ଚଢ଼ାଉ ବେଳେ ପୋଲିସ ଉପରକୁ ଗୁଳି ଚଳାଇଲେ ଲୁଟେରା ଗ୍ୟାଙ୍ଗ୍‌; ୩ ଗିରଫ

ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ଯାଇଥିବା ପୋଲିସ୍‌ ଉପରକୁ ଅତର୍କିତ ଗୁଳି ଚଳାଇଲେ ଲୁଟେରା । ଏହି ଫାୟାରିଂରେ କେହି ପୋଲିସ୍‌ କର୍ମୀ ଆହତ ହୋଇ ନ ଥିବା ବେଳେ ୩ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ୍‌ ।

Firing

ପୋଲିସ ଉପରକୁ ଗୁଳି ଚଳାଇଲେ ଲୁଟେରା ଗ୍ୟାଙ୍ଗ । ଏହି ଗ୍ୟାଙ୍ଗକୁ ଧରିବା ବେଳେ ଗୁଳିମାଡ଼ର ଶିକାର ହୋଇଛନ୍ତି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ପୋଲିସ । ତେବେ ଏହି ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଖଇରପଟି ଗାଁର ରମେଶ ବେହେରା, ଚାନ୍ଦପୁର ଦାଣ୍ଡସାହିର ସୋମନାଥ ସାହୁ ଓ ଗୋଡ଼ିପଡ଼ା ଫାଣ୍ଡି ଅଞ୍ଚଳ କଇଁଫୁଲିଆ ଗାଁର ଅଶୋକ ସେନାପତି ।

ଏମାନଙ୍କ ପାଖରୁ ୫ଟି ବାଇକ୍, ୫ଟି ମୋବାଇଲ୍ ଓ ଗୋଟିଏ ଦେଶୀ ପିସ୍ତଲ ଜବତ ହୋଇଛି । ଗିରଫ ୩ ଜଣ ପୂର୍ବରୁ ବିଭିନ୍ନ ସ୍ଥାନରେ ଲୁଟ୍ ଓ ରାହାଜାନୀ କରୁଥିବା ନେଇ ପୋଲିସ ପାଖରେ ସୂଚନା ଥିଲା । ଏହାପରେ ସେମାନଙ୍କୁ ଧରିବା ଲାଗି ଶରଣକୂଳ ଥାନା ପୋଲିସ ଯୋଜନା କରିଥିଲା । ତିନି ଜଣ ବିଭିନ୍ନ ସ୍ଥାନରୁ ଲୁଟ୍ କରିବା ପରେ ଖଇରପଟିରେ ଥିବା ରମେଶଙ୍କ ଘରେ ଆଶ୍ରୟ ନେଇଥିଲେ ।

ଗତକାଲି ଭୋରରୁ ପୋଲିସ ସେଠାରେ ଚଢ଼ଉ କରିଥିଲା । ତେବେ ଚଢ଼ଉ ବେଳେ ସେମାନେ ଗୁଳି ଚଳାଇଥିଲେ, ସୌଭାଗ୍ୟବଶତଃ କାହା ଦେହରେ ଗୁଳି ଲାଗିନଥିଲା । ଏହି ୩ ଜଣଙ୍କୁ ପୁଲିସ୍‌ ଗିରଫ କରିଥିବା ବେଳେ ସେମାନଙ୍କ ଉପରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି । ଜବତ ବାଇକ୍‌ଗୁଡ଼ିକ ଚୋରା କି ନୁହେଁ ତଥା କେଉଁ କେଉଁ ମାମଲାରେ ସେମାନେ ସମ୍ପୃକ୍ତ ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌।