Advertisment

ଦୟାଲ ଆଶ୍ରମରେ ପଶିଲା ତଦନ୍ତକାରୀ ସଂସ୍ଥା

କ୍ରାଇମ୍ ସ୍ପଟ୍‌ରେ କ୍ରାଇମବ୍ରାଞ୍ଚ୍‌। ଲେଡି ଜର୍ଣ୍ଣାଲିଷ୍ଟ ଶର୍ମିଷ୍ଠାଙ୍କ ଦ୍ୱାରା ପରିଚାଳିତ ଦୟାଲ ଆଶ୍ରମରେ ପଶିଲା ତଦନ୍ତକାରୀ ସଂସ୍ଥା। ଯେଉଁଠି ରହସ୍ୟଜନକ ମେମୋରୀଚିପ୍ ପାଇଁ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ସବକ୍ ଶିଖାଇବାକୁ ଏଠାରେ ତିଆରି ହୋଇଥିଲା ଅପରାଧର ନକ୍ସା।

Manas murder case

Manas murder case

Advertisment

କାହିଁକି ଓ କେମିତି ହତ୍ୟା କରାଯାଇଥିଲା କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ? ଅପରାଧର ପ୍ରତିଟି ପ୍ରମାଣ ସଂଗ୍ରହ କରି କଡ଼ିକୁ କଡ଼ି ଯୋଡୁଛି କ୍ରାଇମବ୍ରାଞ୍ଚ। ଅପହରଣସ୍ଥଳୀରୁ ସାକ୍ଷୀଙ୍କ ବୟାନ ରେକର୍ଡ ପରେ ଆଜି ମର୍ଡର ସ୍ପଟ୍‌ରେ ଫରେନ୍ସିକ୍ ଯାଞ୍ଚ କରିଛି ଟିମ୍‌। ଦୟାଲ୍ ଆଶ୍ରମରେ ଅତ୍ୟାଧୁନିକ ଥ୍ରୀ-ଡି ସ୍କାନର୍‌ରେ ଚିତ୍ର ଉତ୍ତୋଳନ ସହ ଆଶ୍ରମକୁ ସିଲ୍ କରିଛି।

Advertisment

ଖାଲି ଏତିକି ନୁହେଁ, ଅପରାଧର ପ୍ରତ୍ୟକ୍ଷଦର୍ଶୀ ଜଣେ ମହିଳା କେୟାରଟେକରଙ୍କଠୁ ସବୁ ଦୃଶ୍ୟପଟର ତଥ୍ୟ ବି ଉଗାରିଛି। ତା’ସହ ଅପରାଧରେ ବ୍ୟବହୃତ କାର୍‌ରୁ କ୍ରାଇମବ୍ରାଞ୍ଚ ଟିମ୍ ଗୁରୁତ୍ୱପୂର୍ଣ୍ଣ ସୁରାଗ୍ ହାତେଇଥିବା କୁହାଯାଉଛି। ତେବେ, ଏତେଦିନ ପରେ ବି ଲେଡି ଜର୍ଣ୍ଣାଲିଷ୍ଟ୍‌ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରାଯାଇ ନ ଥିବାରୁ ନ୍ୟାୟ ପାଇଁ ଜମିବାଡ଼ି ବିକି ଲଢ଼େଇ କରିବି ବୋଲି କହିଛନ୍ତି ମାନସଙ୍କ ମା।

ଚାନ୍ଦବାଲିରୁ ଅପହରଣ ପରେ ଦୟାଲ୍ ଆଶ୍ରମକୁ ଆଣି ହତ୍ୟା କରାଯାଇଥିଲା ମାନସ ସ୍ୱାଇଁଙ୍କୁ। ଆଜି ସେହି ମର୍ଡର୍ ପ୍ଲଟ୍‌ରେ ଘାଣ୍ଟିଛି କ୍ରାଇମବ୍ରାଞ୍ଚ ଟିମ୍। ବର୍ତ୍ତମାନ ଆଶ୍ରମର କେୟାରଟେକର୍ ହେଉଛନ୍ତି ତଦନ୍ତକାରୀ ସଂସ୍ଥା ପାଇଁ ଅପରାଧର ପ୍ରତ୍ୟକ୍ଷଦର୍ଶୀ। ତାଙ୍କୁ ଧରି ଖୋଳତାଡ଼ କରିଛି ଟିମ୍।

Advertisment

ଚାନ୍ଦବାଲିରୁ କେଉଁମାନେ ମାନସଙ୍କୁ ଅପହରଣ କରି ଆଣିଥିଲେ? ଆଶ୍ରମରେ ମାନସଙ୍କୁ କିଏ ସବୁ ନିର୍ଯାତନା ଦେଇଥିଲେ? କେଉଁ ଅବସ୍ଥାରେ ମାନସଙ୍କ ମୃତ୍ୟୁ ହୋଇଥିଲା? ଅପରାଧ ପଛରେ ଶର୍ମିଷ୍ଠା ଓ ନିରଂଜନଙ୍କ ଭୂମିକା କ’ଣ? ମେମୋରି ଚିପ୍‌କୁ ନେଇ କୌଣସି ତିକ୍ତତା କଥା ସେ ଜାଣିଛନ୍ତି କି? ଏଭଳି ଅନେକ ଦିଗକୁ ଧରି ସଂପୃକ୍ତ କେୟାରଟେକର୍‌ଙ୍କୁ ପଚରାଉଚରା ସହ ଆଶ୍ରମ ପରିସରରୁ ଏକ କାଠଫାଳିଆ ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚ୍‌।

ଦୟାଲ ଆଶ୍ରମରେ ଆଜି ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଧରି ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ୍‌। ଥ୍ରୀ-ଡାଇମେନ୍‌ସନ୍ କ୍ୟାମେରା ଜରିଆରେ ଘର ବାହାରର ଓ ଭିତରର ୩୬୦ ଡିଗ୍ରୀରେ ଫଟୋ ଉଠାଯାଇଛି। ଥ୍ରୀ-ଡି କ୍ୟାମେରାରେ ଗୋଟିଏ ସଟ୍‌ରେ ୬୫ଟି ସ୍ନାପ୍‌ ନିଆଯାଇପାରିବ। ବିଭିନ୍ନ ଆଙ୍ଗେଲ୍‌ରୁ ଉଠାଯାଇଥିବା ଫଟୋକୁ କମ୍ପ୍ୟୁଟରରେ ଯାଞ୍ଚ କରିବ ତଦନ୍ତକାରୀ ସଂସ୍ଥା।

Advertisment

ଘଟଣାସ୍ଥଳକୁ ବାରମ୍ବାର ଯେପରି ଆସିବାକୁ ପଡ଼ିବ ନାହିଁ, ସେଥିପାଇଁ ବ୍ୟବହାର ହୋଇଥାଏ ଏହି ହାଇ ଟେକ୍ନୋଲୋଜି କ୍ୟାମେରା। ଏଭଳି ଫଟୋ ନେବା ପରେ ଏବଂ ମାନସଙ୍କୁ ଆକ୍ରମଣ କରାଯାଇଥିବା ରୁମ୍‌ରେ ଫରେନସିକ୍ ଯାଞ୍ଚ କରି ଆଶ୍ରମକୁ ସିଲ୍ କରିଛି କ୍ରାଇମବ୍ରାଞ୍ଚ।।

ଅପରାଧରେ ବ୍ୟବହୃତ ପ୍ରେସ୍ ଲେଖାଥିବା ଚର୍ଚ୍ଚିତ କାରକୁ ନେଇ ମଧ୍ୟ ଚାଲିଛି ତଦନ୍ତ। ଏହାକୁ ଅପହରଣଠୁ ଡେଡ୍‌ବଡ଼ିକୁ ନୟାଗଡ଼ ନେବା ଯାଏଁ ବ୍ୟବହାର କରାଯାଇଥିଲା। ଏହି କାର୍‌କୁ ଶର୍ମିଷ୍ଠାଙ୍କ ‘ସଂପୂର୍ଣ୍ଣ’ ନ୍ୟୁଜ୍ ଅଫିସ ଥିବା ଆପାର୍ଟମେଣ୍ଟରୁ ଜବତ କରି ଏୟାରଫିଲ୍ଡ଼ ଥାନା ପରିସରରେ ରଖିଥିବାବେଳେ ସେହି କାର୍‌ର ଫରେନ୍‌ସିକ୍ ଓ କେମିକାଲ ପରୀକ୍ଷା କରିଛି ସାଇଣ୍ଟିଫିକ୍ ଟିମ୍। ତା’ସହ ଡିଏନ୍ଏ ଟେଷ୍ଟ ପାଇଁ କିଛି ନମୂନା ସଂଗ୍ରହ ହୋଇଥିବା ସୂଚନା ମିଳିଛି।

ତେବେ କାହିଁକି ଶର୍ମିଷ୍ଠାଙ୍କ ପାଖରେ ପହଞ୍ଚି ପାରୁନି କ୍ରାଇମବ୍ରାଞ୍ଚ୍? ଜଣେ ଅଭ୍ୟାସଗତ ଅପରାଧୀ ନ ହୋଇ ବି ଏତେଦିନ ଧରି ପୋଲିସ୍‌ ଓ କ୍ରାଇମ୍‌ବ୍ରାଞ୍ଚ୍‌କୁ କେମିତି ଚକ୍‌ମା ଦେଉଛନ୍ତି ଶର୍ମିଷ୍ଠା? କେଉଁ ରାଜ୍ୟରେ ସେ ଲୁଚିଛନ୍ତି ? କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ଭାର ନେବାର ୫ ଦିନ ପରେ ବି ଶର୍ମିଷ୍ଠା ଧରାପଡ଼ି ନ ଥିବାରୁ ମାନସଙ୍କ ମା’ କ୍ଷୋଭ ପ୍ରକାଶ କରିଛନ୍ତି। ତା’ସହ ଜମିବାଡ଼ି ବିକି ପୁଅକୁ ନ୍ୟାୟ ମିଳିବା ଯାଏଁ ଲଢ଼ିବି ବୋଲି କହିଛନ୍ତି। ଏଣେ କ୍ରାଇମ୍‌ବ୍ରାଞ୍ଚ୍‌ ଏଡିଜି କହିଛନ୍ତି ଯେ ଶର୍ମିଷ୍ଠାଙ୍କୁ ଧରିବାକୁ ରାଜ୍ୟ ବାହାରେ ୨ଟି ଟିମ୍ ଅଛି।

(ରିପୋର୍ଟ : ନୟାଗଡ଼ରୁ ଆର୍ତ୍ତତ୍ରାଣ ପ୍ରଧାନ ଓ ଭୁବନେଶ୍ୱରରୁ ଆଲୋକ ମହାନ୍ତି)

Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ