Odisha Crime Rate
୧୯୯୬ ଜୁଲାଇ ୧୧ । ଭୁବନେଶ୍ୱର ବରମୁଣ୍ଡାରେ ଘଟିଥିଲା ଟ୍ରିପଲ ମର୍ଡର । ଏ ଘଟଣାର ଦୀର୍ଘ ୨୭ ବର୍ଷ ପରେ, ଗତ ଅକ୍ଟୋବର ୨୦ରେ ମୃତକ ପରିବାରକୁ ମିଳିଲା ନ୍ୟାୟ । ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ୱର ଏଡିଜେ କୋର୍ଟ। ହେଲେ ଅଧିକାଂଶ ମାମଲାରେ କିନ୍ତୁ କୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହୋଇଯାଉଛନ୍ତି ଅଭିଯୁକ୍ତ ।
ତଥ୍ୟ କହୁଛି ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୧୧.୯ ପ୍ରତିଶତ। ଯାହାକି ଦେଶରେ ସର୍ବନିମ୍ନ । ନିକଟରେ ଏନ୍ସିଆରବି ପକ୍ଷରୁ ପ୍ରକାଶିତ କ୍ରାଇମ୍ ଇନ୍ ଇଣ୍ଡିଆ-୨୦୨୨ ରିପୋର୍ଟରୁ ମିଳିଛି ଏମିତି ନିରାଶଜନକ ତଥ୍ୟ। ରିପୋର୍ଟ କହୁଛି, ୨୦୨୨ରେ ରାଜ୍ୟର କୋର୍ଟଗୁଡ଼ିକରେ ୨୭ ହଜାର ୪୬୦ ମାମଲାର ଶୁଣାଣି ଶେଷ ହୋଇଛି। ହେଲେ ସେଗୁଡ଼ିକରେ ମାତ୍ର ୩ ହଜାର ୨୭୧ଟି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବଳକା ୨୪ ହଜାର ୧୮୯ଟି ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।
ଅନ୍ୟପକ୍ଷରେ ମିଜୋରାମରେ ଦୋଷୀ ସାବ୍ୟସ୍ତ ହାର ୯୫.୩ ପ୍ରତିଶତ ଥିବା ବେଳେ କେରଳରେ ୮୬.୪ ପ୍ରତିଶତ, ଉତ୍ତର ପ୍ରଦେଶରେ ୭୬.୨ ପ୍ରତିଶତ ରହିଛି । ପ୍ରଶ୍ନ ଉଠୁଛି, ଆମ ରାଜ୍ୟରେ କାହିଁକି ଦୋଷୀ ସାବ୍ୟସ୍ତ ହାର ଏତେ କମ ? ପୂର୍ବତନ ପୋଲିସ ଅଧିକାରୀଙ୍କ ମତରେ, ହୁଏତ ପୋଲିସ ସ୍ତରରେ ମାମଲାର ସଠିକ୍ ତଦନ୍ତ ହେଉନି। ତାଛଡ଼ା କୋର୍ଟରେ ମାମଲା ଦୀର୍ଘଦିନ ଧରି ପଡ଼ିରହୁଥିବାରୁ ଅଭିଯୁକ୍ତମାନେ ସାକ୍ଷୀଙ୍କୁ ପ୍ରଭାବିତ କରୁଥାଇପାରନ୍ତି।
ଖାଲି ସେତିକି ନୁହେଁ, ଏନ୍ସିଆରବି ରିପୋର୍ଟ କହୁଛି, ବିଚାର ନହୋଇ ପଡ଼ିରହିଥିବା ମାମଲା ହାରରେ ବି ଢେର୍ ପଛରେ ଓଡ଼ିଶା । ୨୦୨୨ରେ ରାଜ୍ୟର କୋର୍ଟଗୁଡ଼ିକୁ ୧ ଲକ୍ଷ ୧୨ ହଜାର ୩୭୦ଟି ମାମଲା ପଠାଯାଇଥିବା ବେଳେ ପୂର୍ବରୁ ୭ ଲକ୍ଷ ୮୦ ହଜାର ୯୫୩ଟି ମାମଲା ବିଚାର ପାଇଁ ପଡ଼ିରହିଥିଲା । ଫଳରେ ୨୦୨୨ରେ ବିଚାର ଲାଗି ୮ ଲକ୍ଷ ୯୩ ହଜାର ୩୨୩ଟି ମାମଲା ରହିଥିଲା । ହେଲେ ୨୦୨୨ ସୁଦ୍ଧା ରାଜ୍ୟରେ ୮ ଲକ୍ଷ ୬୪ ହଜାର ୭୧୧ ଅର୍ଥାତ୍ ୯୬.୮ ପ୍ରତିଶତ ମାମଲା ବିଚାର ନ ହୋଇ ପଡ଼ିରହିଛି। ବିଚାର ନ ହୋଇ ପଡ଼ିରହିଥିବା ମାମଲା କ୍ଷେତ୍ରରେ ଦେଶରେ ଷଷ୍ଠ ସ୍ଥାନରେ ରହିଛି ଓଡ଼ିଶା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702216740.jpg)