ସିମ୍ ବକ୍ସ ମାମଲାରେ ମିଳିଲା ଚାଞ୍ଚଲ୍ୟକର ତଥ୍ୟ !! ବାଂଲାଦେଶ ଯାଇଥିଲା ରାଜୁ

ବାଂଲାଦେଶକୁ ଲମ୍ବିଛି ଭୁବନେଶ୍ୱରର ସିମ୍ ବକ୍ସ ଲିଙ୍କ୍ । ଅଭିଯୁକ୍ତ ରାଜୁ ମଣ୍ଡଳକୁ ପଚରାଉଚରା ପରେ ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

Sim Box

ବାଂଲାଦେଶକୁ ଲମ୍ବିଛି ଭୁବନେଶ୍ୱରର ସିମ୍ ବକ୍ସ ଲିଙ୍କ୍ । ଅଭିଯୁକ୍ତ ରାଜୁ ମଣ୍ଡଳକୁ ପଚରାଉଚରା ପରେ ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସିମ୍ ବକ୍ସ ମାମଲାରେ ପଚରାଉଚରା ପରେ ଆଜି ଏହି ବଡ଼ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସଞ୍ଜୀବ ପଣ୍ଡା । ଭୁବନେଶ୍ୱରରୁ କୋଲକାତା ଆଉ କୋଲକାତାରୁ ଜିନିଷପତ୍ର ନେଇ ବାଂଲାଦେଶରେ ବିକ୍ରି କରୁଥିଲା ରାଜୁ ।

ସେଠାରେ ବାଂଲାଦେଶୀ ମାଷ୍ଟରମାଇଣ୍ଡ ଅସାଦ୍ଦୁର ଜମାନ୍‌କୁ ଭେଟି ସିମ୍ ବକ୍ସ ନେଇ ଡିଲ୍ କରିଥିଲା । ଖାଲି ଏତିକି ନୁହେଁ ଆଶାଦ୍ଦୁର ଭୁବନେଶ୍ୱରକୁ ଆସିଥିଲା । ଦୁଇଟି ସିମ୍ ବକ୍ସ ବସାଇବା ପରେ ରାଜୁକୁ ଏଠାରେ ରଖି ତାକୁ ନିୟମିତ ଦରମା ପଠାଉଥିଲା । ଭୁବନେଶ୍ୱରରେ ଦୁଇଟି ସିମ୍ ବକ୍ସ ଧରାପଡ଼ିବା ପରେ ଏବେ ତୃତୀୟ ସିମ୍ ବକ୍ସ ଝାଡ଼ଖଣ୍ଡରେ ରହିଥିବା ଖବର ପାଇଛି ପୋଲିସ୍ ।

ଏନେଇ ଖୁବ୍ ଶୀଘ୍ର ଝାଡ଼ଖଣ୍ଡରେ ରେଡ୍ ହେବ ବୋଲି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଧରାପଡ଼ିଥିବା ରାଜୁ ମଣ୍ଡଳ ବାଂଲାଦେଶ ଯାଇଥିବା କହିଲେ ସିପି । ବସ୍ ଯୋଗେ ସୀମା ଡେଇଁ ବାଂଲାଦେଶ ଯାଇଥିଲା ରାଜୁ ମଣ୍ଡଳ । କୋଲକାତାରୁ ଜିନିଷପତ୍ର ନେଇ ସେ ବାଂଲାଦେଶରେ ବିକ୍ରି କରେ ।

ରାଜୁର ୩ଟି ଓ ତା ମା’ ନାଁରେ ଥିବା ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ମିଳିଛି । ଝାଡ଼ଖଣ୍ଡରେ ମଧ୍ୟ ଗୋଟିଏ ସିମ୍ ବକ୍ସ ବସାଇଥିବା ସୁରାକ ମିଳିଛି ।

ଝାଡ଼ଖଣ୍ଡରେ ଖୁବ୍ ଶୀଘ୍ର ରେଡ୍ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି । ସେପଟେ ଭୁବନେଶ୍ୱର-କଟକରୁ ସିମ୍ ବକ୍ସ ଠାବ ପରେ ଘାଣ୍ଟୁଛି ପୋଲିସ । ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ସିମ୍ ବକ୍ସ ଠାବ ସ୍ଥଳରେ ତନାଘନା କରୁଛି ପୋଲିସ । ବାଂଲାଦେଶୀ ମାଷ୍ଟରମାଇଣ୍ଡ ଅଶାଦ୍ଦୁର ଜମାନ ରହୁଥିବା ଲିଙ୍ଗରାଜ ହୋଟେଲରେ ଖୋଳତାଡ କରିଛି କମିଶନରେଟ ପୋଲିସ ।

ଲକ୍ଷ୍ମୀସାଗର ସ୍ଥିତ ହୋଟେଲ ଖୋଳତାଡ କରୁଛି ପୋଲିସ୍ । ଭୁବନେଶ୍ୱର ପରେ ଗତକାଲି କଟକ ମଧୁପାଟଣା ଥାନା ରାଜେନ୍ଦ୍ର ନଗର ଅଞ୍ଚଳର ଏକ ଭଡ଼ା ଘରୁ ସିମ ବକ୍ସ ଠାବ ହୋଇଥିଲା । ଗତ ୨୦୨୩ ଡିସେମ୍ବରରୁ ରାଜୁ ମଣ୍ଡଳ ମଧୁପାଟଣାରେ ଭଡ଼ା ଘର ନେଇଥିଲା । ଲୁଗା ବ୍ୟବସାୟ କରିବାକୁ କହି ସେ ଭଡ଼ା ନେଇଥିଲା ବୋଲି ଜଣାପଡ଼ିଛି।

ଆଉ ମାସକୁ ମାସ ଫୋନ୍ ପେ' ମାଧ୍ୟମରେ ୮ ହଜାର ଟଙ୍କା ଭଡ଼ା ପଠାଉଥିଲା । ସେହି ଘରେ ହିଁ ଅଶଦ୍ଦୁର ସିମ୍ ବକ୍ସ ଲଗାଇଥିଲା । ଯେଉଁଠୁ ଏକକାଳୀନ ୫ଟି ସିମବକ୍ସ ଜବତ କରିଛି କମିଶନରେଟ୍ ପୋଲିସ । ସେହିପରି ୨୩୬ଟି ଆକ୍ଟିଭ୍ ସିମ୍ ସମେତ ମୋଟ୍ ୫୪୬ଟି ସିମ୍ ବି ଜବତ ହୋଇଛି । ଏବେ ଆସନ୍ତୁ ଜାଣିବା କେମିତି ସିମ୍ ବକ୍ସ କାମ କରୁଥିଲା ।

ସିମ୍ ବକ୍ସ ଡିଭାଇସ ବ୍ୟବହାର କରାଯାଇ ବିଦେଶୀ ଇଣ୍ଟନରେଟ କଲକୁ ଲୋକାଲ କଲରେ ପରିଣତ କରାଯାଇପାରେ । ଏଇ ଡିଭାଇସରୁ ବିଶ୍ୱର ଯେ କୌଣସି ସ୍ଥାନକୁ କଲ୍ ଓ ଗ୍ରୁପ୍ ମେସେଜ୍ ମଧ୍ୟ କରାଯାଇପାରିବ । ହେଲେ କଲ୍ କେଉଁଠୁ ଯାଉଛି ଏବଂ ତାହା ବିଦେଶୀ କଲ୍ ବୋଲି ରିସିଭରଙ୍କୁ ଜଣାପଡ଼ିନଥାଏ । ବିଶେଷଜ୍ଞଙ୍କ ମତରେ ସିମ୍ ବକ୍ସ ବ୍ୟବହାର କରି ଆତଙ୍କବାଦୀ ନେଟୱାର୍କ ପରିଚାଳନା, ସାଇବର୍ ଫ୍ରଡ୍ ଏବଂ ବିଦେଶକୁ ଗୁପ୍ତ ତଥ୍ୟ ପ୍ରଦାନ ଭଳି ସାଂଘାତିକ ଅପରାଧ ଘଟାଯାଇପାରେ ।