ଲୁଟ୍ ପୂର୍ବରୁ ଭଗବାନଙ୍କୂ ପୂଜା ! ରସଗୋଲା ଭୋଗ ଲଗାଇ ଔଷଧ ଦୋକାନୀଙ୍କୁ ଲୁଟୁଥିଲେ ଲୁଟେରା

ରସଗୋଲା ଭୋଗ ଲଗାଇ ଔଷଧ ଦୋକାନୀଙ୍କ ଲୁଟ୍ କରୁଥିଲେ ଦୁର୍ବୃତ୍ତ । ଏବେ ପଡ଼ିଲେ ପୋଲିସ୍ ପଞ୍ଛାରେ ।

ଭୁବନେଶ୍ୱରରେ ଔଷଧ ଦୋକାନୀଙ୍କୁ ଚକମା ଦେଇ ଲୁଟ୍ ଘଟଣାର ପର୍ଦ୍ଦାଫାସ

ଭୁବନେଶ୍ୱରରେ ଔଷଧ ଦୋକାନୀଙ୍କୁ ଚକମା ଦେଇ ଲୁଟ୍ ଘଟଣାର ପର୍ଦ୍ଦାଫାସ । ଘଟଣାରେ ୪ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେମାନଙ୍କ ଠାରୁ ନଗଦ ୩୯ ହଜାର ଟଙ୍କା, ଗୋଟିଏ ଆଧାର କାର୍ଡ, ୨ଟି ଭୋଟ ଆଇଡି, ୪ଟି ମୋବାଇଲ ଜବତ ହୋଇଛି ।

ଗିରଫ ଅଭିଯୁକ୍ତ ମାନଙ୍କ ମାଷ୍ଟର ମାଇଣ୍ଡ ଥିଲା ରଙ୍ଗ ମିସ୍ତ୍ରୀ ରାଜୁ ସିଂ । ସେ ୧୦ ବର୍ଷ ହେଲା କଲିକତାରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲେ । ଲକଠାଉନ ଯୋଗୁ କାମ ନମିଳିବାରୁ ସେ ବ୍ରହ୍ମପୁର ପଳାଇ ଆସିଥିଲା । ସେଠାରେ ଏକ ଲେଡିଜ୍ କର୍ଣ୍ଣର ଓ ପୁରୁଣା ବସଷ୍ଟାଣ୍ଡ ପାଖ ଏକ ଔଷଧ ଦୋକାନରୁ ଲୁଟ୍ କରି ୧୭ ତାରିଖ ସକାଳେ ଭୁବନେଶ୍ୱରରେ ପହଞ୍ଚିଥିଲା । ଭୁବନେଶ୍ୱର ରେଳ ଷ୍ଟେସନ୍ ପାଖ ଏକ ଗେଷ୍ଟ ହାଉସରେ ୨ ଟି ରୁମ୍ ନେଇ ରାଜୁ ଓ ତାର ସହଯୋଗୀ ରହିଥିଲେ ।

 

ଏହାପରେ ହୋଟେଲ୍ ବଦଳାଇବା ସହ ୨୦ ତାରିଖରେ ବଡ଼ଗଡ଼, ୨୧ରେ ନୟାପଲ୍ଲୀ, ୨୨ରେ ଶ୍ରୀଲିଙ୍ଗରାଜ ଓ ୨୪ରେ ଖାରବେଳ ନଗର ଥାନାର ବିଭିନ୍ନ ଔଷଧ ଦୋକାନରୁ ଠକାମି କରି ଲୁଟ୍ କରିଥିଲେ । କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ସେମାନଙ୍କୁ ଧରିବାରେ ସଫଳ ହୋଇଛି ।

ପୋଲିସର ସୂଚନା ଅନୁଯାୟୀ ଲୁଟେରା ମାନେ ଗ୍ରାହକ ଭାବେ ଆସି ନିର୍ଦ୍ଦିଷ୍ଟ ଦୋକାନକୁ ଟାର୍ଗେଟ କରି ୩ ଜଣ ମିଶି ଲୁଟ୍ କରୁଥିଲେ । ଔଷଧ କିଣିବା ଆଳରେ ପ୍ରକୃତ ମୂଲ୍ୟଠାରୁ କମ୍ ମୂଲ୍ୟ ଦେଇ ପାଟିତୁଣ୍ଡ କରି ଖସିଯାଉଥିଲେ । ବଳକା ଟଙ୍କା ଆଣିବା ପାଇଁ ଦୋକାନୀ ପଛରେ ଯିବା ପରେ ପୂର୍ବରୁ ଛକି ରହିଥିବା ଅନ୍ୟ ଲୁଟେରା କ୍ୟାସ୍ କାଉଣ୍ଟରରୁ ଟଙ୍କା ଲୁଟି ଫେରାର ହୋଇଯାଏ । ଘଟଣାର ମାଷ୍ଟର ମାଇଣ୍ଡ ରାଜୁ ସିଂର ଘର ପଶ୍ଚମବଙ୍ଗର ଚବିଶ ପ୍ରଗଣାରେ ।

ଗିରଫ ଅଭିଯୁକ୍ତ ମାନେ ଦିନ ମଜୁରିଆ ଓ ରଙ୍ଗମିସ୍ତ୍ରୀ କାମ କରନ୍ତି । ଅନ୍ୟ ସହଯୋଗୀକୁ ଧରିବାକୁ ଉଦ୍ୟମ ଚାଲିଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି । ସବୁଠୁ ମଜାଦାର କଥା ହେଲା ଲୁଟେରାମାନେ ଲୁଟ୍ କରିବା ପୂର୍ବରୁ ଏକ ପ୍ଲାଷ୍ଟିକ୍ ଚେୟାରରେ ରସଗୋଲା ରଖି ଭୋଗ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।