ଅଭୟାରଣ୍ୟରେ ମାତିଲେଣି ମାଫିଆ; ବନ୍ଧୁକ ମୁନରେ ଧମକାଉଛନ୍ତି, ଦରକାର ପଡିଲେ..

ଆତଙ୍କରାଜ ଚଳାଇଛନ୍ତି ବନ୍ୟପ୍ରାଣୀ ମାଫିଆ। ଟାର୍ଗେଟରେ ବନ କର୍ମଚାରୀ। କେବେ ଜଙ୍ଗଲ ଭିତରେ ଅନ୍ଧାଧୂନ୍ ଫାଏରିଂ ତ କେବେ ମଝି ସମୁଦ୍ରରେ ଜଳଦସ୍ୟୁ ସାଜି ଆକ୍ରମଣ।

Forest Department

ଅଭୟାରଣ୍ୟରେ ଜାରି ରହିଛି ମାଫିଆ ଏବଂ ଶିକାରୀଙ୍କ ଆତଙ୍କରାଜ। କୁଲଡିହା ହେଉ କିମ୍ବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ। ବନ୍ୟପ୍ରାଣୀ ମାଫିଆ ଏବଂ ବନ କର୍ମଚାରୀଙ୍କ ମଧ୍ୟରେ ଲାଗିରହିଛି ଛକାପଞ୍ଝା। କାଲି ଗହୀରମଥାରେ ବନ ବିଭାଗର ପାଟ୍ରୋଲିଂ ଟିମ୍ ଉପରକୁ ହମଲା କରିଛନ୍ତି ଟ୍ରଲର ମାଫିଆ। ୪୫ ମିନିଟ୍ ଧରି ମଝି ସମୁଦ୍ରରେ ଫିଲ୍ମ ଷ୍ଟାଇଲରେ ଚାଲିଥିଲା ଲଢ଼େଇ। ସେପଟେ କୁଲଡିହା ଅଭୟାରଣ୍ୟରେ ୩ ବନ କର୍ମଚାରୀଙ୍କୁ ଗୁଳି କରିଛନ୍ତି ଶିକାରୀ। ଏହି ଘଟଣା ପରେ ଏବେ ଆକ୍ସନ ମୋଡ୍‌ରେ ବନ ବିଭାଗ।

ଅଶାନ୍ତ ହୋଇପଡ଼ିଛି ଅଭୟାରଣ୍ୟ। ଆତଙ୍କରାଜ ଚଳାଇଛନ୍ତି ବନ୍ୟପ୍ରାଣୀ ମାଫିଆ। ଟାର୍ଗେଟରେ ବନ କର୍ମଚାରୀ। କେବେ ଜଙ୍ଗଲ ଭିତରେ ଅନ୍ଧାଧୂନ୍ ଫାଏରିଂ ତ କେବେ ମଝି ସମୁଦ୍ରରେ ଜଳଦସ୍ୟୁ ସାଜି ଆକ୍ରମଣ। ସାମ୍ନାରେ ମାଫିଆଙ୍କ ଟ୍ରଲର ଦୌଡ଼ୁଛି, ସେହି ଟ୍ରଲରକୁ ଗୋଡ଼ାଉଛି ବନ ବିଭାଗର ବୋଟ୍। ସମୁଦ୍ରର ନୀଳ ଜଳରାଶିକୁ କାଟି ପାଟ୍ରୋଲିଂ ବୋଟ୍ ମାଡ଼ି ଚାଲିଛି ଆଗକୁ। କେତେବେଳେ ବନ କର୍ମଚାରୀଙ୍କ ପକ୍ଷରୁ ଫାଏରିଂ କରାଯାଉଛି ତ ଆଉ କେତେବେଳେ ଟ୍ରଲର୍ ମାଫିଆ ଚକମା ଦେବାକୁ ଚେଷ୍ଟା କରୁଛନ୍ତି।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦ୍ରାପଡ଼ା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ। ହୁକିଟୋଲା ଫ୍ରଣ୍ଟ ମହାନଦୀ ପାଖରେ ଅଲିଭ୍ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ବନ କର୍ମଚାରୀଙ୍କ ପାଟ୍ରୋଲିଂ ବେଳେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ। ଏହି ସମୟରେ ନିଷିଦ୍ଧାଞ୍ଚଳରେ ମାଛ ମାରୁଥିଲେ ୧୫ରୁ ୨୦ଟି ଟ୍ରଲର୍। ସେମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମବେଳେ ୧୭ଟି ଟ୍ରଲରରେ ସଂଘବଦ୍ଧ ହୋଇ ମାଡ଼ିଆସିବା ସହ ଘେରିଯାଇଥିଲେ ମାଫିଆ। ପାଖାପାଖି ୪୫ ମିନିଟ ଧରି ସମୁଦ୍ର ମଝିରେ ଚାଲିଲା ଲଢ଼େଇ।

ଶେଷରେ ମାଫିଆଙ୍କୁ ସାମ୍ନା କରିନପାରି କୌଶଳକ୍ରମେ ଖସିଆସିଥିଲେ ବନ କର୍ମଚାରୀ। ଏ ସଂପର୍କରେ ଧାମରା ମେରାଇନ ଥାନାରେ ମାମଲା ରୁଜୁ ହୋଇଛି ସତ କିନ୍ତୁ ଏ ଯାଏଁ ପୋଲିସ ହାତ ଖାଲି। ପାଟ୍ରୋଲିଂବେଳେ ବନ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି।

ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ନିୟୋଜିତ ବନ କର୍ମଚାରୀଙ୍କୁ ମାଫିଆଙ୍କ ଏଭଳି ହମଲା ନୁଆ ନୁହେଁ। ପୂର୍ବରୁ ଜୀବନ ହରାଇଛନ୍ତି ଦୁଇ ଦୁଇ ଜଣ ବନ କର୍ମଚାରୀ। ଦୁଇ ଟ୍ରଲର ମାଫିଆ ମଧ୍ୟ ନିହତ ହୋଇଛନ୍ତି। ୨୦୦୬ରେ ବନ କର୍ମଚାରୀ ଶ୍ୟାମ ସୁନ୍ଦର ସିଂଙ୍କୁ ଗୋଡ଼ ହାତ ବାନ୍ଧି ସମୁଦ୍ରକୁ ଫିଙ୍ଗି ହତ୍ୟା କରିଥିଲେ। ଫେବୃୟାରୀ ୭ ଓ ୧୪ରେ ସାତଭାୟା ନିକଟରେ ମାଛ ମାଫିଆ ବନ କର୍ମଚାରୀଙ୍କୁ ଆକ୍ରମଣ କରି ଖସିଯାଇଥିଲେ। ଏବର୍ଷ ନିଷିଦ୍ଧାଞ୍ଚଳରେ ପ୍ରବେଶ କରୁଥିବା ଟ୍ରଲର ନାଁରେ ୪୦ରୁ ଅଧିକ ମାମଲା ରହିଥିବାବେଳେ ୩୦୦ରୁ ଅଧିକ ବ୍ୟକ୍ତି ଗିରଫ ହୋଇଛନ୍ତି। ତଥାପି ସଂଗଠିତ ହୋଇ ବେଆଇନ ଭାବେ ମାଛ ମାରୁଛନ୍ତି ମାଫିଆ।

ଏ ତ ଥିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଆତଙ୍କରାଜ କାହାଣୀ। ସେହିପରି କୁଲଡିହା ଅଭୟାରଣ୍ୟରେ ମାତିଛନ୍ତି ମାଫିଆ। ଏଠି ବି ଟାର୍ଗେଟରେ ସେହି ବନ କର୍ମଚାରୀ। ପଞ୍ଚଲିଙ୍ଗେଶ୍ୱର ବିଟ୍ ଅଞ୍ଚଳରେ ଜଙ୍ଗଲରୁ ଶିକାର କରି ଫେରିବା ବେଳେ ମଧ୍ୟରାତ୍ରିରେ ମୁହାଁମୁହିଁ ହୋଇଛନ୍ତି ବନ କର୍ମଚାରୀ ଓ ଶିକାରୀ। ଶିକାରୀଙ୍କ ଗୁଳିରେ ୨ ସବୁଜ ବାହିନୀ କ୍ଷୀତିଶ ପରିଡା ଓ ବିରଞ୍ଚି ଜେନା ଗୁରୁତର ହୋଇ କଟକରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଏହି ଘଟଣା ପରେ ଆକ୍ସନ ମୋଡକୁ ଆସିଛି ବନବିଭାଗ। ପିସିସିଏଫ୍ କହିଛନ୍ତି, କାଲିଠୁ ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ଏକ୍ସ ଆର୍ମି ଟିମ କୁଲଡିହା ଅଭୟାରଣ୍ୟରେ କମ୍ବିଂକୁ ଜୋରଦାର କରିବେ।