କନ୍ନୌଜର କୁବେର ପୀୟୂଷ ଜୈନଙ୍କ ଲାଇଫ୍‌ ଷ୍ଟାଇଲ ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ନିଜ କେମିଷ୍ଟ୍ ବାପା ମହେଶ ଚନ୍ଦ୍ର ଜୈନଙ୍କ ଠାରୁ ଅତର ସହିତ ପାନମସଲା ଓ ଅନ୍ୟ ଖାଦ୍ୟଦ୍ରବ୍ୟରେ ବ୍ୟବହୃତ ଏସେନ୍ସ ତିଆରି ଶିଖି, ୧୫ ବର୍ଷ ତଳେ ଓଡୋକେମ୍ ଇଣ୍ଡଷ୍ଟ୍ରିଜ୍ ପ୍ରତିଷ୍ଠା କରିଥିଲେ ପୀୟୂଷ ।

Piyush Jain

୧୪ ଦିନିଆ ବିଚାର ବିଭାଗୀୟ ହାଜତରେ କନ୍ନୌଜର କୁବେର ପୀୟୂଷ ଜୈନ । ଉତ୍ତରପ୍ରଦେଶ କାନପୁରରେ ରହୁଥିବା ଏହି ଅତର ବ୍ୟବସାୟୀ ଟ୍ୟାକ୍ସ ଚୋରି ଅଭିଯୋଗରେ ଗିରଫ ହୋଇଥିବା ବେଳେ, ଜିଏସ୍‌ଟି ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି । ସେପଟେ ୨୮୪ କୋଟିର ଏହି ଅମାପ ସଂପତ୍ତିର ମାଲିକ ପଡ଼ୋଶୀଙ୍କ ସନ୍ଦେହ ଦୃଷ୍ଟିରୁ ବର୍ତ୍ତିବାକୁ କିଭଳି ଫନ୍ଦି ଆପଣେଇଥିଲେ, ତାର ଗୁମର ବି ପଦାକୁ ଆସୁଛି କୁହାଯାଉଛି । କାଳେ ପଡ଼ୋଶୀଙ୍କୁ କଳାଧନ ନେଇ ସନ୍ଦେହ ହେବ, ସେଥିପାଇଁ ଏହି ଅତର କୁବେର ଚଲାଉଥିଲେ ଏକ ପୁରୁଣା ସ୍କୁଟର୍ । ଆଉ ରଖିଥିଲେ ଦୁଇଟି ପୁରୁଣା କାର୍ ।

ଘରେ ପଡ଼ିରହିଥିଲା କୋଟି କୋଟି ଟଙ୍କାର କଳାଧନ । ଟଙ୍କା ଗଦିରେ ଶୋଇବା ପାଇଁ ଥିଲା ସାମର୍ଥ୍ୟ । ଚାହିଁଥିଲେ ଚଢ଼ିପାରିଥାନ୍ତା ନାମୀଦାମୀ ବ୍ରାଣ୍ଡର ହାଇଫାଇ ଗାଡ଼ି । କିନ୍ତୁ ନା.. ସେମିତି ହେଲେ ପଡ଼ୋଶୀଙ୍କ ସନ୍ଦେହ ହୋଇଥାନ୍ତା । ତେଣୁ ଖଣ୍ଡେ ପୁରୁଣା ବଜାଜ୍ ସ୍କୁଟର ଚଢ଼ି ବୁଲୁଥିଲେ ଅମାପ କଳା ସଂପତ୍ତିର ମାଲିକ ପୀୟୂଷ ଜୈନ । ଉତ୍ତରପ୍ରଦେଶ କାନପୁର ଓ କନ୍ନୌଜରେ ଜଣେ ପ୍ରତିଷ୍ଠିତ ଅତର ବ୍ୟବସାୟୀ ହେବା ସତ୍ତ୍ୱେ, ତାଙ୍କର ସାଧାସିଧା ବେଶଭୂଷା ଓ ଜୀବନ ଶୈଳୀର ରାଜ୍, GST ରେଡ୍ ପରେ ସାମ୍ନାକୁ ଆସିଛି ।

ଏବେ ପଡ଼ୋଶୀ ବି ତାଜୁବ୍, କାନପୁର ଓ କନ୍ନୌଜବାସୀ ବି ହତବାକ୍ । କୁହାଯାଉଛି, ପୀୟୂଷ ପୁରୁଣା ସ୍କୁଟର୍ ଚଳାଉଥିଲେ, ୨ଟି ପୁରୁଣା କାର୍ ରଖିଥିଲେ । ଅଧିକାଂଶ ସମୟ ଚପଲ ଓ କୁର୍ତ୍ତା ପାଇଜାମାରେ ବୁଲୁଥିଲେ । କେବଳ ୨ ଜଣ ଓ୍ୱାଚ୍‌ମ୍ୟାନ୍‌କୁ ଛାଡ଼ି ଘରେ ଗୋଟିଏ ବି ଚାକର ରଖିନଥିଲେ ପୀୟୂଷ । କୌଣସି ଓ୍ୱାଚ୍‌ମ୍ୟାନକୁ ଘର ଭିତରକୁ ଯିବାକୁ ଅନୁମତି ନଥିଲା । ସେମାନଙ୍କୁ ପ୍ରତି ଦେଢ଼ ବର୍ଷରେ ବଦଳାଯାଉଥିଲା ।

ଗତ ବୁଧବାର ଘର ଭିତରକୁ ଯାଇଥିଲା ୨ ଗଣ୍ଡା ଟଙ୍କା ଗଣା ମେସିନ୍ । ଆଜି ବାହାରିଲା ଛଅ-ଛଅଟି ଟଙ୍କା ଓ ସୁନା ଭର୍ତ୍ତି ବଡ଼ ବଡ଼ ଷ୍ଟିଲ୍ ଟ୍ରଙ୍କ୍ । ଗୋଟିଏ ଗୋଟିଏ ଟ୍ରଙ୍କ୍ ବୋହିବାକୁ ଲାଗିଥିଲେ ୫-୬ଜଣ ଲୋକ । ଗତ ୨୨ ତାରିଖରୁ ପୀୟୂଷଙ୍କ କାନପୁର ଓ କନ୍ନୌଜ ସ୍ଥିତ ୩ଟି ଘର ଏବଂ ଅତର ଫ୍ୟାକ୍ଟ୍ରିରେ ଚାଲିଥିବା ରେଡ୍‌ । ୧୯୪ କୋଟି ୪୫ ଲକ୍ଷ ଟଙ୍କା କ୍ୟାଶ୍, ୨୩ କିଲୋ ସୁନା ଇଟା ଏବଂ ୬ କୁଇଣ୍ଟାଲ ଚନ୍ଦନ କାଠ ଜବତ ହୋଇଛି ।

ପୀୟୂଷଙ୍କ କନ୍ନୌଜ ସ୍ଥିତ ପୈତୃକ ବାସଭବନରେ ଥିଲା ୧୮ ଲକର୍ ଓ ୫ ଶହ ଚାବି । ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଇନ୍‌ଡାଇରେକ୍ଟ ଟାକ୍ସେସ୍ ଆଣ୍ଡ୍ କଷ୍ଟମ୍‌ସ- CBIC ଦ୍ୱାରା ଏହା ଏଯାଏଁ ସବୁଠୁ ବଡ଼ ସିଜର୍ ବୋଲି କହିଛି ଡାଇରେକ୍ଟରେଟ୍ ଜେନେରାଲ୍ ଅଫ୍ ଜିଏସ୍ଟି ଇଣ୍ଟଲିଜେନ୍ସ- DGGI । ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ପୀୟୂଷକୁ CGST ଧାରା ୬୭ ଅଧୀନରେ ଗିରଫ କରାଯାଇଥିବା ବେଳେ, ଗତକାଲି ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କାନପୁର କୋର୍ଟ ।

ନିଜ କେମିଷ୍ଟ୍ ବାପା ମହେଶ ଚନ୍ଦ୍ର ଜୈନଙ୍କ ଠାରୁ ଅତର ସହିତ ପାନମସଲା ଓ ଅନ୍ୟ ଖାଦ୍ୟଦ୍ରବ୍ୟରେ ବ୍ୟବହୃତ ଏସେନ୍ସ ତିଆରି ଶିଖି, ୧୫ ବର୍ଷ ତଳେ ଓଡୋକେମ୍ ଇଣ୍ଡଷ୍ଟ୍ରିଜ୍ ପ୍ରତିଷ୍ଠା କରିଥିଲେ ପୀୟୂଷ । ତିଆରି କରୁଥିଲେ ଅତର ଓ ଶିଖର ପାନମସାଲା କନ୍ନୌଜ ଓ କାନପୁର ସହ ଦିଲ୍ଲୀ, ମୁମ୍ବାଇ, ଏପରିକି ଦୁବାଇକୁ ବି ଲମ୍ବିଥିଲା ବ୍ୟବସାୟ । ତେବେ ଏହି ୫ କୋଟି ଟଙ୍କା କଂପାନୀର ମାଲିକ ଜାଲ୍ ବିଲ୍‌ରେ ସାମଗ୍ରୀ କଣି ପ୍ରାୟ ୪୦ ଗୁଣ ଅଧିକ ସଂପତ୍ତି ଜମା କରିବାରେ ସଫଳ ହୋଇଥିବା କୁହାଯାଉଛି । ସବୁକିଛି ଠିକ୍ ଠାକ୍ ଚାଲିଥିଲା । ତେବେ ଅହମ୍ମଦାବାଦ DGGI ୪ଟି ଟ୍ରକ୍‌କୁ ଜବତ କରି ସେଥିରୁ ଜାଲ୍ କଂପାନୀ ନାଁରେ ବିଲ୍ ହୋଇଥିବା ଜାଣିବା ପରେ, ଖୋଲିଯାଇଥିଲା ଏହି କୁବେରଙ୍କ ଗୁମର ।

ସେପଟେ ପୀୟୂଷ ଜୈନଙ୍କ ଘରେ ରେଡ୍ ଓ ଏତେ ବିପୁଳ ଟଙ୍କା ଜବତକୁ ନେଇ ସରଗରମ ହୋଇଛି ଉତ୍ତରପ୍ରଦେଶ ରାଜନୀତି । ପୀୟୂଷଙ୍କ ଫ୍ୟାକ୍ଟ୍ରିରେ ପୂର୍ବରୁ ସମାଜବାଦୀ ପାର୍ଟି ନାଁରେ ଅତର ତିଆରି ହୋଇଥିବା ଚର୍ଚ୍ଚାକୁ ଆସିବା ପରେ ତାଙ୍କର ସପା ସହ ଲିଙ୍କ୍ ଥିବା ଅଭିଯୋଗ ହେଉଛି । ଆଜି କାନପୁର ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗକୁ ନେଇ ଟାର୍ଗେଟ୍ କରିଥିବା ବେଳେ, ସୁଲତାନପୁର ରାଲିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବି ନିଶାନା ସାଧିଛନ୍ତି ସମାଜବାଦୀ ପାର୍ଟି ଉପରେ । ଅନ୍ୟପକ୍ଷରେ ସପା ମୁଖ୍ୟ ଅଖିଳେଶ ଯାଦବ ଏହି ଘଟଣାକୁ ନୋଟ୍‌ବନ୍ଦୀର ବିଫଳତା ବୋଲି କହିଛନ୍ତି ।