ଆଗ ପଛ ହୋଇ ଚାଲିଗଲେ ଭାଇଭଉଣୀ, ମୃତ୍ୟୁର ରହସ୍ୟ ଖୋଜୁଛି ପୋଲିସ୍

ମୃତ୍ୟୁର କିଛି ଦିନ ଆଗରୁ ମୋବାଇଲ୍‌ରେ ବେଶ୍ ଖୁସି ମଉଜରେ କଥା ହୋଇଥିଲେ ଉଭୟେ ଭାଇ ଭଉଣୀ।

Mystery shrouds deaths of engineering girl student and her brother in Jeypore

ଅବିଶ୍ୱସନୀୟ...ଅପରିକଳ୍ପନୀୟ...ଆଗପଛ ହୋଇ ୧୨ ବର୍ଷିୟ ଭାଇ ଏବଂ ୨୪ ବର୍ଷିୟ ଭଉଣୀ ଯେ ଚାଲିଯିବେ ଆରପାରି, ନା କେହି କଳନା କରିଥିଲେ, ନା କେହି କେବେ ଭାବିଥିଲେ। କିନ୍ତୁ ଦୁର୍ଭାଗ୍ୟ, ୩ଦିନ ମଧ୍ୟରେ ପ୍ରଥମେ ଭାଇ ଓ ପରେ ଭଉଣୀର ଘଟିଛି ଅକାଳ ବିୟୋଗ। ତାପୁଣି ନିଜ ଘର ଛାତ ଉପରୁ ମିଳିଛି ମୃତଦେହ। ଜୟପୁର ଥାନା ପାରାବେଡ଼ା ଗାଁ ଶିବାଶିଷ ନାୟକ, ଆଉ ତାଙ୍କ ଭଉଣୀ ରଶ୍ମିତା ନାୟକ। ଶିବାଶିଷ ସପ୍ତମ ଶ୍ରେଣୀରେ ପଢୁଥିବାବେଳେ ରଶ୍ମିତା ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ ଚାକିରି କରିଥିଲେ। ଏ ଦୁଇ ଜଣଙ୍କ ବିୟୋଗ ଯେତିକି ମର୍ମାହତ କରିଛି, ସେତିକି ଆଶ୍ଚର୍ଯ୍ୟ କରିଛି।

କାରଣ ସେମାନଙ୍କ ବାପାଙ୍କ କହିବା କଥା, ଗତ ୨୯ରେ ଶିବାଶିଷର ମୃତଦେହ ଦିନ ପ୍ରାୟ ଗୋଟାଏ ବେଳେ ମିଳିଥିଲା, ଘର ଛାତ ଉପରୁ। ଆଜି ସେହି ଘର ଛାତ ଉପରୁ ସେହି ଏକା ସମୟରେ ମିଳିଛି ରଶ୍ମିତାଙ୍କ ଝୁଲନ୍ତା ମୃତଦେହ। ସାନଭାଇର କଥା ଭାବି ଭାବି ରଶ୍ମିତା ଡିପ୍ରେସନରେ ଥିଲେ ଏବଂ ସୁଇସାଇଡ୍ କରିଥିବା ଆଶଙ୍କା କରିଛନ୍ତି ବାପା ଗଦାଧର ନାୟକ।

ମୃତ୍ୟୁର କିଛି ଦିନ ଆଗରୁ ମୋବାଇଲ୍‌ରେ ବେଶ୍ ଖୁସି ମଉଜରେ କଥା ହୋଇଥିଲେ ଉଭୟେ ଭାଇ ଭଉଣୀ। ଶିବାଶିଷକୁ ରଶ୍ମିତା କହିଥିଲେ ଭୁବନେଶ୍ୱରରୁ ଘରକୁ ଆସିଲେ ତୋ ପାଇଁ ଡ୍ରେସ କିଣିଦେବେ ବୋଲି। ହେଲେ ରଶ୍ମିତା ଆସିବା ଆଗରୁ ଗତ ୨୯ରେ ଅକାଳ ବିୟୋଗ ହୋଇଥିଲା ଶିବାଶିଷଙ୍କର। ସ୍କୁଲରୁ ଫେରିବା ପରେ ଘର ଛାତ ଉପରେ ମିଳିଥିଲା ଡେଡବଡ଼ି। ତାଙ୍କ ବାପାଙ୍କ କହିବା କଥା, କେହି ଜଣେ ଅସାମାଜିକ ବ୍ୟକ୍ତି ଶିବାଶିଷକୁ ହତ୍ୟା ଧମକ ଦେଇ  ହଜାରେ ଟଙ୍କା ମାଗିଥିଲା। ଶିବାଶିଷ ବି କାହାକୁ ନକହି ତାଙ୍କ ପକେଟ୍‌ରୁ ଟଙ୍କା ନେଇ ଦେଇଥିଲା ସେହି ଯୁବକଙ୍କୁ। ଆଉ ତାପରଦିନ ଶିବାଶିଷର ମୃତଦେହ ମିଳିଥିଲା ଘର ଛାତରୁ।

ତେଣେ ଘରେ ପହଞ୍ଚିଥିବା ରଶ୍ମିତା ସାନଭାଇ ପାଇଁ ଡ୍ରେସ୍ ଖଣ୍ଡେ କିଣିନପାରିବାର ଦୁଃଖ ଭିତରେ ଝୁରି ହେଉଥିଲେ। ଆଉ ସେହି କଥା ଭାବି ଭାବି ରଶ୍ମିତା ଆତ୍ମହତ୍ୟା କରିଥିବା କହିଛନ୍ତି ବାପା ଗଦାଧର। ତାହେଲେ କଣ ଆତ୍ମହତ୍ୟା କରିଦେଲେ ଭାଇ ଭଉଣୀ ? ଯଦି ଆତ୍ମହତ୍ୟା ତେବେ ଏହା ପଛର ଅସଲ ରହସ୍ୟ କଣ ? ଅସାମାଜିକ ତତ୍ତ୍ୱଙ୍କୁ ଶିବାଶିଷ ଟଙ୍କା ଦେବା ପଛରେ ଲୁଚିଛି କି କିଛି ବଡ଼ ଘଟଣା? ବାପାଙ୍କ ପକେଟ୍‌ରୁ ଟଙ୍କା ଚୋରାଇବାର ଗ୍ଲାନି ନା ଅନ୍ୟ କେଉଁ କାରଣ ? କେବଳ ଭାଇକୁ ଝୁରି ଝୁରି ଭଉଣୀ ରଶ୍ମିତା ନେଲେ ଚରମ ନିଷ୍ପତ୍ତି ନା ତାଙ୍କର ବି ଥିଲା ଅସାମାଜିକ ତତ୍ତ୍ୱଙ୍କ ଭୟ ? ଏଭଳି ଏକାଧିକ ଦିଗକୁ ଧରି ପୋଲିସ ଖୋଳତାଡ଼ କରିବା ସହ ଉଭୟଙ୍କ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରିଛି।

ଜୟପୁରରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଆସିଷ୍ଟାଣ୍ଡ ଲାଇବ୍ରେରିୟାନ୍ ଭାବେ କାମ କରୁଥିବା ଗଦାଧରଙ୍କ ଦୁଇ ଦୁଇଟି ପିଲାଙ୍କ ଏଭଳି ମୃତ୍ୟୁର କାରଣ କଣ, ଅପେକ୍ଷା ପୋଲିସର ଚୁଡ଼ାନ୍ତ ରିପୋର୍ଟକୁ।

(ରିପୋର୍ଟ: ଜୟପୁରରୁ ଟି.ଗୌରୀଶଙ୍କର)