Astrospeak
  • Live TV
  • Read In English

ଖୋଲୁଛି ରିସିକିଆ ନକଲି ଡାକ୍ତରର ଗୁମର, ୧୮ଟି ବିବାହ ପଛରେ ସେ ଏକା ନଥିଲା..

୧୮ ଜଣ ମହିଳାଙ୍କୁ ବାହା ହେବା ସହିତ ଠକେଇ କରିଥିବା ଏହି ନକଲି ଡାକ୍ତର ରମେଶ ସ୍ୱାଇଁଙ୍କୁ ସହଯୋଗ କରୁଥିଲେ ତାର ପରିବାର ଲୋକ । ବିଶେଷ କରି ଭଉଣୀ ସହାୟତା କରୁଥିବା ପୋଲିସ ଜାଣିବାକୁ ପାଇଛି ।

Fake Doctor
Fake Doctor

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ରସିକିଆ ଡାକ୍ତର ରମେଶ ସ୍ୱାଇଁ ବିଷୟରେ ପୋଲିସ ଯେତିକି ତଦନ୍ତ କରୁଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ପୋଲିସ ଯେତିକି ତଦନ୍ତରେ ଯେତିକି ଆଗୋଉଛି, ରମେଶର କଳା ସାମ୍ରାଜ୍ୟର ଗୁମର ସେତିକି ଫିଟୁଛି । ଏହି ସବୁ ଠକେଇ ଓ ଲୁଟ୍‌ ପଛରେ ରମେଶ ଏକା ନଥିଲା, ଏହା ପଛରେ ତାର ପୁରା ପରିବାର ସହଯୋଗ କରୁଥିଲା ।

୧୮ ଜଣ ମହିଳାଙ୍କୁ ବାହା ହେବା ସହିତ ଠକେଇ କରିଥିବା ଏହି ନକଲି ଡାକ୍ତର ରମେଶ ସ୍ୱାଇଁଙ୍କୁ ସହଯୋଗ କରୁଥିଲେ ତାର ପରିବାର ଲୋକ । ବିଶେଷ କରି ଭଉଣୀ ସହାୟତା କରୁଥିବା ପୋଲିସ ଜାଣିବାକୁ ପାଇଛି । କେନ୍ଦ୍ରାପଡ଼ା ଈଶ୍ୱରପୁରରେ ଚଢ଼ାଉ କରି ରମେଶ ସ୍ୱାଇଁର ଭଉଣୀଙ୍କୁ ଉଠାଇ ଆଣିଛି କମିଶନରେଟ ପୋଲିସ । ତାଙ୍କ ନାଁ ରଶ୍ମିତା ବେଉରା । ଯେତେ ଥର ବାହା ହୋଇ ମହିଳାଙ୍କୁ ରମେଶ ଟଙ୍କା ଓ ଅଳଙ୍କାର ଠକି ଆଣୁଥିଲା, ସେଥିରେ ରହୁଥିଲା ଭଉଣୀ ରଶ୍ମିତାଙ୍କ ଭାଗ ।

ଜଣେ ପୀଡ଼ିତା ଏ ସଂପର୍କରେ ଅଭିଯୋଗ କରିବା ପରେ ପୋଲିସ ରଶ୍ମିତାଙ୍କୁ ଉଠାଇ ଆଣି ଭୁବନେଶ୍ୱରର ଏକ ସ୍ଥାନରେ ଜେରା କରୁଥିବା ଜଣାପଡ଼ିଛି । ଏବେ ପରିବାରର ଅନ୍ୟ ସଦସ୍ୟ ଫେରାର ଅଛନ୍ତି ।

ଅନ୍ୟପଟେ ରମେଶ ନକଲି ଔଷଧ କାରବାର କରୁଥିବା ଲିଙ୍କ ମଧ୍ୟ ପାଇଛି ପୋଲିସ । ଜଣେ ଡ୍ରାଇଭରଙ୍କ ଅଭିଯୋଗ ଅନୁୟାୟୀ ରମେଶ ତାଙ୍କଠାରୁ ୬୦ ହଜାର ଟଙ୍କା ଠକି ନେଇଥିଲେ । ତେବେ ୩୦ ହଜାର ଟଙ୍କା ଫେରାଇ, ପରେ ବଳାକା ଟଙ୍କାର ନକଲି ମେଡିସିନ୍ ଦେଇଥିବା ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ନକଲି ଡାକ୍ତରଙ୍କ ବିରୋଧରେ ଅଧିକ ତଦନ୍ତ ଲାଗି ପୋଲିସ କେନ୍ଦ୍ରାପଡ଼ା, ପାରାଦୀପ ଓ ଢେଙ୍କାନାଳ ଯାଇ ତଦନ୍ତ କରିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ବର୍ତ୍ତମାନ ନକିଲି ଡାକ୍ତର ୫ ଦିନିଆ ରିମାଣ୍ଡରେ ରହିଛନ୍ତି ।

ଖାଲି ସେତିକି ନୁହେଁ, ରସିକିଆ ନକଲି ଡାକ୍ତରଠାରୁ ୨ଟି ଗାଡ଼ି ଠାବ କରିଛି ପୋଲିସ । ଖଣ୍ଡଗିରି ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ପୋଲିସ ରେଡ୍ ମଧ୍ୟ କରିଛି । ଗିରଫ ହେବା ପୂର୍ବରୁ ଉକ୍ତ ଆପାର୍ଟମେଣ୍ଟରେ ରହୁଥିଲା ରେମଶ । ୧୮ ଜଣଙ୍କୁ ବାହା ହୋଇ ଧରାପଡ଼ିବା ପରେ ଚର୍ଚ୍ଚାରେ ଅଛି ଏହି ରସିକିଆ ଡାକ୍ତର ।