‘ସ୍ୱାମୀ ନାଁରେ FIR ଦେଇନି, ହେଲେ ବି ଉଠେଇ ନେଇ ପିଟିଲେ’

ଆମ ସ୍ୱାମୀ-ସ୍ତ୍ରୀ ଭିତରେ ଝଗଡା ହୋଇଥିଲା । କିନ୍ତୁ ପୋଲିସ ବାଲା ଆସି ମତେ ଜୋର ଜବରଦସ୍ତ ଉଠାଇ ନେଲେ। ମୁଁ ଯେତେ କାକୁତିମୀନତି ହେଲି କେହି ଶୁଣିଲେନି। ମୁଁ ରକ୍ତବାନ୍ତି କଲା ପରେ ବି ମତେ ଛାଡିଲେନି। ସେପଟେ ସ୍ତ୍ରୀ କହୁଛନ୍ତି ସ୍ୱାମୀଙ୍କ ନାଁରେ ମୁଁ କୌଣସି FIR ଦେଇନି। ମୋ ଆଗରେ ସ୍ୱାମୀଙ୍କୁ ମାରିଲେ ପୋଲିସ।

Crime

ପୋଲିସ ଉପରେ ସଙ୍ଗୀନ ଆଉ ସାଙ୍ଘାତିକ ଅଭିଯୋଗ ଆଣିଲେ ଜଣେ ଯୁବକ । କହୁଛନ୍ତି, ‘ମୁଁ ଶୌଚ ହେବା ପାଇଁ ଯାଇଥିଲି। ପୋଲିସ ବାଲା ମତେ ଜୋର ଜବରଦସ୍ତ ଟେକି ନେଲେ । ଆଉ ପ୍ରବଳ ମାଡ ମାରିଲେ । ଥାନାରେ ମତେ ଉଲଗ୍ନ କରି ପ୍ରବଳ ମାଡ ମାରିଲେ । ମୋର ବାନ୍ତି ହେଲା । ସେମାନେ ସମସ୍ତେ ଦେଖିଲେ କିନ୍ତୁ କେହି ଛାଡିଲେନି । ମୋ ନାଁରେ ତ କେହି FIR ଦେଇ ନାହାନ୍ତି ତେବେ ପୋଲିସ ମତେ ନେଲା କାହିଁକ’? ମେଡିକାଲ ବେଡ୍‌ରେ ଶୋଇ କେନ୍ଦ୍ରାପଡା ପୋଲିସକୁ ଏମିତି ପ୍ରଶ୍ନ କରିଛନ୍ତି ଜଣେ ଯୁବକ ।

ଅଭିଯୋଗ କରିଥିବା ଯୁବକ ଜଣକ ହେଉଛନ୍ତି ରବିନ୍ଦ୍ର ଦାସ । ଘର କେନ୍ଦ୍ରାପଡା ଆଳି ଥାନା କଳଦିଆ ଗାଁରେ । ସାମାନ୍ୟ ଘରୋଇ କଳହକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ସ୍ୱାମୀଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଥାନାକୁ ଫୋନ୍‌ କରିଥିଲେ ସ୍ତ୍ରୀ । ଆଉ ଫୋନ୍‌ ପାଇବା ପରେ ପାରିବାପଣିଆ ଦେଖାଇ ପହଞ୍ଚିଯାଇଥିଲା ପୋଲିସ । ଆଉ ବିନା କଥାବାର୍ତ୍ତାରେ ରବିନ୍ଦ୍ରଙ୍କୁ ଉଠାଇ ନେଇଥିଲା ଥାନାକୁ । ଆଉ ଥାନାରେ ପହଞ୍ଚିବା ପରେ ରବିନ୍ଦ୍ରଙ୍କ ଉପରେ ବସିଥିଲା ସାଙ୍ଘାତିକ ମାଡ ।

ରବିନ୍ଦ୍ରଙ୍କ ଅଭିଯୋଗ ଅନୁସାରେ, ସ୍ତ୍ରୀଙ୍କ ଫୋନ୍‌ ପାଇବା ପରେ ଘରେ ୫ ଜଣ ପୋଲିସ କର୍ମଚାରୀ ପହଞ୍ଚିଥିଲେ । ପରେ ସାଙ୍ଗେ ସାଙ୍ଗେ ତାଙ୍କୁ ପୋଲିସ ଗାଡିରେ ବସାଇ ଥାନାକୁ ନେବା ପରେ ଥାର୍ଡ ଡିଗ୍ରୀ ଦେଇଥିଲେ । ଏମିତିକି ବାରମ୍ବାର ରବିନ୍ଦ୍ରଙ୍କୁ ମାଡ ମରାଯାଇଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ରବିନ୍ଦ୍ରଙ୍କ ସ୍ତ୍ରୀ କହିଛନ୍ତି ଯେ, ସ୍ୱାମୀଙ୍କ ନାଁରେ ସେ କୌଣସି ଏଫଆଇଆର ଦେଇ ନାହାନ୍ତି । କେବଳ ଫୋନ୍‌ କରି ଥାନାକୁ ଜଣାଇଥିଲେ।

 

ସେପଟେ କିନ୍ତୁ ପୋଲିସ ପାଖରେ ଏକ ହାତଲେଖା ଅଭିଯୋଗ ପତ୍ର ରହିଥିବା ଜଣାପଡିଛି । କେବଳ ଏତିକି ନୁହେଁ ବରଂ ସ୍ୱାମୀଙ୍କୁ ପ୍ରବଳ ମାଡ଼ ମାରିବା ଅଭିଯୋଗରେ ମହିଳାଜଣକ ଜଣେ ଏସ୍‌ଆଇଙ୍କ ସମେତ ୫ ପୁଲିସ୍‌ କର୍ମଚାରୀଙ୍କ ନାଁରେ ଅଭିଯୋଗ କରିଥିବା ଜଣାଯାଇଛି । ଯାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ।

ତେବେ ବିଳମ୍ବିତ ରାତିରେ ପରିବାର ଲୋକେ ରବୀନ୍ଦ୍ରଙ୍କୁ ଥାନାରୁ ଘରକୁ ଆଣିଥିଲେ । ମାତ୍ର ଗୁରୁତର ହୋଇପଡିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସ୍ୱାସ୍ଥ୍ୟାବସ୍ଥାକୁ ନଜରରେ ରଖି ରବିନ୍ଦ୍ରଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲକୁ ରେଫର କରାଯାଇଛି । ତେବେ କାହିଁକି ରବିନ୍ଦ୍ରଙ୍କୁ ଏମିତି ଅମାନବୀୟ ଭାବରେ ପୋଲିସ ପିଟିଲା, ସେନେଇ ତଦନ୍ତ ହେବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଆଳି ଆଇଆଇସି ଦିଲୀପ କୁମାର ସାହୁ ।

ରିପୋର୍ଟର- ଆଳିରୁ ବନମାଳୀ ସାହୁ