ମାରିଥିଲା ବେଙ୍ଗାଳୁରୁରେ, ଜୀବନ ହାରିଦେଲା ଭଦ୍ରକରେ

୫୯ ଖଣ୍ଡ କରି ହତ୍ୟା ପରେ ମହାଲକ୍ଷ୍ମୀଙ୍କ କଟା ଶରୀର ରଖିଥିଲା ଫ୍ରିଜରେ । ବଡ଼ଭାଇ ଦ୍ବାରା କେମିତି ହୋଇଥିଲା ମର୍ଡର, ଷ୍ଟୋରୀ କହିଲା ସାନଭାଇ ।

Bangluru murder

ବେଙ୍ଗାଳୁରୁରେ କ୍ରାଇମ୍...ଓଡ଼ିଶାରେ ସୁଇସାଇଡ୍...ପ୍ରେମିକାକୁ ହତ୍ୟା ପରେ ୫୯ ଖଣ୍ଡ କରି କଟା ଅଂଶକୁ ଫ୍ରିଜରେ ରଖି ଯେଉଁ ପ୍ରେମିକ ମାରିଥିଲା ଚମ୍ପଟ । ସେହି ପ୍ରେମିକ ଶେଷରେ ହାରିଦେଲା ଜୀବନ । ଭଦ୍ରକରୁ ସାରା ଦେଶରେ ଏବେ ଚର୍ଚ୍ଚା ଏହି ଖବରକୁ ନେଇ। ଅଭିଯୁକ୍ତ ହେଲା ମୁକ୍ତିରଞ୍ଜନ ରାୟ। ବୟସ ୩୨। ୨୭ ବର୍ଷିୟା ପ୍ରେମିକା ମହାଲକ୍ଷ୍ମୀଙ୍କୁ ବେଙ୍ଗାଳୁରୁର ଭାୟାକୁଲା ଅଞ୍ଚଳରେ ୫୯ ଖଣ୍ଡ କରି ବୀଭତ୍ସ ହତ୍ୟା ପରେ ଭଦ୍ରକ ଆସି କରିଛି ସୁଇସାଇଡ୍।

ତେବେ କାହିଁକି କରିଥିଲା ହତ୍ୟା ? କାହିଁକି ଖସି ପଳାଇ ଆସିଥିଲା ମୁକ୍ତିରଂଜନ ? ସାନଭାଇ ଶକ୍ତିରଂଜନ ମିଡ଼ିଆ ଆଗରେ ବଖାଣିଛନ୍ତି ବଡ଼ ଭାଇର କ୍ରାଇମ୍ ଷ୍ଟୋରୀ। ଶକ୍ତିଙ୍କ କହିବା କଥା, ପ୍ରଥମେ ମହାଲକ୍ଷ୍ମୀ ଓ ମୁକ୍ତିଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସେହି ଗଣ୍ଡଗୋଳରୁ ତଣ୍ଟିଚିପି ଦେବାରୁ ଚାଲିଯାଇଥିଲା ମହାଲକ୍ଷ୍ମୀଙ୍କ ଜୀବନ। ଆଉ ପ୍ରମାଣ ଲୁଚାଇବା ପାଇଁ ମରଶରୀରକୁ ଫ୍ୟାନରେ ଟାଙ୍ଗି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲା। ତେବେ ବିଫଳ ହେବାରୁ ଧାରୁଆ ଛୁରୀରେ ମହାଲକ୍ଷ୍ମୀଙ୍କ ମରଶରୀରକୁ ୫୯ ଖଣ୍ଡ କରି କାଟିବା ସହ ଫ୍ରିଜରେ ରଖି ଫେରାର୍ ମାରିଥିଲା ମୁକ୍ତିରଂଜନ। କିନ୍ତୁ, ବନ୍ଦ ଘରୁ ଦୁର୍ଗନ୍ଧ ହେବା ପରେ ପଡ଼ୋଶୀଙ୍କ ମାଧ୍ୟମରେ ସାମ୍ନାକୁ ଆସିଥିଲା ଘଟଣା।

ବେଙ୍ଗାଳୁରୁର ଏକ କପଡ଼ା ରିଟେଲ୍ ଷ୍ଟୋରରେ ମ୍ୟାନେଜର୍ ଭାବେ କାମ କରୁଥିଲା ମୁକ୍ତିରଂଜନ। ସେହି ଷ୍ଟୋରରେ ସ୍ବାମୀ ପରିତ୍ୟକ୍ତା ମହାଲକ୍ଷ୍ମୀ ବି କାମ କରୁଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ରହିଥିଲା ପ୍ରେମ ସଂପର୍କ। କିନ୍ତୁ ଏହା ଭିତରେ ଅନ୍ୟ ଏକ ଯୁବକ ଏଣ୍ଟ୍ରି ମାରିଥିଲା ମହାଲକ୍ଷ୍ମୀଙ୍କ ଜୀବନରେ। ଯାହାକୁ ନେଇ ମହାଲକ୍ଷ୍ମୀ ଓ ମୁକ୍ତିରଂଜନ ମଧ୍ୟରେ ବଢ଼ିଥିଲା ତିକ୍ତତା। ସେହି ତିକ୍ତତା ଭିତରେ ମହାଲକ୍ଷ୍ମୀ କୁଆଡ଼େ ମୁକ୍ତିରଂଜନ ଏବଂ ମୁକ୍ତିଙ୍କ ସହ ସାଙ୍ଗରେ ରହୁଥିବା ଭାଇ ସ୍ମୃତିଙ୍କୁ ହତ୍ୟା ଧମକ ଦେଇଥିଲେ। ଏହାକୁ ନେଇ ତେଜିଥିଲା ବିବାଦ।

ସେପଟେମ୍ବର ୦୩, ମଙ୍ଗଳବାର ରାତି। ମହାଲକ୍ଷ୍ମୀଙ୍କ ଘରକୁ ଯାଇଥିଲା ମୁକ୍ତିରଂଜନ। ସେଠାରେ ହତ୍ୟା କରିବା ପରେ ମୁକ୍ତିରଂଜନ ଖସିଆସିଥିଲା ଓଡ଼ିଶା । ଘଟଣା ଜଣାପଡ଼ିବା ପରେ ସାନଭାଇ ସ୍ମୃତିରଂଜନକୁ ଧରି ବେଙ୍ଗାଳୁରୁ ପୋଲିସର ତନାଘନା ଭିତରେ ବ୍ରହ୍ମପୁରରେ ରହୁଥିବା ଭାଇ ଶକ୍ତିରଂଜନ ପାଖକୁ ଆସିଥିଲା ମୁକ୍ତି। ସେଠାରୁ ଯାଇଥିଲା ଭଦ୍ରକ। ଆଉ ଭଦ୍ରକ ଧୁଷୁରି ଥାନା କୁଳେଇପଦା ଗାଁ ନିକଟରେ ସ୍କୁଟି ଓ ଲ୍ୟାପଟପ୍ ଛାଡ଼ି କରିଦେଇଥିଲା ସୁଇସାଇଡ୍। ଯେଉଁଥିରେ ହତ୍ୟାର କାରଣ ସଂପର୍କରେ ମୁକ୍ତିରଂଜନ ଦର୍ଶାଇଥିବା କହିଛି ଭଦ୍ରକ ପୋଲିସ।

ଏବେ କେମିତି ପ୍ରମାଣିତ ହେବ ଏହି ଲୋମଟାଙ୍କୁରା କାଣ୍ଡ ପଛର କାରଣ ? ବାସ୍ତବରେ ସଂପର୍କରେ ତିକ୍ତତା ନା ଆଉ କେଉଁ କାରଣରୁ ଘଟିଛି ବୀଭତ୍ସ ହତ୍ୟା ? ମୁକ୍ତିରଂଜନଙ୍କ ଆତ୍ମହତ୍ୟା ଓ ସୁଇସାଇଡ୍ ନୋଟ୍ ପଛର ସତ୍ୟତା କେତେ ? ବେଙ୍ଗାଳୁରୁ ପୋଲିସ୍ ଭଦ୍ରକ ଆସି ତନାଘନା ଚଳାଇଛି।