• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତୀୟ ରେଳବାଇରେ ଚାକିରି ପାଇବା ପାଇଁ ସବୁ ସୀମା ଟପିଗଲେ ଯୁବକ । ପରୀକ୍ଷାରେ ପାସ୍ କରିବାକୁ ନିଜ ଆଙ୍ଗୁଠିର ଚର୍ମ କାଢ଼ି ସାଙ୍ଗ ଅଙ୍ଗୁଳିରେ ଅଠା ମାରି ଲଗେଇ ଦେଇଥିଲେ । ହେଲେ ତାଙ୍କର ଏତେ ଚାଲାକି ବି ପରୀକ୍ଷକଙ୍କ ଆଖିରୁ ବର୍ତ୍ତିଲାନି । ସବୁ ଯୋଜନା ପାଣିରେ ପଡ଼ିଗଲା । ଏବେ ଉଭୟଙ୍କୁ ଗିରଫ କରିଛି ପୋଲିସ୍‌ ।

ଗୁଜୁରାଟର ଭଦୋଦରା ଠାରେ ଅନୁଷ୍ଠିତ ରେଳବାଇର ଗ୍ରୁପ୍ ଡି ନିଯୁକ୍ତି ପରୀକ୍ଷାରେ ବିହାରର ଜଣେ ଯୁବକ ନିଜ ବନ୍ଧୁ ସ୍ଥାନରେ ବସି ପରୀକ୍ଷା ଦେବାପାଇଁ ଆସିଥିଲେ । ବାୟୋମେଟ୍ରିକ୍ ଯାଞ୍ଚରୁ ବଞ୍ଚିବା ପାଇଁ ବନ୍ଧୁ ଅଙ୍ଗୁଠିର ଚର୍ମକୁ ନିଜ ଆଙ୍ଗୁଠିରେ ଲଗାଇଥିଲେ । ବୁଧବାର ଦିନ ଉଭୟ ଯୁବକ ଗିରଫ ହୋଇଛନ୍ତି । ଉଭୟ ଯୁବକ ବିହାରର ମୁଙ୍ଗେର ଜିଲ୍ଲାର ବୋଲି ଜଣାପଡ଼ିଛି ।

ଏମିତି ଯୋଜନା କରିଥିଲେ ବିହାରର ଦୁଇ ଯୁବକ

ଭଦୋଦରାର ଅତିରିକ୍ତ ପୋଲିସ କମିଶନର (ଏସିପି)ଙ୍କ ସୂଚନା ଅନୁସାରେ, ପରୀକ୍ଷାରେ ଠକେଇ କରିଥିବା ଅଭିଯୁକ୍ତ ହେଉଛନ୍ତି ବିହାରର ମୁଙ୍ଗେର ଜିଲ୍ଲାର ବାସିନ୍ଦା ରାଜଗୁରୁ ଗୁପ୍ତା । ସେହିଭଳି ପରୀକ୍ଷା ପାଇଁ ଆବେଦନ କରିଥିବା ଅଭିଯୁକ୍ତ ହେଉଛନ୍ତି ମନୀଷ ଗୁପ୍ତା ।

ମନୀଷ କୌଣସି ବି ପରିସ୍ଥିତିରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ତାଙ୍କ ସାଙ୍ଗ ରାଜଗୁରୁଙ୍କୁ ପରୀକ୍ଷାରେ ବସାଇବାକୁ ନିଷ୍ପତ୍ତି ନେଇଥିଲେ । ସେ ଆଙ୍ଗୁଠିର ଚର୍ମକୁ କାଟି ବାୟୋମେଟ୍ରିକ ଯାଞ୍ଚରୁ ରକ୍ଷା ପାଇବା ପାଇଁ ରାଜଗୁରୁଙ୍କ ଆଙ୍ଗୁଠିରେ ଲଗାଇଥିଲେ ।

ମନୀଷ କିପରି ରାଜଗୁରୁଙ୍କ ଆଙ୍ଗୁଠିରେ ନିଜ ଚର୍ମକୁ ଲଗାଇଲେ ?

ପଚରାଉଚରା ବେଳେ ଅଭିଯୁକ୍ତ ରାଜଗୁରୁ ପୋଲିସ୍‌ ସାମ୍ନାରେ ସବୁ ଗୋଟି ଗୋଟି କଥା ଖୋଲି କି କହିଛନ୍ତି । ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ମନୀଷ ପ୍ୟାନକୁ ଗରମ କରି ତାଙ୍କ ବାମ ହାତର ଆଙ୍ଗୁଠିକୁ ରଖିଥିଲେ । ଆଙ୍ଗୁଠି ପୋଡ଼ିଯିବା ପରେ ଫୁଲି ଯାଇଥିଲା । ଆଉ ସେ ଫୁଲା ଚର୍ମକୁ ଉତାରି ସାଙ୍ଗ ହାତରେ ଅଠା ଦେଇ ଲଗାଇ ଦେଇଥିଲେ ।

କେମିତି ଧରାପଡ଼ିଲେ ?

୨୨ ଅଗଷ୍ଟରେ ଗୁଜୁରାଟରେ ଅନୁଷ୍ଠିତ ପରୀକ୍ଷାରେ ରାଜଗୁରୁ ମନୀଷଙ୍କ ସ୍ଥାନରେ ବସିଥିଲେ । ବାୟୋମେଟ୍ରିକ୍ ଡିଭାଇସ୍ ସହିତ ଆଧାର କାର୍ଡ ତଥ୍ୟ ମିଳାଇବା ପରେ ମନୀଷଙ୍କ ଆଙ୍ଗୁଠି ଛାପ ମେଳ ଖାଇଲା ନାହିଁ । ସେହିପରି ରାଜଗୁରୁ ସବୁବେଳେ ତାଙ୍କ ବାମ ହାତକୁ ପକେଟରେ ରଖି ଲୁଚାଉଥିବାରୁ ପରୀକ୍ଷକଙ୍କ ସନ୍ଦେହ ଘେରକୁ ଆସିଥିଲେ ।

ଫଳରେ ରାଜଗୁରୁଙ୍କ ଅଙ୍ଗୁଠିରେ ସାନିଟାଇଜର ମାରିବା ପରେ ଚର୍ମ ଖସି ପଡ଼ିଥିଲା । ଆଉ ସେମାନଙ୍କ ସମସ୍ତ ପୋଲ୍‌ ଖୋଲି ଯାଇଥିଲା । ଏବେ ଉଭୟଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି ପୋଲିସ୍‌ । ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରାଯାଉଛି ।