ଦାଦନ ନିର୍ଯାତନାର ବର୍ବର କାହାଣୀ : ମୂଲ ମାଗିବାରୁ କାଟିଦେଲେ ହାତ, ଗୋଡ଼

ଅସହାୟ ଅବସ୍ଥାରେ ୪ ଦିନ ଧରି ପଡ଼ି ରହିଲେ, ଓଟିଭିରୁ ଖବର ଦେଖି ହସ୍ପିଟାଲ୍ ନେଲା ପ୍ରଶାସନ

ବର୍ବରତାର କାହାଣୀ

ନିଜ ଇଚ୍ଛା ବିରୋଧରେ ଜବରଦସ୍ତି ଦାଦନ ଖଟେଇବାକୁ ନେଇଗଲେ । ମୂଲ ମାଗିବାରୁ କାଟିଦେଲେ ହାତ, ଗୋଡ଼ । ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ କଲବା ଗାଁରୁ ଆସିଛି ଦାଦନ ନିର୍ଯାତନାର ଏଭଳି ବର୍ବର କାହାଣୀ । ସବୁଠୁ ବଡ଼ କଥା ହେଉଛି, ହାତ ଗୋଡ଼ ହରାଇବା ପରେ ଶ୍ରମିକ ଜଣକ ଗଲା ୪ ଦିନ ଧରେ ନିଜ ଘରେ ମୃତ୍ୟୁ ସହ ଲଢୁଥିବା ବେଳେ ଏନେଇ କାହାରି ଧ୍ୟାନ ନଥିଲା । ଶେଷରେ ଓଟିଭିରେ ଖବର ପ୍ରସାରଣ ପରେ ଚେଇଁଉଠି ଶ୍ରମିକକୁ ହସ୍ପିଟାଲ୍ ନେଇଛି ସ୍ଥାନୀୟ ପ୍ରଶାସନ ।

ଜଘନ୍ୟ...ବୀଭତ୍ସ...ଭୟଙ୍କର । ବର୍ବରତାର ଏ କାହାଣୀ ଏମିତି ଯେ ନା ଦେଖି ହେଉଛି ନା ଦେଖେଇ ହେଉଛି । ଇଚ୍ଛା ବିରୋଧରେ ଜବରଦସ୍ତି ଦାଦନ ଖଟେଇବାକୁ ନେଇଗଲେ । ମୂଲ ମାଗିବାରୁ କାଟିଦେଲେ ହାତ, ଗୋଡ଼ । ପିଲା, ପରିବାର ମୁହଁରେ ଦାନା ଯୋଗାଡ଼ ଲାଗି ଦାଦନ ଯାଇଥିବା ଚଳଚଞ୍ଚଳ ମଣିଷଟାର ଗୋଟିଏ ଗୋଡ଼ ଓ ଗୋଟିଏ ହାତ ପାପୁଲିକୁ ଅତି ନିର୍ଦ୍ଦୟ ଭାବେ କାଟି ପଙ୍ଗୁ କରି ଦେଇଛି ଦଲାଲ୍ ।

ଗଜପତି କଲବା ଗାଁର ଶାଙ୍କ ମୁର୍ମୁଙ୍କର ଏ ଦୟନୀୟ ସ୍ଥିତି ଭଳି ୟା ପଛର କାହାଣୀ ବି ଆହୁରି ଦର୍ଦ୍ଦନାକ୍ । ଶାଙ୍କଙ୍କ ପତ୍ନୀ ଶୁଶିଳାଙ୍କ କହିବା ଅନୁଯାୟୀ, ଘରେ ଅଭାବ ତ ଥିଲା କିନ୍ତୁ ସେ ବାହାରକୁ ଦାଦନ ଯିବାକୁ ଚାହୁଁ ନଥିଲେ । ତେବେ ଗତମାସ ୨୭ ତାରିଖରେ ୪ ଜଣ ବ୍ୟକ୍ତି ମାସକୁ ୨୦ ହଜାର ଟଙ୍କା ଦେବାର ଲୋଭ ଦେଖାଇ ଜବରଦସ୍ତ ଶାଙ୍କଙ୍କୁ ଉତ୍ତରପ୍ରଦେଶ ନେଇ ଯାଇଥିଲେ । ସେଠାରେ ଏକ ସିମେଣ୍ଟ କଂପାନିରେ ରଖାଇ ଦେଇଥିଲେ । ସପ୍ତାହେ କାମ କରିବା ପରେ ଘରକୁ ଟଙ୍କା ପଠାଇବା ପାଇଁ ମଜୁରୀ ଟଙ୍କା ମାଗିବାରୁ ଗତ ୨୭ ତାରିଖରେ ତାଙ୍କୁ ପ୍ରବଳ ମାଡ଼ ମାରିଲେ । ମଦ ପିଆଇ ଅଚେତ୍ କରିବା ପରେ ବାମ ଗୋଡ଼ ଓ ଡାହାଣ ହାତ ପାପୁଲି କାଟି ଦେଲେ ।

ବର୍ବରତାର ଏ କାହାଣୀ ସେଇଠି ସରିଲାନି ଅଭିଯୁକ୍ତମାନେ ଶାଙ୍କକୁ ଝାନ୍ସିର ଏକ ହସ୍ପିଟାଲରେ ଦୁଇ ଦିନ ରଖି ଚିକିତ୍ସା କରିବା ପରେ ଗଲା ୩୦ ତାରିଖରେ ସେଠୁ ସିଧା ତାଙ୍କ ଗାଁକୁ ଆଣି ଏମିତି ଏଇ ଅବସ୍ଥାରେ ଫିଙ୍ଗି ଚାଲିଗଲେ । ଏବେ ଜୀବନ ଖାଲି ବଞ୍ଚିଯାଇଛି ସିନା ଭବିଷ୍ୟତ କିନ୍ତୁ ପୂରା ଅନ୍ଧାର । ଚିକିତ୍ସା ପାଇଁ ଅର୍ଥ ନାହିଁ । ପରିବାର ଓ ପିଲାଛୁଆଙ୍କୁ ମାରି ଦିଆଯିବାର ଧମକ ଥିବାରୁ ନା ପୋଲିସରେ ଅଭିଯୋଗ କରିଯିବାକୁ ଜୁ ଅଛି । କେବଳ ଚେରମୂଳି ଚିକିତ୍ସାରେ ଜୀବନ ବଞ୍ଚାଇବାର ଚେଷ୍ଟା ଛଡ଼ା ଆଉ କିଛି ବି କରି ପାରିନି ଏ ଅସହାୟ ପରିବାର ।

ସବୁଠୁ ବଡ଼ କଥା ହେଉଛି, ୪ ଦିନ ହେଲାଣି ଏ ଖବର ଜଣା ପଡ଼ିଥିଲା ବେଳେ ସ୍ଥାନୀୟ ଶ୍ରମ ବିଭାଗ, ପ୍ରଶାସନ, ଲୋକ ପ୍ରତିନିଧି ସମସ୍ତେ ଯେମିତି ନିଦାବିଷ୍ଣୁ । ଦାଦନ ଚାଲାଣ ରୋକିବା ପାଇଁ ତମାମ ଢୋଲପିଟା ଯୋଜନା ସତ୍ତ୍ୱେ ଏଭଳି ଏକ ସ୍ପର୍ଶକାତରର ଘଟଣାରେ ତତ୍କାଳ ପଦକ୍ଷେପ ବଦଳରେ ପୋଲିସ୍ କେସକୁ ଚାହିଁଛି ଶ୍ରମ ବିଭାଗ । ତେବେ ଓଟିଭିରେ ଏନେଇ ଖବର ପ୍ରସାରଣ ପରେ ଶାଙ୍କଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମୋହନା ହସ୍ପିଟାଲକୁ ଅଣାଯାଇଥିବା ସୂଚନା ମିଳିଛି ।

ଗଜପତି କଲବା ଗାଁର ଏ କାହାଣୀ ୨୦୧୩ରେ କଳାହାଣ୍ଡି ଜିଲ୍ଲାର ଦୁଇ ଦାଦନ ନୀଳାମ୍ବର ଧଙ୍ଗଡ଼ା ମାଝୀ ଓ ଦିଆଲୁ ନିଆଲଙ୍କ କଥାକୁ ମନେ ପକେଇ ଦେଇଛି । ଦାନା ପାଇଁ ଦାଦନ ପାଲଟିଥିବା ସେହି ଦୁଇ ଶ୍ରମିକଙ୍କୁ ବି ଅକଥନୀୟ ନିର୍ଯାତନା ସହ ହାତ କାଟି ଦିଆଯାଇଥିଲା । ସେତେବେଳେ ସାରା ଦେଶରେ ଚହଳ ସୃଷ୍ଟି କରିଥିଲା ଘଟଣା । ଆଉ ଏହାର ୯ ବର୍ଷ ପରେ ପୁଣି ଗଜପତିର ଶାଙ୍କ ମୁର୍ମୁ, ହେଲେ ଏଇ ଘଟଣାରେ ଏପର୍ଯ୍ୟନ୍ତ ଥାନାରେ ମାମଲା ହୋଇ ନଥିଲା ବେଳେ, ପୋଲିସ୍ ପ୍ରଶାସନ ନିଜ ଆଡୁ ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ଏବେ ତା ଉପରେ ନଜର ।