ସାମ୍ନାକୁ ଆସିବ ସତ! ! ଅଭିଯୁକ୍ତର ହେବ ପଲିଗ୍ରାଫ୍ ଟେଷ୍ଟ, ହାଇକୋର୍ଟ ଦେଲେ ଅନୁମତି

ଆଜି ତୃତୀୟ ଦିନରେ RG କର ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ପଚରାଉଚରା କରିଛି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିକେସନ୍ ।

Kolkata Murder Case

କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତର ହେବ ପଲିଗ୍ରାଫ ଟେଷ୍ଟ । ଅଭିଯୁକ୍ତ ସଞ୍ଜୟ ରାୟର ଲାଇ ଡିଟେକ୍ଟର ଟେଷ୍ଟ ପାଇଁ ହାଇକୋର୍ଟ ସିବିଆଇକୁ ଅନୁମତି ଦେଇଛନ୍ତି । ସୂଚନା ଅନୁସାରେ, ଆସନ୍ତାକାଲି ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟ କରାଯାଇପାରେ। ସେପଟେ ଆଜି ତୃତୀୟ ଦିନରେ RG କର ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ପଚରାଉଚରା କରିଛି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିକେସନ୍ ।

ଘଟଣାର ପ୍ରଥମ ଦିନରୁ ସନ୍ଦେହ ଘେରକୁ ଆସିଥିଲେ ସନ୍ଦୀପ । ପରିବାରଲୋକେ ଓ ଡାକ୍ତର ମାନେ ସନ୍ଦୀପଙ୍କ ଭୂମିକାକୁ ସନ୍ଦେହ ପ୍ରକଟ କରିଛନ୍ତି । ତେଣୁ ତାଙ୍କୁ ଘନ ଘନ ଜେରା ଚାଲିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ସନ୍ଦୀପଙ୍କୁ ମୁଖ୍ୟତଃ କିଛି ପ୍ରଶ୍ନ କରଯାଇଛି । ଯେପରି, ପୀଡ଼ିତା ଅଭୟ୍ୟାଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ସେ କାହିଁକି ପରିବାରକୁ କହିଥିଲେ?

କ୍ରାଇମ୍ ସିନ୍‌କୁ କାହିଁକି ସୁରକ୍ଷିତ ରଖିନଥିଲେ? କାହିଁକି ବାରମ୍ବାର ନିଜ ମନ୍ତବ୍ୟ ବଦଳାଇଥିଲେ? ବହୁ ସମୟ ଧରି କାହିଁକି ପରିବାରଲୋକଙ୍କୁ ପୀଡ଼ିତାଙ୍କ ମୃତଦେହ ଦେଖାଇନଥିଲେ ଭଳି ଏକାଧିକ ପ୍ରଶ୍ନ । ସେପଟେ ସାମ୍ନାକୁ ଆସିଛି କୋଲକାତା ପୀଡ଼ିତାଙ୍କ ଅଟୋପସି ରିପୋର୍ଟ । ଆଉ ଏହି ରିପୋର୍ଟ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି ।

ସେ ଦିନ ରାତିରେ ଅଭିଯୁକ୍ତ ପିଶାଚ ସହ ଖୁବ୍ ଲଢ଼ିଥିଲେ ବାହାଦୂର ଅଭୟ୍ୟା । ଫଳରେ ଶରୀର ପ୍ରାୟ ସବୁ ଭାଗରେ ଆଘାତ ଲାଗିଥିଲା । ଏମିତି କୌଣସି ଅଂଶ ନଥିଲା ଯେଉଁଠି ଆଘାତ ଲାଗିନି, ଯେଉଁଠି କ୍ଷତ ପହଞ୍ଚିନି । ପୋଷ୍ଟମର୍ଟମ ଓ ପରେ ସମ୍ପୂର୍ଣ୍ଣ ଅଟୋପସି ରିପୋର୍ଟରେ ଛାତି ଦୋହଲାଇଲା ଭଳି ତଥ୍ୟ ଏବେ ସାମ୍ନାକୁ ଆସିଛି ।

ଅଭୟ୍ୟାଙ୍କ ଶରୀରରେ ୧୪ଟି କ୍ଷତ ଚିହ୍ନ ରହିଛି । ମୁଣ୍ଡ, ବେକ, ମୁହଁ, ଦୁଇ ବାହୁ ଏବଂ ଗୁପ୍ତାଙ୍ଗରେ ଗଭୀର ଆଘାତ ଲାଗିଛି । ମୁଣ୍ଡ, ବେକ ଓ ପାଟିରେ ଗଭୀର ଆଘାତ ଲାଗିଛି । ଶ୍ୱାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ପୂର୍ବରୁ ଜଣାପଡ଼ିଥିଲା । ଏବେ ଅଟୋପସିରେ ମୁହଁ ଭିତରେ ବି ଆଘାତ ଲାଗିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଗଣ ଦୁଷ୍କର୍ମ ଅଭିଯୋଗକୁ ଖୋଜୁଥିବା ସିବିଆଇକୁ ଏହି ଅଟୋପ୍‌ସି ରିପୋର୍ଟ ବେଶ୍ ସହାୟକ ହୋଇପାରେ । ସେପଟେ କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟାକୁ ନେଇ ସାରା ଦେଶରେ ପ୍ରତିବାଦ ଓ ବିକ୍ଷୋଭ ଜାରି ରହିଛି । ଏପଟେ ଏହି ଘଟଣାକୁ ନେଇ ଦେଶର ସର୍ବୋଚ୍ଚ ନେତୃତ୍ୱ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି ।