Astrospeak
  • Live TV
  • Read In English

Terror Attack in Pahalgam: ଶହୀଦ ହୋଇଗଲେ ନୌସେନା ଅଧିକାରୀ, ତିନି ଦିନ ପୂର୍ବରୁ ହୋଇଥିଲା ବିବାହ...

ମହାରାଷ୍ଟ୍ରର ପୁଣେରୁ ପହଲଗାମ ବୁଲିବାକୁ ଆସିଥିଲେ ଆଶାବରୀ । ଆଶାବରୀଙ୍କ କହିବା ଅନୁଯାୟୀ, ଆତଙ୍କୀମାନେ ସ୍ଥାନୀୟ ପୋଲିସ ବର୍ଦ୍ଦିରେ ଥିଲେ ଏବଂ ମାସ୍କ ପିନ୍ଧିଥିଲେ । ଆତଙ୍କୀମାନେ କେବଳ ପୁରୁଷମାନଙ୍କୁ ଟାର୍ଗେଟ କରିଥିଲେ । ବିଶେଷକରି ହିନ୍ଦୁମାନଙ୍କୁ ଜବରଦସ୍ତ କଲମା ପଢାଇବାକୁ ଚେଷ୍ଟା କରୁଥିଲେ । ଯେଉଁମାନେ; ପଢି ପାରୁ ନ ଥିଲେ ସେମାନଙ୍କୁ ଗୁଳି ମାରୁଥିଲେ ।

ଆତଙ୍କୀ ହମଲା ପରେ
ଆତଙ୍କୀ ହମଲା ପରେ

ଧର୍ମ ନାଁରେ ରକ୍ତର ହୋଲି ଖେଳିଲେ ଆତଙ୍କୀ । କିଏ ଘୋଡା ସବାରର ଆନନ୍ଦ ନେଉଥିଲା, କିଏ ଗୁପଚୁପ ଖାଉଥିଲା । କିଏ ଘାଟିର ଥଣ୍ଡା ଥଣ୍ଡା ପବନ ଉପଭୋଗ କରୁ କରୁ ପ୍ରକୃତିର ନୈସର୍ଗିକ ସୌନ୍ଦର୍ଯ୍ୟରେ ହଜି ଯାଇଥିଲା । କେହି ଜାଣି ନ ଥିଲେ ଅଚାନକ ଏଢ଼ିତି ମୃତ୍ୟଦୂତ ଆସି ପହଞ୍ଚି ଯିବ ବୋଲି ? କାହାକୁ ନାଁ ପଚାରିଲେ, କାହାକୁ ଧର୍ମ ପଚାରିଲେ ପୁଣି କାହାକୁ କଲାମ ପଢିବାକୁ କହିଲେ । ଆଉ ତା’ପରେ ଆଖିବୁଜା ଗୁଳି ଚଳାଇଦେଲେ । ବର୍ବରତାର ସୀମା ଅତିକ୍ରମ କରିଥିଲେ ଏହି ଧର୍ମାନ୍ଧ ଆତଙ୍କୀ । ମଙ୍ଗଳବାର ଦିନ ଦ୍ୱିପହରେ ଜମ୍ମୁକଶ୍ମୀରରେ ରଚିଲେ ନରସଂହାର ।

ପହଲଗାମ ହିଲ ଷ୍ଟେସନରୁ ପ୍ରାୟ ୫ କିଲୋମିଟର ଦୂର ବେସରନ ଘାଟିରେ ଏହି ଆକ୍ରମଣ ହୋଇଛି । ଆତଙ୍କୀଙ୍କ ମୁଖ୍ୟ ଟାର୍ଗେଟ ଥିଲେ ପର୍ଯ୍ୟଟକ । ଆକ୍ରମଣରେ ପ୍ରାୟ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରେ ୨ ବିଦେଶ ପର୍ଯ୍ୟଟକ ଏବଂ ଦୁଇଜଣ ସ୍ଥାନୀୟ ଲୋକ ଅଛନ୍ତି । ଏଥିରେ ବାଲେଶ୍ୱରର ପ୍ରଶାନ୍ତ ଶତପଥୀଙ୍କର ମୃତ୍ୟୁ ଘଟିଛି । ଏହି ଆକ୍ରମଣ ଘଟଣା ପାଇଁ ଲସ୍କର ଇ ତୋଇବା ଓ ଜୈଶ-ଇ ମହମ୍ମଦ ପରି ଆତଙ୍କୀ ସଂଗଠନକୁ ନେଇ ଗଠିତ ‘ଦ ରେଜିଷ୍ଟ୍ରେନ୍ସ ଫ୍ରଣ୍ଟ’ ବା ଟିଆରଏଫ ନିଜକୁ ଦାୟୀ କରିଛନ୍ତି ।

ଗୁଇନ୍ଦା ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏହି ଘଟଣାରେ ୬ ଜଣ ଆତଙ୍କୀ ସାମିଲ ଥିଲେ । ଏମାନଙ୍କ ପାଖରେ ଏକେ-୪୭ ପରି ରାଇଫଲ ଥିଲା । ଏଥିସହିତ ପରସ୍ପର ମଧ୍ୟରେ ଯୋଗାଯୋଗ ରଖିବା ପାଇଁ ଅତ୍ୟାଧୁନିକ ଉପକରଣ ମଧ୍ୟ ଥିଲା । ଆତଙ୍କୀମାନେ ପୂର୍ବରୁ ଏହି ଅଞ୍ଚଳକୁ ଭଲଭାବେ ଅନୁଧ୍ୟାନ କରିଥିଲେ । ସେମାନେ ଜାଣିଥିଲେ,ଏହି ଅଞ୍ଚଳରେ ପୋଲିସ ଏବଂ ସୁରକ୍ଷା କର୍ମୀଙ୍କ ଉପସ୍ଥିତି କମ । କାରଣ ଏହି ଇଲାକାରେ ସବୁବେଳେ ପର୍ଯ୍ୟଟକଙ୍କ ଭିଡ ଥାଏ । ସବୁଠାରୁ ବଡ କଥା ହେଲା, ଏହି ଇଲାକାରେ କେବେ ବି ଏପରି ଆତଙ୍କୀ ଆକ୍ରମଣ ହୋଇ ନ ଥିଲା ।

ପୋଲିସ ବର୍ଦ୍ଦିରେ ଥିଲେ ଆତଙ୍କୀ

ମହାରାଷ୍ଟ୍ରର ପୁଣେରୁ ପହଲଗାମ ବୁଲିବାକୁ ଆସିଥିଲେ ଆଶାବରୀ । ଆଶାବରୀଙ୍କ କହିବା ଅନୁଯାୟୀ, ଆତଙ୍କୀମାନେ ସ୍ଥାନୀୟ ପୋଲିସ ବର୍ଦ୍ଦିରେ ଥିଲେ ଏବଂ ମାସ୍କ ପିନ୍ଧିଥିଲେ । ଆତଙ୍କୀମାନେ କେବଳ ପୁରୁଷମାନଙ୍କୁ ଟାର୍ଗେଟ କରିଥିଲେ । ବିଶେଷକରି ହିନ୍ଦୁମାନଙ୍କୁ ଜବରଦସ୍ତ କଲମା ପଢାଇବାକୁ ଚେଷ୍ଟା କରୁଥିଲେ । ଯେଉଁମାନେ; ପଢି ପାରୁ ନ ଥିଲେ ସେମାନଙ୍କୁ ଗୁଳି ମାରୁଥିଲେ ।

କଲମା ପଢିବାକୁ ବାଧ୍ୟ କଲେ

ଆଶାବରୀଙ୍କ ସାମ୍ନାରେ ତାଙ୍କ ବାପାଙ୍କୁ ତିନି ରାଉଣ୍ଡ ଗୁଳି ମାରିଲେ । ତାଙ୍କ ଚାଚାଙ୍କୁ ବି ଗୁଳି ମାରିଲେ । ଭୟରେ କିଛି ଲୋକ ଟେଣ୍ଡ ପଛପଟେ ଲୁଚି ଯାଇଥିଲେ । ଯେଉଁମାନେ ଲୋକାଲ ଲୋକ ଥିଲେ ସେମାନଙ୍କୁ ଧମକଚମକ ଦେଲେ । କଲମା ପଢିବାକୁ କହିଲେ । କିଛି ଲୋକ ଭୟରେ କଲମା ପଢିବାକୁ ଲାଗିଲେ । କିଛି ଲୋକ ଘୋଡା ସବାରୀ କରୁଥିଲେ । ସେମାନେ ଘୋଡାରେ ସେହି ସ୍ଥାନରୁ ଦୌଡି ପଳାଇଥିଲେ ।

କର୍ଣ୍ଣାଟକର ଶିବମୋଗାର ମଞ୍ଜନାଥ ପତ୍ନୀ ପଲ୍ଲବୀ ଓ ଛୋଟ ପୁଅକୁ ନେଇ ପହଲଗାମ ବୁଲିବାକୁ ଯାଇଥିଲେ । ଆତଙ୍କୀଙ୍କ ଗୁଳିରେ ଟଳି ପଡିଥିଲେ ମଞ୍ଜୁନାଥ । ଆଖି ସାମ୍ନାରେ ସ୍ୱାମୀଙ୍କ ମୃତ୍ୟୁକୁ ଦେଖି ବିକଳ ହୋଇ ପଲ୍ଲବୀ କହୁଥିଲେ, ‘ମୋ ସ୍ୱାମୀଙ୍କୁ ତ ମାରିଲ, ମୋତେ ବି ମାରିଦିଅ ।’ ଆତଙ୍କୀମାନେ ତାଙ୍କୁ କହିଥିଲେ, ‘ତୁମକୁ ମାରିବୁନି । ଯାଅ, ମୋଦିଙ୍କୁ କହିଦେବ ।’

ଏହି ଘଟଣା ପରେ ସେନାବାହିନୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକ ମଧ୍ୟ ସହାୟତାର ହାତ ବଢାଇଥିଲେ ।

ନାଭି ଅଫିସର ସହୀଦ; ତିନି ଦିନ ପୂର୍ବରୁ ହୋଇଥିଲା ବିବାହ

ପହଲଗାମ ଆତଙ୍କୀ ଆକ୍ରମଣରେ ଭାରତୀୟ ନୌସେନାର ଜଣେ ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କର ମୃତ୍ୟୁ ଘଟିଛି । ଏପ୍ରିଲ ୧୯ ତାରିଖରେ ତାଙ୍କର ବିବାହ ହୋଇଥିଲା । ପତ୍ନୀଙ୍କ ସହ ସେ ହନିମୁନ ପାଇଁ ଆସିଥିଲେ । ନାଭି ଅଫିସର ନରୱାଲ କୋଚିରେ ମୁତୟନ ଥିଲେ । ନରୱାଲ ହରିଆଣାର ବାସିନ୍ଦା ଥିଲେ । ୨ ବର୍ଷ ତଳେ ସେନାରେ ସାମିଲ ହୋଇଥିଲେ । ସୋମବାର ଶ୍ରୀନଗର ବୁଲିବା ପରେ ପହଲଗାମ ଆସିଥିଲେ ।

ମାଷ୍ଟରମାଇଣ୍ଡ ସୈଫୁଲ୍ଲାହ ଖାଲିଦ..ବିଳାସପୂର୍ଣ୍ଣ ଜୀବନ ପାଇଁ ନରସଂହାର

ଆତଙ୍କୀ ସଂଗଠନ ‘‘ଦ ରେଜିଷ୍ଟ୍ରେନ୍ସ ଫ୍ରଣ୍ଟ’ ବା ଟିଆରଏଫ ପହଲଗାମ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ମିଳିଥିବା ଖବରରୁ ଜଣାଯାଏ ଜମ୍ମୁ-କଶ୍ମୀରରେ ଲସ୍କର ଏବଂ ଟିଆରଏଫ ଆତଙ୍କୀ ସଂଗଠନର ଏହି କାର୍ଯ୍ୟକଳାପ ପଛରେ ଦୁର୍ଦ୍ଦାନ୍ତ ଆତଙ୍କୀ ସୈଫୁଲ୍ଲାହ ଖାଲିଦର ହାତ ଅଛି । ସେ ହିଁ ଏହି ଆକ୍ରମଣର ମାଷ୍ଟର ମାଇଣ୍ଡ । ସେ ଲସ୍କରର ଡେପୁଟି ଚିଫ । ଭାରତର ସବୁଠାରୁ ବଡ ଶତ୍ରୁ ହାଫିଜ ସଇଦର ଖୁବ ନିକଟତର ଅଟେ ସୈଫୁଲ୍ଲାହ । ଭାରତରେ ହୋଇଥିବା ଅନେକ ବଡ ବଡ ଆତଙ୍କୀ ଆକ୍ରମଣରେ ସୈଫୁଲ୍ଲାହାର ହାତ ଥିବା ପ୍ରମାଣ ରହିଛି ।

ସୈଫୁଲ୍ଲାହ ଉପରେ ପୁଷ୍ପବୃଷ୍ଟି କରନ୍ତି ପାକ ସେନା ଅଧିକାରୀ

ଖୁବ ବିଳାସପୂର୍ଣ୍ଣ ଜୀବନ ବିତାଉଛି ସୈଫୁଲ୍ଲାହ । ଦାମୀ ଲଗ୍ଜୁରୀ କାରରେ ସବୁବେଳେ ଯିବା ଆସିବା କରେ ସୈଫୁଲ୍ଲାହ । ତାର ସୁରକ୍ଷା ପାଇଁ ଲସ୍କର ଆତଙ୍କୀ ଅତ୍ୟାଧୁନିକ ହତିଆର ଧରି ଜଗିଥାନ୍ତି । ସେଫୁଲ୍ଲାହ ପାକ ସେନାଙ୍କୁ ଉସକାଇବା ପରି କାମ କରିଥାଏ । ସେଥିପାଇଁ ପାକ ସେନା ଅଫିସର ତାର ପ୍ରଶଂସା କରନ୍ତି ଏବଂ ତା ଉପରେ ପୁଷ୍ପବୃଷ୍ଟି କରନ୍ତି ।

କେମିତି ଆସିଲେ ଆତଙ୍କୀ

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମଙ୍ଗଳବାର ଦ୍ୱୀପହର ସମୟ । ଘାଟିର ଥଣ୍ଡା ଥଣ୍ଡା ପବନରେ ପର୍ଯ୍ୟଟକମାନେ ମନଖୁସିରେ ବୁଲୁଥିଲେ। ହଠାତ ଆତଙ୍କୀ ଆକ୍ରମଣ ଆରମ୍ଭ ହୋଇ ଯାଇଥିଲା । ପହଲଗାମ ଘନ ଜଙ୍ଗଲ ଆଚ୍ଛାଦିତ । ଏଠାରେ ପର୍ଯ୍ୟଟକଙ୍କ ଭିଡ ମଧ୍ୟ ଲାଗିଥାଏ । ଏପରି ସ୍ଥିତି ଆତଙ୍କବାଦୀଙ୍କୁ ସୁହାଇଥିଲା । ମିଳିଥିବା ଖବର ଅନୁଯାୟୀ, ପାକିସ୍ତାନୀ ଆତଙ୍କୀ ଗୋଷ୍ଠୀ ଏପ୍ରିଲ ପ୍ରଥମ ସପ୍ତାହରୁ କାଶ୍ମୀରର କେତେକ ପର୍ଯ୍ୟଟନ ସ୍ଥଳୀ ବିଶେଷ କରି ହୋଟେଲ ବୁଲି ଦେଖିଥିଲେ । ସେମାନେ ଏପ୍ରିଲ ୧ରୁ ୭ ତାରିଖ ମଧ୍ୟରେ ଏହି ସବୁ କାମ କରିଥିଲେ । କେତେକ ହୋଟେଲକୁ ବି ଆତଙ୍କୀମାନେ ଟାର୍ଗେଟ କରିଥିଲେ ।

ପହଲଗାମଙ୍କୁ କାହିଁକି ବାଛିଲେ ଆତଙ୍କୀ ?

ଏହା ପୂର୍ବରୁ କେବେ ପହଲଗାମରେ ଏପରି ଆତଙ୍କୀ ଆକ୍ରମଣ ହୋଇ ନ ଥିଲା । ହଠାତ ଏବେ ଏହି ସ୍ଥାନକୁ କାହିଁକି ଟାର୍ଗେଟ କଲେ ଆତଙ୍କୀ ? ପ୍ରଥମ କାରଣ ହେଲା ଆତଙ୍କୀମାନେ ପର୍ଯ୍ୟଟକଙ୍କୁ ଧର୍ମ ପଚାରିଲେ ଏବଂ ତାପରେ ଗୁଳି ମାରିଲେ । ଏପରି କରି ସେ ସାରା ଦେଶରେ ଘୃଣା ଏବଂ ହିଂସାର ବାର୍ତ୍ତା ଦେବାକୁ ଚାହୁଁଥିଲେ । ଆତଙ୍କୀଙ୍କ ଲକ୍ଷ୍ୟ ଥିଲା ଏହି ଘଟଣାକୁ ନେଇ ଦେଶରେ କୌଣସି ନା କୌଣସି ଜାଗାରେ ହିଂସା କାଣ୍ଡ ଘଟିଲେ ସେମାନଙ୍କର ଉଦ୍ଦେଶ୍ୟ ପୂରଣ ହେବ ।

-ପହଲଗାମ ଆଜିକାଲି ଟୁରିଷ୍ଟମାନଙ୍କର ପସନ୍ଦର ଜାଗା ହୋଇଯାଇଛି । ଗତ ଦୁଇ ବର୍ଷ ହେବ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବେଶ ବୃଦ୍ଧି ପାଇଛି । କାଶ୍ମୀରର ଅର୍ଥ ବ୍ୟବସ୍ଥା ଉପରେ ବି ଏହା ସକାରାତ୍ମକ ପ୍ରଭାବ ପକାଇଛି । ଏହି ସଫଳତା ପାକିସ୍ତାନ ଏବଂ ପାକ ସମର୍ଥିତ ଆତଙ୍କୀଗୋଷ୍ଠୀଙ୍କୁ ହଜମ ହେଉନି । ତେଣୁ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଛନ୍ତି ପାକ ଆତଙ୍କୀ । ତା ଛାଡା କାଶ୍ମୀରରେ ଏବେ ବି ଆତଙ୍କବାଦ ଶେଷ ହୋଇ ନାହିଁ ଏମିତି ଏକ ବାର୍ତ୍ତା ଦେବା ପାଇଁ ଏପରି ଆକ୍ରମଣ କରାଯାଇଛି ବୋଲି ସୁରକ୍ଷା ବିଶେଷଜ୍ଞଙ୍କ ମତ।

-ଅମରନାଥ ଯାତ୍ରାକୁ ଲକ୍ଷ୍ୟ ରଖି ଏହି ଆକ୍ରମଣ କରି ଥାଇ ପାରନ୍ତି ଆତଙ୍କୀ । କାରଣ ଅମରନାଥ ଯିବା ପାଇଁ ପହଲଗାମ ମୁଖ୍ୟ ରାସ୍ତା ଅଟେ । ଅମରନାଥ ଯାତ୍ରା ପୂର୍ବରୁ ଆକ୍ରମଣ କରିବାର ଅର୍ଥ ସୁରକ୍ଷା ଏଜେନ୍ସିମାନଙ୍କ ମଧ୍ୟରେ ଅସ୍ଥିରତା ସୃଷ୍ଟି କରିବା । ଅମରନାଥ ଯାତ୍ରୀଙ୍କ ଉପରକୁ ବି ଆକ୍ରମଣ ହୋଇପାରେ ଏମିତି ଏକ ବାର୍ତ୍ତା ଦେବାକୁ ମଧ୍ୟ ଚାହିଛନ୍ତି ଆତଙ୍କୀ ।

ପାକିସ୍ତାନକୁ ଘାରିଛି ସର୍ଜିକାଲ ଷ୍ଟ୍ରାଇକ ଭୟ: ସୀମାରୁ ଖାଲି କଲା ଆତଙ୍କୀ ଟ୍ରେନିଂ ସେଣ୍ଟର

ପହଲଗାମ ଆତଙ୍କୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଆରବ ଗସ୍ତ ଅଧାରୁ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏପଟେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଜମ୍ମୁ-କଶ୍ମୀର ଗସ୍ତରେ ଯାଇଛନ୍ତି । ଆତଙ୍କୀ ଆକ୍ରମଣର କଡା ଜବାବ ଦିଆଯିବ ବୋଲି ଭାରତ ଚେତାବନୀ ଦେଇଛି । ଏହି ଘଟଣା ପରେ ପାକିସ୍ତାନକୁ ସର୍ଜିକାଲ ଷ୍ଟ୍ରାଇକ ଭୟ ମାଡି ବସିଛି । ଭାରତ-ପାକ ସୀମାରେ ଥିବା ଆତଙ୍କବାଦୀ ଟ୍ରେନିଂ ସେଣ୍ଟରସବୁକୁ ତୁରନ୍ତ ଖାଲି କରିବା ପାଇଁ ପାକ ସେନା ନିର୍ଦ୍ଦେଶ ଦେଇଛି । ଗତକାଲି ବିଳମ୍ବିତ ରାତିରେ ସେଠାରେ ଥିବା ଆତଙ୍କବାଦୀଙ୍କୁ ତୁରନ୍ତ ଆଖପାଖ ଗାଁରେ ରହିବା ପାଇଁ କୁହା ଯାଇଥିଲା । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଏବଂ ବରିଷ୍ଠ ସେନା ଅଧିକାରୀଙ୍କ ମଧ୍ୟରେ ଲଗାତାର ବୈଠକ ଚାଲିଛି । ଏଲଓସି ସମେତ ଅନେକ ଇଲାକାରେ ପାକିସ୍ତାନ ହାଇ ଆଲର୍ଟ ଜାରି କରିଛି ।

ଆକ୍ରମଣର ୨ ଘଣ୍ଟା ପରେ କାଶ୍ମୀର ମିସଜିଦର ବଡ ଘୋଷଣା

ପହଲଗାମରେ ଆତଙ୍କୀଙ୍କ ବର୍ବର ଆକ୍ରମଣରେ କାଶ୍ମୀରବାସୀ ଭୟଭୀତ ହୋଇ ପଡ଼ିଛନ୍ତି । ଧର୍ମକୁ ନେଇ ଏ ନରସଂହାର ସେମାନଙ୍କୁ ସ୍ତବ୍ଧ କରି ଦେଇଛି । ଘଟଣାର ୨ ଘଣ୍ଟା ପରେ କାଶ୍ମୀର ମସଜିଦରୁ ଏକ ବଡ ଘୋଷଣା କରାଯାଇଛି । ଏହି ଘଟଣାକୁ ନିନ୍ଦା କରିବା ସହ ଆତଙ୍କୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି । କାଶ୍ମୀରବାସୀଙ୍କ ମାନସିକତାରେ ବି ପରିବର୍ତ୍ତନ ଆସିଛି ଏବଂ ସେମାନେ ଆତଙ୍କବାଦଙ୍କୁ ସମର୍ଥନ କରିବେ ନାହିଁ ବୋଲି ଏଥିରୁ ସ୍ପଷ୍ଟ ହେଉଛି । ଏହି ଘଟଣା ପରେ ଲୋକେ କ୍ୟାଣ୍ଡଲ ଶୋଭାଯାତ୍ରାରେ ବାହାରିଥିଲେ ।

ତେବେ ଏଠିକା ମସଜିଦରୁ ଏକ ଐତିହାସିକ ଘୋଷଣା କରାଯାଇଛି । କୁହାଯାଇଛି, ପହଲଗାମ ଆକ୍ରମଣ ଇସଲାମ ଏବଂ ମାନବତା ବିରୋଧୀ । ଆତଙ୍କବାଦର କୌଣସି ଧର୍ମ ନାହିଁ । ଏହି ଆକ୍ରମଣ କାଶ୍ମୀରର ଶାନ୍ତି ଏବଂ ଏକତାକୁ ନଷ୍ଟ କରିବାର ପାଇଁ ଏକ ଷଡଯନ୍ତ୍ର । କାଶ୍ମୀର ଆମ ସମସ୍ତଙ୍କ ଘର । ଆମେ ଏହାକୁ ଆତଙ୍କୀଙ୍କ ହାତକୁ ଟେକି ଦେବୁ ନାହିଁ । କାଶ୍ମୀରର ଧର୍ମଗୁରୁମାନେ ପର୍ଯ୍ୟଟକଙ୍କ ପ୍ରତି ସହାୟତାର ହାତ ବଢାଇବା ସହ ସରକାରଙ୍କୁ ଆତଙ୍କବାଦୀ ମୂଳପୋଛ କରିବା ପାଇଁ ଦାବି କରିଛନ୍ତି ।