Quintuple Murder In Mahanga
ପୋଲିସ ରିମାଣ୍ଡରେ କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାର ଅଭିଯୁକ୍ତ ଶିବ ସାହୁ। କୋର୍ଟଙ୍କ ଅନୁମତି ପରେ ଶିବକୁ ଗତକାଲିଠାରୁ ୩ ଦିନ ପାଇଁ ମାହାଙ୍ଗା ପୋଲିସ ରିମାଣ୍ଡରେ ନେଇଛି। ଏସବୁ ଭିତରେ ଏକ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି।
ନିଜେ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଶିବ ଏହି ସୂଚନା ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ଜଣାଇଥିଲେ। ହତ୍ୟାକାଣ୍ଡ ଘଟାଇବା ପରେ ସ୍ଥାନୀୟ ବାସିନ୍ଦା ଶିବଶଙ୍କର ସାହୁଙ୍କୁ କଥା ହେବା ପାଇଁ ଶିବ ସାହୁ ଡାକିଥିଲେ। ଏହାପରେ ସେ ଏହି ହତ୍ୟାକାଣ୍ଡ ଘଟାଇଥିବା ତାଙ୍କୁ କହିଥିଲେ।
ଏନେଇ ଶିବଶଙ୍କର କହିଛନ୍ତି, ‘ଶିବ ସାହୁ ମୋ ପାଖରେ ଡ୍ରାଇଭର ଭାବରେ କାମ କରୁଥିଲା। ମଙ୍ଗଳବାର ଦିନ ଶିବ ମୋତେ ତା’ ଭଡ଼ା ଘରକୁ ଡକାଇଥିଲା। ମୁଁ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ନେଇ ତା’ ଭଡ଼ାଘର ପାଖକୁ ଯାଇଥିଲି। ସେ ଯେତେବେଳେ ୫ ଜଣଙ୍କୁ ହତ୍ୟା କରିଛି କହିଲା ମୁଁ ଛାନିଆ ହୋଇଗଲି।’
ଶିବର ଗୋଡ଼ରେ ସମସ୍ୟା ପାଇଁ ତାକୁ ମେଡିକାଲରେ ଚିକିତ୍ସା ପରେ ଜେରା କରାଯିବ ବୋଲି କଟକ ଅତିରିକ୍ତ ଏସ୍ପି ସୂଚନା ଦେଇଛନ୍ତି। ଶିବକୁ ଘଟଣାସ୍ଥଳକୁ ନେଇ କ୍ରାଇମ ସିନ ରିକ୍ରିଏସନ୍ କରାଯାଇପାରେ। ଅନ୍ୟପକ୍ଷେ, ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ ଓ ଶିବର ମୋବାଇଲ ଫୋନକୁ ପୋଲିସ ଜବତ କରିଛି।
ଅଭିଯୁକ୍ତର CDR ମଗାଯାଇଥିବା ଏବଂ ହତ୍ୟାକାଣ୍ଡରେ ପତ୍ନୀର ସମ୍ପୃକ୍ତି ଅଛି କି ନାହିଁ, ସେ ନେଇ ତଦନ୍ତ କରାଯାଉଛି। ପାରିବାରିକ ବିବାଦକୁ ନେଇ ଅଭିଯୁକ୍ତ ଶିବ ସାହୁ ନିଜ ବଡ଼ ଭାଇର ପରିବାରକୁ ସଫା କରି ଦେଇଥିଲା। ଭାଇ-ଭାଉଜ, ଦୁଇ ପୁତୁରା ଓ ଝିଆରୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲା ଶିବ। ସେ ନିଜକୁ ହତ୍ୟାକାରୀ ବୋଲି ସ୍ୱୀକାର କରିବା ସହ ଥାନାରେ ଆତ୍ମସମର୍ପଣ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us