murder
ସବୁ ଦିନ ପରି ଚା’ ଖଟିକୁ ଯାଇଥିଲେ । ଚା’ ପିଇ ଘରକୁ ଫେରୁଥିଲେ । ଦୁର୍ବୃତ୍ତମାନେ ଆସି ବିଚ୍ ରାସ୍ତାରେ ଗୁଳି ଚଳାଇଲେ । ସେଇଠି ଟଳିପଡିଲେ ଓକିଲ । ତାଙ୍କୁ ଡାକ୍ତରଖାନାକୁ ନିଆଗଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅପରାଧୀଙ୍କୁ ଧରିବାକୁ ପୋଲିସ୍ ତତ୍ପର ହୋଇଉଠିଛି । ଓକିଲମାନେ ଏହି ଘଟଣାରେ ଆନ୍ଦୋଳନ ଚଳାଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ବିହାରରେ ୪ଟି ହତ୍ୟା ଘଟଣା ଘଟିଛି । ଜଣେ ଓକିଲଙ୍କ ସମେତ ମୋଟ ଚାରି ଜଣଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାଗୁଡ଼ିକ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ନିର୍ବାଚନ ପୂର୍ବରୁ ବିହାର ଅଶାନ୍ତ ହୋଇପଡିଥିବାର ଅଭିଯୋଗ ହେଉଛି ।
ପାଟନାର ସୁଲତାନଗଞ୍ଜ ଥାନା ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ଜଣେ ଓକିଲ ଜିତେନ୍ଦ୍ର କୁମାର ମହତୋଙ୍କୁ ଅଜଣା ଅପରାଧୀମାନେ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ସୁଲତାନଗଞ୍ଜ ଥାନାଠାରୁ ମାତ୍ର ୩୦୦ ମିଟର ଦୂରରେ ଘଟିଛି। ଜିତେନ୍ଦ୍ର ଏକ ଚା’ ଷ୍ଟଲରେ ଚା’ ପିଇବା ପରେ ଫେରୁଥିବା ସମୟରେ ଅପରାଧୀମାନେ ତାଙ୍କ ଉପରେ ଗୁଳି ଚଳାଇଥିଲେ। ତାଙ୍କୁ ତୁରନ୍ତ ପାଟନା ମେଡିକାଲ କଲେଜ ଓ ହସ୍ପିଟାଲ (PMCH)ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେ ସେଠାରେ ମୃତ ଘୋଷିତ ହୋଇଥିଲେ।
ପାଟନା ପୂର୍ବର ଏସପି ପରିଚୟ କୁମାର କହିଛନ୍ତି ଯେ ଘଟଣାସ୍ଥଳରୁ ତିନୋଟି ଖୋକା ଜବତ କରାଯାଇଛି। ଅପରାଧୀମାନେ ଘଟଣା ପରେ ଫେରାର ହୋଇଯାଇଛନ୍ତି। ଅପରାଧୀମାନଙ୍କ ପରିଚୟ ଓ ହତ୍ୟାର ଉଦ୍ଦେଶ୍ୟ ଜାଣିବା ପାଇଁ ତଦନ୍ତ ଜାରି ରହିଛି।
ଜିତେନ୍ଦ୍ର କୁମାର ବୃତ୍ତିରେ ଜଣେ ଓକିଲ ଥିଲେ, କିନ୍ତୁ ଗତ ଦୁଇ ବର୍ଷ ହେଲା ସେ ସକ୍ରିୟ ଭାବେ ଓକାଲତି କରୁ ନଥିଲେ।
ଗତ ୨୪ ଘଣ୍ଟା ମଧ୍ୟରେ ବିହାରର ଅନ୍ୟ ଜିଲ୍ଲାଗୁଡ଼ିକରେ ତିନିଟି ହତ୍ୟାକାଣ୍ଡ ମଧ୍ୟ ଘଟିଛି । ଗତକାଲି ରାତିରେ ନାଳନ୍ଦାର ଦୁମରାୱାନ ଗାଁରେ ଦୁଇ ପରିବାରର ପିଲାମାନଙ୍କ ମଧ୍ୟରେ ଖେଳକୁ ନେଇ ବିବାଦ ହିଂସାତ୍ମକ ରୂପ ନେଇଥିଲା। ଏହା ପରେ ଦୁଇ ପରିବାର ପରସ୍ପର ଉପରେ ଗୁଳି ଚଳାଇଥିଲେ । ଏହି ଗୁଳିକାଣ୍ଡରେ ଅନୁ କୁମାରୀ (୨୨ ବର୍ଷ) ଏବଂ ହିମାଂଶୁ କୁମାର (୨୪ ବର୍ଷ)ଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲକୁ ନେଇଥିଲା । ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା ।
ଗତ ରାତିରେ ପାଟନାର ଖଗୌଲ ଅଞ୍ଚଳରେ ୫୦ ବର୍ଷୀୟ ବ୍ୟବସାୟୀ ଅଜିତ କୁମାରଙ୍କୁ ଅଜଣା ଅପରାଧୀମାନେ ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣାର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ, କିନ୍ତୁ ଏହା ପଛରେ ପୁରୁଣା ଶତ୍ରୁତା କିମ୍ବା ବ୍ୟକ୍ତିଗତ ବିବାଦ ଥିବାର ପୋଲିସ ସନ୍ଦେହ କରୁଛି।
ମୁଜାଫରପୁରର ମାଦିପୁର ଅଞ୍ଚଳରେ ଜଣେ ସରକାରୀ ଜୁନିଅର ଇଞ୍ଜିନିୟର ମହମ୍ମଦ ମୁମତାଜଙ୍କୁ ତାଙ୍କ ଘରେ ପଶି ଡକାୟତମାନେ ଛୁରୀ ଭୁସି ହତ୍ୟା କରିଥିଲେ। ଏହି ଘଟଣା ତାଙ୍କ ପରିବାର ସଦସ୍ୟଙ୍କ ଆଗରେ ଘଟିଥିଲା ।
ପାଟନାରେ ଓକିଲ ଜିତେନ୍ଦ୍ର କୁମାରଙ୍କ ହତ୍ୟା ପରେ ସ୍ଥାନୀୟ ଓକିଲମାନେ ପୋଲିସ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ ଏବଂ କାର୍ଯ୍ୟ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଓକିଲ ଶଶୀକାନ୍ତ ଯାଦବ ସାଧୁ କହିଛନ୍ତି, “ଅପରାଧୀମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯାଉ ଏବଂ ତଦନ୍ତ ଦୁଇ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ ହେଉ।”
ଏହି ଘଟଣାକୁ ନେଇ ରାଜନୈତିକ ସ୍ତରରେ ବୟାନବାଜି ଆରମ୍ଭ ହୋଇଛି । ବିହାର ଭାରତର ଅପରାଧ ରାଜଧାନୀରେ ପରିଣତ ହୋଇଥିବା ଅଭିଯୋଗ କରିଛନ୍ତି ବିଭିନ୍ନ ବିରୋଧୀ ରାଜନୈତିକ ଦଳ । ସରକାରୀ ଦଳ ଜନତା ଦଳ (ୟୁନାଇଟେଡ) ଏହି ଅଭିଯୋଗକୁ ଖଣ୍ଡନ କରି କହିଛି ଯେ ପୋଲିସ ଅନେକ ମାମଲାରେ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/murder_1752415340.jpg)