ବାପାର ବୁକୁ ଫଟା ଚିତ୍କାର ! ମୋ ପୁଅକୁ ଫାଶୀ ଦିଅ, ତା ମୁଁହ ଚାହିଁବିନି ମୁଁ..

‘ମୋ ପୁଅକୁ ଫାଶୀ ଦିଅ ତା ମୁହଁ ଆମେ ଆଉ ଦେଖିବୁନି’ । ସ୍ତ୍ରୀକୁ ହରାଇବା ପରେ ଏଭଳି କ୍ଷୋଭର ସହ କହୁଛନ୍ତି ଧୈର୍ଯ୍ୟହରା ସ୍ୱାମୀ । ହତ୍ୟାକାଣ୍ଡ ସ୍ଥଳରେ ବସି କାନ୍ଦୁଛନ୍ତି ବୁକୁ ଫଟା କାନ୍ଦ ।

Mother Killed Bhubaneswar

ନିଶା ପାଇଁ ପୁଅ ସାଜିଲା ସଇତାନ । ନିଶା ଖାଇବାକୁ ଟଙ୍କା ନଦେବାରୁ ମାଆକୁ ହତ୍ୟା କରି ଜାଳିଦେଲା ଜହ୍ଲାଦ ପୁଅ । ଭୁବନେଶ୍ୱର ବଡ଼ଗଡ଼ ଥାନା ଅଞ୍ଚଳରେ ମାଆକୁ ପୁଅ ପୋଡ଼ି ମାରିଦେବା ଘଟଣାରେ ତଦନ୍ତ କରିବା ସହ ଅଭିଯୁକ୍ତ ପୁଅକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ପୁଅକୁ ଫାଶୀ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି ।

‘ମୋ ପୁଅକୁ ଫାଶୀ ଦିଅ ତା ମୁହଁ ଆମେ ଆଉ ଦେଖିବୁନି’ । ସ୍ତ୍ରୀକୁ ହରାଇବା ପରେ ଏଭଳି କ୍ଷୋଭର ସହ କହୁଛନ୍ତି ଧୈର୍ଯ୍ୟହରା ସ୍ୱାମୀ । ହତ୍ୟାକାଣ୍ଡ ସ୍ଥଳରେ ବସି କାନ୍ଦୁଛନ୍ତି ବୁକୁ ଫଟା କାନ୍ଦ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ବଡ଼ଗଡ଼ କଳିଙ୍ଗ ବସ୍ତିରେ ଥିବା ସେହି ଘରେ ଯେଉଁଠି ମାଆକୁ ହତ୍ୟା କରିବା ପରେ ପୋଡ଼ି ଦେଇଛି ଅଭିଯୁକ୍ତ ପୁଅ ।

ଅଭିଯୋଗ ଅନୁଯାୟୀ ପୁଅ ପ୍ରଶାନ୍ତ ଜେନା ଓରଫ କାଳିଆ ନିଶା ଖାଇବା ପାଇଁ ମାଆ ରଶ୍ମିତା ଜେନାଙ୍କୁ ଟଙ୍କା ମାଗିଥିଲା । ମାତ୍ର ମାଆ ଟଙ୍କା ନଦେବାରୁ ପୁଅ ଉତ୍‌କ୍ଷିପ୍ତ ହୋଇ ପ୍ରଥମେ ମାଆଙ୍କ ମୁଣ୍ଡକୁ କାନ୍ଥରେ ପିଟି ଦେଇଥିଲା । ପରେ ଏକ ରେଡିଓ ସାହାଯ୍ୟରେ ମୁଣ୍ଡକୁ ଛେଚି ଦେଇଥିଲା । ଫଳରେ ଘଟଣାସ୍ଥଳରେ ମାଆର ମୃତ୍ୟୁ ଘଟିଥିଲା । ପରେ ଆସବାବପତ୍ର ପକାଇ ଘର ଭିତରେ ହିଁ ମୃତଦେହ ଜାଳି ଦେଇଥିଲା ପୁଅ । ଅଭିଯୁକ୍ତ ପୁଅକୁ ପୋଲିସ ଗିରଫ କରିବା ସହ ତନାଘନା ଚଳାଇଛି ।

ଅଭିଯୁକ୍ତ ପୁଅ ଜଣକ ପେଶାରେ ଡ୍ରାଇଭର । ମାତ୍ର ଦୀର୍ଘ ବର୍ଷରୁ କୌଣସି କାମ ନ କରିବା ସହ ନିଶା ସେବନ କରୁଥିଲା । ନିଶା ଖାଇବା ପାଇଁ ମାଆ ଠାରୁ ନେଉଥିଲା ଟଙ୍କା । ମାତ୍ର ମାଆ ଟଙ୍କା ଦେବାକୁ ମନା କରିବାରୁ ଏଭଳି ଜଘଣ୍ୟ କାଣ୍ଡ ଘଟାଇଛି ଅଭିଯୁକ୍ତ ପୁଅ । ତା ବିରୋଧରେ ଲାଗିଛି ଦଫା ୩୦୨ । ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀ ଏବଂ ମୃତଦେହ ଅବଶେଷ ଜବତ କରିବା ସହ ତଦନ୍ତ ଚଳାଇଛି ପୋଲିସ । ଟଙ୍କା ପାଇଁ ମାଆକୁ ପୁଅ ହତ୍ୟା କରିବା ଏବଂ ଘର ଭିତରେ ପୋଡ଼ିଦେବା ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି ।