• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନବ ବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ଦେବା ପରିବର୍ତ୍ତେ ଝିଅଜ୍ୱାଇଁଙ୍କୁ ହତ୍ୟାକଲା ବାପା । ଏହା ପରେ ସେ ପୋଲିସ ଷ୍ଟେସନରେ ପହଞ୍ଚି ନିଜର ଅପରାଧ ସ୍ୱୀକାର କରି ଆତ୍ମସମର୍ପଣ କରିଛି । ତାଙ୍କ କଥା ଶୁଣି ପୋଲିସ୍ କର୍ମଚାରୀଙ୍କ ହୋସ୍‌ ଉଡ଼ିଯାଇଛି । ଜ୍ୱାଇଁ କମ୍ ଶିକ୍ଷିତ ହୋଇଥିବାରୁ ଅଭିଯୁକ୍ତ ଏପରି କାଣ୍ଡ ଘଟାଇଥିବା କୁହାଯାଉଛି । ଏହା ବ୍ୟତୀତ ଅନ୍ୟ କିଛି କାରଣ ମଧ୍ୟ ଥିଲା, ଯାହା ସେ ପୋଲିସକୁ କହିଛି । ତାମିଲନାଡୁର ତୁତୁକୋରିନ୍‌ ସହରରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ।

ପୋଲିସ ସୂଚନା ଅନୁଯାୟୀ, ପରିବାର ଲୋକଙ୍କ ବିରୋଧରେ ଯାଇ ପ୍ରେମ ବିବାହ କରିଥିଲା ଝିଅ । ବିବାହ କରିବା ପରେ ସେମାନେ ଘରକୁ ନଆସି ଅନ୍ୟତ୍ର ପଳାଇ ଯାଇଥିଲେ । ତେବେ ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଅନ୍ୟପଟେ ବିବାହିତ ଦମ୍ପତି ମଦୁରାଇରେ ପୋଲିସ ସମ୍ମୁଖରେ ହାଜର ହୋଇ ନିଜ ଇଚ୍ଛାରେ ବିବାହ କରିଥିବା କଥା କହିଥିଲେ । ସେମାନେ ଉଭୟ ବୟସ୍କ ଏବଂ ନିଜ ନିଜ ଇଚ୍ଛାରେ ବିବାହ କରିଛନ୍ତି ବୋଲି ପୋଲିସ୍‌ ଆଗରେ ପ୍ରକାଶ କରିଥିଲେ ।

ପୋଲିସ୍ ଷ୍ଟେସନରୁ ଭିଡିଓ କଲ୍ ମାଧ୍ୟମରେ ଦମ୍ପତି ମହିଳାଙ୍କ ପିତାମାତାଙ୍କ ସହ ମଧ୍ୟ କଥା ହୋଇଥିଲେ । ହେଲେ ଯୁବତୀଙ୍କ ବାପାଙ୍କ ମନରେ ରାଗ କୁହୁଳୁଥିଲା । ସମାଜ ସାମ୍ନାରେ ଅପଦସ୍ତ କରାଇଥିବାରୁ ସେ ଉଭୟଙ୍କୁ ଜୀବନରୁ ମାରିଦେବାକୁ ଯୋଜନା କରିଥିଲେ । ତେବେ ଏକଥା ଜାଣିବା ପରେ ଗାଁ ଲୋକେ ତାଙ୍କୁ ବୁଝାଇଥିଲେ । ଝିଅଜ୍ୱାଇଁଙ୍କୁ ହଇରାଣ ନକରିବା ପାଇଁ କହିଥିଲେ । ହେଲେ ତାଙ୍କ ମୁଣ୍ଡରେ ଯେପରି ଭୂତ ସବାର ହୋଇଥିଲା । ସେ କାହା କଥା ଶୁଣିବାକୁ ନାରାଜ ଥିଲେ ।

ପୋଲିସ ଅଧିକାରୀଙ୍କ ଅନୁସାରେ ନବବିବାହିତ ଦମ୍ପତିଙ୍କୁ ସେମାନଙ୍କ ଭଡା ଘରେ ହତ୍ୟା କରାଯାଇଛି । ଏହି ଅପରାଧ ଘଟାଇବା ପରେ ନବବିବାହିତାଙ୍କ ବାପା ପୋଲିସ ଷ୍ଟେସନରେ ପହଞ୍ଚି ନିଜର ଅପରାଧ ସ୍ୱୀକାର କରି ଆତ୍ମସମର୍ପଣ କରିଥିଲେ । ଏହି ଦମ୍ପତି ଉଭୟେ ଅନୁସୂଚିତ ଜାତିର । ନବବିବାହିତା ଜଣକ କଲେଜରେ ପାଠ ପଢ଼ୁଥିବା ବେଳେ ଏବଂ ତାଙ୍କ ସ୍ୱାମୀ ସ୍କୁଲ ପରେ ଆଉ ପାଠ ପଢ଼ିନାହାନ୍ତି । କମ୍ ପାଠୁଆ ହୋଇଥିବାରୁ ତାଙ୍କୁ ଶ୍ୱଶୁର ପସନ୍ଦ କରୁନଥିଲେ । ତେଣୁ ସେ ଝିଅର ପରିବାର ଉଜାଡ଼ି ଦେଇଛନ୍ତି ।