟ୍ରଗୁଡ଼ିକୁ ସ୍ଥାନୀୟ କୋଡ୍ ଅନୁଯାୟୀ ଫୋନ କଲ୍ ଯାଇପାରିବ । SMS ବି ପଠା ଯାଇପାରିବ । ଯାହା ଗୁଇନ୍ଦା ଅଧିକାରୀଙ୍କ ପକ୍ଷେ ଜାଣିପାରିବା ସହଜ ନୁହେଁ । ଭାରତରେ ସିମବକ୍ସ ବ୍ୟବହାରକୁ ନିଷେଧ କରାଯାଇଛି । ପ୍ରଶ୍ନ ଉଠୁଛି, ସିମବକ୍ସ ଜରିଆରେ ଚାଲିଥିଲା କି ଆତଙ୍କୀ କାର୍ଯ୍ୟକଳାପ ? ବର୍ତ୍ତମାନ ହିଂସାରେ ଜଳୁଛି ବାଂଲାଦେଶ । ଏଭଳି ସ୍ଥିତିରେ ବାଂଲାଦେଶୀ ମାଷ୍ଟରମାଇଣ୍ଡ ଆଶାଦ୍ଦୁରର ଏହି ସିମବକ୍ସ ଥିଓରୀର ରହସ୍ୟ କ’ଣ ? ଟେଲିଫୋନିକ କଲ୍ ଜରିଆରେ ରଚାଯାଉନଥିଲା ତ ଭାରତ ବିରୋଧୀ ଷଡ଼ଯନ୍ତ୍ର?