ପରିବାରକୁ ବିଷ ଦେଇ ନିଜେ ଝୁଲିପଡ଼ିଲେ
ମୈସୁରରେ ଋଣ ଭାରରେ ବୁଡ଼ିଥିବା ଜଣେ ବ୍ୟକ୍ତି ଏତେ ଚାପଗ୍ରସ୍ତ ହେଇଗଲେ ଯେ ଶେଷରେ ନରହନ୍ତା ପାଲଟିଗଲେ। ନିଜ ହାତରେ ପତ୍ନୀ, ପୁଅ ଓ ଜନ୍ମକଲା ମା‘ଙ୍କୁ ହତ୍ୟା କରିବା ପରେ ନିଜେ ଝୁଲିପଡ଼ି ଆତ୍ମହତ୍ୟା କରିଛନ୍ତି। ବନ୍ଦ ଘର ଭିତରେ ଘଟିଥିବା ଏଭଳି ଦୁଃଖଦ ଘଟଣା ମୈସୁରରେ ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଋଣ ଭାରକୁ ନେଇ ଯେଉଁ ସନ୍ଦେହ କରାଯାଉଛି, ଏହାକୁ ନେଇ ତଦନ୍ତ ଚଳାଇଛି।
ପରିବାର କହିଲେ ୪ ସଦସ୍ୟ
କର୍ଣ୍ଣାଟକର ମୈସୁର ଜିଲ୍ଲାର ଗୋରୁରର ବାସିନ୍ଦା ଚେତନ ମୈସୁରର ବାସିନ୍ଦା ରୂପାଲିଙ୍କୁ ବିବାହ କରନ୍ତି। ବିବାହ ପରେ ଏହି ଦମ୍ପତ୍ତି ମୈସୁରର ବିଶ୍ୱେଶ୍ୱରାୟ ନଗର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ରୁହନ୍ତି। ଏହି ଆପାର୍ଟମେଣ୍ଟର ଗୋଟିଏ ଫ୍ଲାଟରେ ୪୫ ବର୍ଷୀୟ ଚେତନ ତାଙ୍କ ପତ୍ନୀ ରୂପାଲି (୪୩), ପୁଅ କୁଶାଲ (୧୫)ଙ୍କ ସହିତ ରହୁଥିବା ବେଳେ ଅନ୍ୟ ଏକ ଫ୍ଲାଟରେ ଚେତନଙ୍କ ମା‘ ପ୍ରିୟମ୍ବଦା(୬୨) ରହୁଥିଲେ।
ଭାଇ ! ଆମେ ଆତ୍ମହତ୍ୟା କରିବାକୁ ଯାଉଛୁ…
ଫେବ୍ରୁଆରି ୧୬ ତାରିଖରେ ଏହି ପରିବାର ହାସନର ଗୋରୁର ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ଅରବିନ୍ଦନଗରସ୍ଥିତ ରୂପାଲିଙ୍କ ବାପ ଘରକୁ ଫେରିବା ବେଳେ ଯାଇଥିଲେ। ସେଠାରେ ସମସ୍ତେ ରାତ୍ରୀ ଭୋଜନ ସାରି ନିଜ ଆପାର୍ଟମେଣ୍ଟକୁ ଫେରିଥିଲେ। ସେଦିନ ବିଳମ୍ବିତ ରାତି ଅର୍ଥାତ ୧୭ ତାରିଖ ଭୋର ୪ଟା ସମୟ। ଚେତନ ଆମେରିକାରେ ରହୁଥିବା ତାଙ୍କ ଭାଇ ଭରତଙ୍କୁ ଫୋନ୍ କରିଥିଲେ। ଏଇଟା ଯେ ଚେତନଙ୍କ ଶେଷ ଫୋନ୍ କଲ୍ ଥିଲା ଏକଥା ଭରତ ବୁଝିପାରିନଥିଲେ।
ଫୋନ୍ କାଟିବା ପୂର୍ବରୁ ଚେତନ କହିଥିଲେ ଭାଇ…"ଆମେ ଆତ୍ମହତ୍ୟା କରିବାକୁ ଯାଉଛୁ। ବାସ୍ ଏହି ଧାଡ଼ିଏ କଥା ପରେ ଫୋନ୍ କଟିଯାଇଥିଲା। ଭରତ ତୁରନ୍ତ ରୂପାଲିଙ୍କ ବାପ ଘର ଲୋକଙ୍କୁ ଫୋନ୍ କରିଥିଲେ। ତାଙ୍କ ବାପା ସେଥୁରମଣ ଆପାର୍ଟମେଣ୍ଟରେ ପହଞ୍ଚିବା ବେଳକୁ ପରିବାରର ସମସ୍ତ ସଦସ୍ୟ ଏ ଦୁନିଆରେ ଆଉ ନଥିଲେ।
ପୁରା ପରିବାରକୁ ବିଷ ଦେଇ ନିଜେ ଝୁଲିପଡ଼ିଲେ
ଚେତନ ଏଭଳି ପଦକ୍ଷେପ ନେବା ପୂର୍ବରୁ ନିଜ ପତ୍ନୀ, ପୁଅ ଓ ବୁଢ଼ୀ ମା‘ଙ୍କୁ ବିଷ ଦେଇ ମାରିଦେଲେ। ପରବର୍ତ୍ତି ସମୟରେ ନିଜେ ଝୁଲି ଆତ୍ମହତ୍ୟା କରିଛନ୍ତି। ଏ ନେଇ ବିଦ୍ୟାରଣ୍ୟପୁରମ୍ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ପୁଲିସ ଅଧିକ ଖୋଳତାଡ଼ ଜାରି ରଖିଛି। ତେବେ ବୁଢ଼ୀ ମା’ଙ୍କ ଶବ ସେ ରହୁଥିବା ଫ୍ଲାଟରୁ ମିଳିଥିବା ବେଳେ ଚେତନ ରହୁଥିବା ଫ୍ଲାଟରୁ ଚେତନ ସମେତ ପତ୍ନୀ ଓ ପୁଅର ଶବ ମିଳିଥିଲା।
ମାରିଦେଲା ଋଣ ଟଙ୍କା
ମେକାନିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ଚେତନ ୨୦୧୯ରେ ଦୁବାଇରୁ ଫେରିଥିଲେ। ଏହାପରେ ସେ ପାଲଟିଗଲେ ଶ୍ରମିକ କଣ୍ଟ୍ରାକ୍ଟର। ସାଉଦି ଆରବରେ କାମ କରିବାକୁ ଶ୍ରମିକ ପଠାଉଥିଲେ। ଏହିଭଳି କାର୍ଯ୍ୟ କରି ପରିବାର ଚଳାଉଥିଲେ। କିନ୍ତୁ ପରବର୍ତ୍ତି ସମୟରେ ଋଣରେ ବୁଡ଼ିଯାଇଥିଲେ। ଘର ପାଇଁ ଋଣ ଆଣିଥିବା କୁହାଯାଏ। ଏହି ଋଣ ଚାପରେ ମାନସିକ ସ୍ତରରେ ସେ ଭାଙ୍ଗିପଡ଼ିଥିଲେ। ଶେଷରେ ଏ ପ୍ରକାର ପଦକ୍ଷେପ ଚେତନ ନେଇଥିବା ପୁଲିସ ତଦନ୍ତ ସମୟରେ ସନ୍ଦେହ କରୁଛି। ତେବେ ମାମଲାର ଖୋଳତାଡ଼ ଏବେ ଚାଲିଥିବା ବେଳେ ଏଭଳି ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ନୂଆ ଦିଗ ସାମନାକୁ ଆସିବାକୁ ଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740560374.jpg)