ପୁଅ ସାମ୍‌ନାରେ ମା’କୁ ଟଣାଓଟରା କଲା ଯୁବକ; ବିଫଳ ହେବାରୁ ଚଳନ୍ତା ଟ୍ରେନ୍‌ରୁ ଠେଲିଦେଲା

ଜଣେ ୯ ବର୍ଷର ପୁଅ ଆଗରେ ମା’କୁ ଟଣାଓଟରା କଲା ଯୁବକ । ହେଲେ ମହିଳା ଜଣକ ଏହାକୁ ବିରୋଧ କରିବାରୁ ତାଙ୍କୁ ଚଳନ୍ତା ଟ୍ରେନ୍‌ରୁ ଠେଲିଦେଲା । ପୋଲିସ ଆଗରେ ଏପରି ଏକ ଚାଞ୍ଚଲ୍ୟ କର ତଥ୍ୟ ଦେଇଛି ପୀଡ଼ିତାଙ୍କ ନାବାଳକ ପୁଅ ।

ମହିଳାଙ୍କୁ ଟଣାଓଟରା କଲା ପରେ ଟ୍ରେନ୍‌ରୁ ଠେଲିଦେଲା

ମଣିଷ ପାଲଟିଯାଉଛି ପଶୁ । ଦିନକୁ ଦିନ ନିଜର ହିତାହିତ ଜ୍ଞାନ ହରାଇବସୁଛି । ନିକଟ ଅତୀତରେ ନାବାଳିକା ଓ ଯୁବତୀଙ୍କ ସହ ହୋଇଥିବା ଅନେକ ଦୁଷ୍କର୍ମର ଖବର ସାମ୍‌ନାକୁ ଆସିଛି । କେଉଁଠି ନର ରୂପି ରାକ୍ଷସ ଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା କରିଛି ତ ପୁଣି କେଉଁଠି ଯୁବତୀକୁ ଜୀଅନ୍ତା ଜାଳିଦେଇଛି । ହେଲେ ବର୍ତ୍ତମାନ ସେହିପରି ଆଉ ଏକ ଛାତିଥରା ଘଟଣା ସାମ୍‌ନାକୁ ଆସିଛି । ଯାହା ଜାଣିଲେ ଆପଣଙ୍କୁ ନିଶ୍ଚୟ ବିଚଳିତ କରିଦେବ । ଆଉ ଭାବିବାକୁ ବାଧ୍ୟ କରିବ, ସତରେ କ’ଣ ଜଣେ ମଣିଷ ଏମିତି କରିପାରେ...

ଜଣେ ୯ ବର୍ଷର ପୁଅ ଆଗରେ ମା’କୁ ଟଣାଓଟରା କଲା ଯୁବକ । ହେଲେ ମହିଳା ଜଣକ ଏହାକୁ ବିରୋଧ କରିବାରୁ ତାଙ୍କୁ ଚଳନ୍ତା ଟ୍ରେନ୍‌ରୁ ଠେଲିଦେଲା । ପୋଲିସ ଆଗରେ ଏପରି ଏକ ଚାଞ୍ଚଲ୍ୟ କର ତଥ୍ୟ ଦେଇଛି ପୀଡ଼ିତାଙ୍କ ନାବାଳକ ପୁଅ । ମହିଳା ଜଣକ ଦୁର୍ଘଟଣାର ଶିକାର ହେବା ପରେ ଅଚେତ ଅବସ୍ଥାରେ ଥିବା ସମୟରେ ପୋଲିସ ଆଗରେ ପିଲାଟି ଏପରି କହିଛି । ଯାହାକୁ ଶୁଣିବା ପରେ ସବୁଠି ଏହାକୁ ନିନ୍ଦା କରାଯାଉଛି ।

ଏପରି ଏକ ଘଟଣା ମୁମ୍ବାଇର ଦାଦର ରେଳ ଷ୍ଟେସନରେ ଘଟିଛି । ମହିଳା ଯାତ୍ରୀଙ୍କୁ ଚଳନ୍ତା ଟ୍ରେନରୁ ଫିଙ୍ଗିଦେଇଛି ଯୁବକ । ସୂଚନା ମୁତାବକ ଅଗଷ୍ଟ ୬ ତାରିଖ ରାତି ପ୍ରାୟ ସାଢ଼େ ୮ଟା ସମୟରେ ଏପରି ଘଟଣା ଘଟିଛି । ରେଲୱେ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।

ପୋଲିସର କହିବା ଅନୁସାରେ ପୁଣେରୁ ମୁମ୍ବାଇକୁ ଆସୁଥିବା ଉଦୟନ ଏକ୍ସପ୍ରେସରେ ଏହି ଘଟଣା ଘଟିଥିଲା । ମହିଳା ଜଣକ ଟ୍ରେନ୍‌ରେ ତାଙ୍କ ସ୍ୱାମୀଙ୍କ ନିକଟକୁ ଯାଉଥିଲେ । ଟ୍ରେନ୍‌ରେ ଯିବା ସମୟରେ ମଦ୍ୟପ ଯୁବକ ତାଙ୍କ ସହ ଅଭଦ୍ରାମୀ କରିବାକୁ ଚେଷ୍ଟା କରିବାବେଳେ ପୀଡ଼ିତା ମହିଳା ଏହାକୁ ବିରୋଧ କରିଥିଲେ । ଫଳରେ ମହିଳାଙ୍କୁ ଦାଦର ରେଳ ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନରୁ ଠେଲିଦେଥିଲା ଯୁବକ । ଏସବୁ ଘଟଣା ମହିଳାଙ୍କ ନାବାଳକ ପୁଅ ଆଖି ସାମ୍‌ନାରେ ଘଟିଛି । ପୀଡ଼ିତା ମହିଳାଙ୍କ ବୟସ ୨୯ ବର୍ଷ ବୋଲି ଜଣାପଡ଼ିଛି ।

ସେପଟେ ମହିଳାଙ୍କ ଚେତା ଫେରିବା ପରେ ସେ ପୋଲିସ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ନାବାଳକ ପୁଅ ଯାହା ଯାହା କହିଥିଲା ପୁଲିସ ଆଗରେ ସେ ସବୁକୁ ପୁଣିଥରେ କହିଛନ୍ତି ମହିଳା । ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା ୩୦୭, ୩୯୪, ୩୫୪, ୧୫୦ (୧) (ଇ), ୧୫୩, ୧୩୭, ୧୪୭, ୧୬୨ ଅନୁଯାୟୀ ମାମଲା ରୁଜୁ କରିଛି ପୋଲିସ ।