ସିନ୍ ରିକ୍ରିଏସନ୍ ଓ ଜେରା ସତ୍ତ୍ୱେ ସ୍ପଷ୍ଟ ହେଲାନି ମାନସଙ୍କୁ ହତ୍ୟା କରିବାର ଅସଲ ଉଦ୍ଦେଶ୍ୟ : ଆଶଙ୍କାରେ କ୍ରାଇମବ୍ରାଞ୍ଚ, ଚିପ୍ ମିଳିବା ଆଶା କମ୍

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠା ଆଣ୍ଡ କୋଙ୍କ ସରିଲା ପ୍ରଥମ ପର୍ଯ୍ୟାୟ କ୍ରାଇମବ୍ରାଞ୍ଚ ରିମାଣ୍ଡ । ଏବେ ଦ୍ୱିତୀୟ ପର୍ଯ୍ୟାୟର ରିମାଣ୍ଡକୁ ସାମ୍ନା କରିବେ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇ । କାଲିଠୁ ଆରମ୍ଭ ହେବ ୩ଦିନିଆ ରିମାଣ୍ଡ ଅବଧି

ମାସନ୍‌ କେସରେ ଚିପ୍‌ ଅଡ଼ୁଆ

ଲୋମଟାଙ୍କୁରା ହତ୍ୟାକାଣ୍ଡ ଭିଆଇଲେ, ସାଂଘାତିକ ଷଡ଼ଯନ୍ତ୍ର ବି ରଚିଲେ । ହେଲେ ସାମ୍ନାକୁ ଆସିଲାନି ହତ୍ୟାର ଉଦ୍ଦେଶ୍ୟ । ଯେଉଁ ମେମୋରୀ ଚିପ୍ ପାଇଁ କ୍ୟାମେରାମ୍ୟାନ ମାନସଙ୍କୁ ଅପହରଣ କରି ମାରିଦିଆଗଲା, ସେହି ଚିପକୁ ନେଇ ଆଶା ଛାଡ଼ିସାରିଲାଣି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ କହିଛି, ସେହି ମେମୋରୀ ଚିପ୍ ମିଳିବାର ସମ୍ଭାବନା କମ୍ । ତଥାପି ତଦନ୍ତ ଚାଲିଛି । ଅପରପକ୍ଷେ ଆଜି ୫ ଦିନିଆ ରିମାଣ୍ଡ ସରିବା ପରେ ଶର୍ମିଷ୍ଠା, ଝୁନା, ନିରଂଜନ ଓ ରଂଜନକୁ ଚାନ୍ଦବାଲି କୋର୍ଟରେ ହାଜର କରାଯାଇଥିଲା ଓ ପୁଣି ୫ଦିନ ରିମାଣ୍ଡ ଅନୁମତି ମାଗିଥିଲା କ୍ରାଇମବ୍ରାଞ୍ଚ । କିନ୍ତୁ କୋର୍ଟ ନିରଂଜନ ଓ ରଂଜନଙ୍କୁ ଛାଡ଼ି ଶର୍ମିଷ୍ଠା ଏବଂ ଝୁନାକୁ ୩ ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି । ରଂଜନ ଓ ନିରଂଜନକୁ ଜେଲ୍ ପଠାଇ ଦିଆଯାଇଛି ।

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠା ଆଣ୍ଡ କୋଙ୍କ ସରିଲା ପ୍ରଥମ ପର୍ଯ୍ୟାୟ କ୍ରାଇମବ୍ରାଞ୍ଚ ରିମାଣ୍ଡ । ଏବେ ଦ୍ୱିତୀୟ ପର୍ଯ୍ୟାୟର ରିମାଣ୍ଡକୁ ସାମ୍ନା କରିବେ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇ । କାଲିଠୁ ଆରମ୍ଭ ହେବ ୩ଦିନିଆ ରିମାଣ୍ଡ ଅବଧି । ୪ ଅଭିଯୁକ୍ତ ଯଥା ଶର୍ମିଷ୍ଠା, ଝୁନା, ରଂଜନ, ନିରଂଜନଙ୍କ ୫ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି ଚାନ୍ଦବାଲି JMFCରେ ହାଜର କରାଯାଇଥିଲା । ଏହାପରେ ଏହି ୪ ଜଣଙ୍କୁ ପୁଣି ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ ।

କିନ୍ତୁ କୋର୍ଟ କେବଳ ଶର୍ମିଷ୍ଠା ଓ ଝୁନାର ୩ ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି । ରଂଜନ ଓ ନିରଂଜନଙ୍କ ରିମାଣ୍ଡ ଆବେଦନକୁ ଖାରଜ କରିବାରୁ ଉଭୟଙ୍କୁ ଭଦ୍ରକ ଉପକାରାଗାରକୁ ପଠାଇ ଦିଆଯାଇଛି । ତେବେ ତଦନ୍ତବେଳେ ଶର୍ମିଷ୍ଠା ଓ ଝୁନାଙ୍କଠୁ ଆଉ କେଉଁ ତଥ୍ୟ ଆଦାୟ କରିବ କ୍ରାଇମ୍ବବ୍ରାଞ୍ଚ ? ଖୋଲିବ କି ମେମୋରୀ ଚିପ୍, ଭିଡ଼ିଓ ଆଉ ଏଗ୍ରିମେଣ୍ଟର ସତ ? ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ କିନ୍ତୁ କୌଣସି ତଥ୍ୟ ମିଳିପାରିନି ।

ଗତ ୨୯ରୁ କ୍ରାଇମବ୍ରାଞ୍ଚ ଜାରି ରଖିଛି ଖୋଳତାଡ଼ । ହେଲେ ନା ରହସ୍ୟଜନକ ମେମୋରୀ ଚିପ୍ର କଥା ସାମ୍ନାକୁ ଆସିଛି ନା ଚିପରେ ଥିବା ସନ୍ଦେହଜନକ ଚିତ୍ର ଓ ଚରିତ୍ରଙ୍କ ଗୁମର ଖୋଲିଛି । କାରଣ ଚିପଟି ଏବେ କେଉଁଠି ? କାହା ପାଖରେ ଅଛି ନା ନଷ୍ଟ କରିଦିଆଯାଇଛି ? କୌଣସି ତଥ୍ୟ ଏଯାଏଁ ପାଇନି କ୍ରାଇମବ୍ରାଞ୍ଚ । ଯଦିଓ ଶର୍ମିଷ୍ଠା, ଝୁନା, ନିରଂଜନ, ରଂଜନ ସମେତ ୮ଜଣଙ୍କୁ ଗିରଫ କରିଛି । ସିନ୍ ରିକ୍ରିଏସନ୍ ବି ହୋଇସାରିଛି । ତଥାପି ଚିପକୁ ନେଇ କ୍ରାଇମବ୍ରାଞ୍ଚ ମନରେ ଆଶଙ୍କା ।

କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମେମୋରୀ ଚିପ୍ ମିଳିବାର ଆଉ ସମ୍ଭାବନା ନାହିଁ । ଚିପ୍ ନେଇ ଶର୍ମିଷ୍ଠାଙ୍କୁ ମାନସ ବ୍ଲାକ୍ ମେଲିଂ କରିଥିବା କଥା ବି କୁହାଯାଉଛି । ତଥାପି ଖୋଳତାଡ଼ ଜାରି ରହିଛି । ତେବେ ମେମୋରୀ ଚିପରେଚାପି ହୋଇଯିବନି ତ ମାନସ ମର୍ଡର ମିଷ୍ଟ୍ରି ? ଚିପରେ ଥିବା ସନ୍ଦେହଜନକ ଚିତ୍ର ଓ ଚରିତ୍ରଙ୍କ କଣ ଗୁମର ଖୋଲିବନି ? ହତ୍ୟାର ଉଦ୍ଦେଶ୍ୟ ପ୍ରମାଣିତ ନହେଲେ ମାମଲା ଦୁର୍ବଳ ହେବା ସହ ଅଭିଯୁକ୍ତ ମାନଙ୍କ ଖସିବାର ବାଟ ସହଜ ହୋଇଯିବନି ତ ?

କେବଳ ଚିପ୍ ନୁହେଁ, କାଲି ଶର୍ମିଷ୍ଠାଙ୍କ ଘରୁ ମିଳିଥିବା ନିରଂଜନଙ୍କ ଗୁପ୍ତ ଡାଏରୀକୁ ବି ନେଇ ଚର୍ଚ୍ଚା ହେଉଛି । କଣ ଲେଖାଯାଇଛି ସେହି ଡାଏରୀରେ ? ଶର୍ମିଷ୍ଠାଙ୍କ ସହ ରହୁଥିବା ଫ୍ଲାଟରୁ ତାଙ୍କ ନଣନ୍ଦ ଯେଉଁ ଆସବାବପତ୍ର ନେଇଗଲେ, ସେଥିରେ ଲୁଚିନି ତ କୌଣସି ପ୍ରମାଣ ? କାହିଁକି ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନି । ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ ଶର୍ମିଷ୍ଠା ଓ ଝୁନା ୩ ଦିନିଆ ରିମାଣ୍ଡ ଭିତରେ ଆଉ କେଉଁ ତଥ୍ୟ ଉଗାରୁଛନ୍ତି ତାକୁ ଅପେକ୍ଷା ।

ଚାନ୍ଦବାଲିରୁ ବାସୁଦେବ ଦାସ, ମନୋଜ ସ୍ୱାଇଁ, କଟକରୁ ଦେବାଶିଷ ମହାନ୍ତି ଓ ଗୌତମ ପଣ୍ଡାଙ୍କ ରିପୋର୍ଟ