ନିଜ ହାତରେ ସଂସାର ଉଜାଡ଼ିଲା ବାପା, କୁନି ଝିଅ-ପତ୍ନୀଙ୍କୁ ମାରିବା ପରେ କଲା ଆତ୍ମହତ୍ୟା

ବାପା ଖେଳିଲା ଜୁଆ, ଉଜାଡ଼ିଦେଲା ସୁଖର ସଂସାର । ନା ଟିକି ଝିଅଟିର ମୁହଁକୁ ସେ ଚାହିଁଲା, ନା ସାତଜନ୍ମର ସାଥୀ ପ୍ରତି ସାମାନ୍ୟ ଦରଦ ଦେଖାଇଲା । ଜୁଆ ଖେଳି ଲକ୍ଷ ଲକ୍ଷ ଟଙ୍କାର ୠଣବୋଝକୁ ସହିନପାରି ଶେଷରେ ୧୨ ବର୍ଷର ଝିଅ ସହ ପତ୍ନୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ ।

Online Game

ବାପା ଖେଳିଲା ଜୁଆ, ଉଜାଡ଼ିଦେଲା ସୁଖର ସଂସାର । ନା ଟିକି ଝିଅଟିର ମୁହଁକୁ ସେ ଚାହିଁଲା, ନା ସାତଜନ୍ମର ସାଥୀ ପ୍ରତି ସାମାନ୍ୟ ଦରଦ ଦେଖାଇଲା । ଜୁଆ ଖେଳି ଲକ୍ଷ ଲକ୍ଷ ଟଙ୍କାର ୠଣବୋଝକୁ ସହିନପାରି ଶେଷରେ ୧୨ ବର୍ଷର ଝିଅ ସହ ପତ୍ନୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ । କେବଳ ଏତିକି ନୁହେଁ, ନିଜକୁ ଗୁଳି କରି ବି ସେ କଲା ଆତ୍ମହତ୍ୟା । ଝାରସୁଗୁଡ଼ା ଲଖନପୁରରେ ସଂଘଟିତ ଏଭଳି ବୀଭତ୍ସ ଅପରାଧ ଆଜି ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଦିନେ କେତେ ସରାଗରେ ଉଠାଇ ନଥିବେ ଫଟୋ ଖଣ୍ଡେ...ସେତେବେଳେ କେତେ ଖୁସି ମଉଜରେ ନଥିଲା ଏହି ସୁଖର ସଂସାର...ହେଲେ କିଏ ଜାଣିଥିଲା, ସବୁଦିନ ପାଇଁ ଏହି ୩ ପ୍ରାଣୀ କୁଟୁମ୍ବ ଫଟୋରେ ରହିଯିବେ ବୋଲି...ଆଉ ଶୁଭିବନି ଟିକି ଝିଅଟିର ସ୍ୱର, ଆଉ କଟା ହେବନି ତା’ ଜନ୍ମଦିନ କେଟ୍ । ଆଉ ଆସିବନି କୌଣସି ଦେବୀପୀଠକୁ ଯାଇ ଦର୍ଶନ କରିବାର ଏହି ସୌଭାଗ୍ୟ...କାରଣ ଏକ ଚରମ ନିଷ୍ପତ୍ତି କ୍ରମେ ତିନି ତିନିଟି ଜୀବନ ଶୋଇଯାଇଛି ସବୁଦିନ ପାଇଁ ।

ଝାରସୁଗୁଡ଼ା ଲଖନପୁର ଓରିଏଣ୍ଟ ଥାନା କାଳୀନଗରର ୩୭ ବର୍ଷୀୟ ସୁଜିତ ରାୟ ୨୮ ବର୍ଷୀୟା ପତ୍ନୀ ଖୁସବୁ ରାୟ ଓ ୧୨ ବର୍ଷିୟା ବଡ଼ ଝିଅ ଅର୍ପିତାର ମୃତଦେହ ମିଳିଛି କାର୍ ଭିତରୁ । ଲଖନପୁର ଥାନା ବାଣୀପାହାଡ଼ ନିକଟରୁ କାର ଭିତରେ ମିଳିଛି ୩ ଜଣଙ୍କ ମରଶରୀର । ଘଟଣା ସମ୍ପର୍କରେ ଯିଏ ଶୁଣୁଛି ସେ ଚକିତ ହୋଇଯାଉଛି ।

ବୁଧବାର ଅପରାହ୍ନ ପ୍ରାୟ ୩ଟା ୩୦ ମିନିଟ୍। କାରରେ ଝିଅ ଓ ପତ୍ନୀଙ୍କୁ ଧରି ଘରୁ ବାହାରିଥିଲେ ସୁଜିତ । କିନ୍ତୁ ରାତି ୧୦ଟା ଯାଏଁ ଘରକୁ ନଫେରିବାରୁ ପରିବାର ଏବଂ ପଡୋଶୀ ଓରିଏଣ୍ଟ ଥାନାକୁ ଯାଇଥିଲେ । ଏହାପରେ ପୋଲିସ ସୁଜିତଙ୍କ ମୋବାଇଲକୁ ଟ୍ରାକ କରି ପହଞ୍ଚିଯାଇଥିଲା ଲଖନପୁର ଥାନା ବାଣୀପାହାଡ଼ ନିକଟରେ ।

ଯେଉଁଠି କାର୍ ଭିତରେ ହିଁ ପଡ଼ି ରହିଥିଲା ୩ଟି ରକ୍ତ ଜୁଡୁବୁଡୁ ମରଶରୀର । ମୃତକଙ୍କ ମୁଣ୍ଡରେ ଓ କାରରେ ଦେଖିବାକୁ ମିଳିଥିଲା ଗୁଳି ଚିହ୍ନ । କାରର ଇଂଜିନ ସହ ଅନ୍ ଥିଲା AC । ବନ୍ଧୁକ ବି ପଡ଼ି ରହିଥିଲା ଏହି କାର୍ ଭିତରେ । ତେଣୁ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ପ୍ରଥମେ ପତ୍ନୀ ଓ ବଡ଼ ଝିଅକୁ ସୁଜିତ ଗୁଳି କରିବା ପରେ ନିଜକୁ ଫାଏରିଂ କରି ଆତ୍ମହତ୍ୟା କରିଛି ।

ପୋଲିସର କହିବା କଥା, ଏଭଳି ବୀଭତ୍ସ କାଣ୍ଡ ଅନଲାଇନ୍ ଜୁଆ ଏବଂ ମାତ୍ରାଧିକ ୠଣବୋଝର ପରିଣାମ । ମୋବାଇଲ ମେସେଜ ଏବଂ ବ୍ୟାଙ୍କ ଷ୍ଟେଟମେଣ୍ଟର ତଥ୍ୟ କହୁଛି, ସ୍ଥାନୀୟ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ସୁଜିତ ଗତ ୩ ମାସ ହେଲା ଅନଲାଇନରେ ଜୁଆ ଖେଳି ଆସୁଥିଲେ ।

ଏଥିପାଇଁ ବିଭିନ୍ନ ଲୋକଙ୍କ ଠାରୁ ଧାର କରଜ ବି କରିଥିଲେ । ବିଭିନ୍ନ ବେଟିଂ ଆପର ପ୍ରଲୋଭନରେ ପଡ଼ି ସାରି ଦେଇଥିଲେ କଷ୍ଟ ଉପାର୍ଜିତ ଟଙ୍କା । ନିର୍ଦ୍ଦିଷ୍ଟ ଏକ ଆପରେ ଗୋଟିଏ ମାସରେ ୪ ଲକ୍ଷ ୨୦ ହଜାରରୁ ଅଧିକ ଟଙ୍କା ସେ ହରାଇଥିବା ସୂଚନା ମିଳିଛି । ଯାହାକୁ ନେଇ ମାନସିକ ଚାପରେ ଥିବା ସୁଜିତ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

୨୦୧୨ରେ ଖୁସବୁଙ୍କୁ ପ୍ରେମ ବିବାହ କରିଥିଲେ ସୁଜିତ । ଆଜି ମା’ ସହ ଅକାଳରେ ଚାଲିଗଲା ବଡ଼ଝିଅ । ବାପା ମା’ ସହ ଗଲାନି ବୋଲି ଅନ୍ୟ ୩ ବର୍ଷୀୟା ଝିଅର ବଞ୍ଚିଗଲା ଜୀବନ । ପରିବାରରେ ଏବେ ରହିଗଲେ କେବଳ ସୁଜିତଙ୍କ ବାପା, ମା’ । ହେଲେ ପୁଅର ଜୁଆ ନିଶା ପାଇଁ ଆଜି ଉଜୁଡ଼ିଗଲା ଏହି ସୁଖର ସଂସାର ।