Woman
ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଫ୍ଲାଟରେ ଜଣେ ଭାରତୀୟ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ହେଉଛନ୍ତି କୋଲ୍ଲମର ରାଜଶେଖରନ ପିଲ୍ଲାଇ ଓ ତୁଲସୀବାଇଙ୍କ ଝିଅ ଅତୁଲ୍ୟା। ସେ କେରଳର ବାସିନ୍ଦା ହୋଇଥିବା ବେଳେ ସେ ତାଙ୍କ ସ୍ବାମୀ ସତୀଶଙ୍କ ସହିତ ୟୁଏଇରେ ରହୁଥିଲେ। ଗତ ଶନିବାର ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ମୃତ ମହିଳାଙ୍କ ମାଆ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ହତ୍ୟା କରାଯାଇଛି।
ଅତୁଲ୍ୟାଙ୍କ ମାଆଙ୍କ ଅଭିଯୋଗ ଅନୁଯାୟୀ, ଅତୁଲ୍ୟାଙ୍କ ସ୍ୱାମୀ ସତୀଶ ଜୁଲାଇ ୧୮ ଓ ୧୯ ତାରିଖ ମଧ୍ୟରେ ତାଙ୍କୁ ତଣ୍ଟି ଟିପି, ପେଟରେ ଗୋଇଠା ମାରି ଓ ତାଙ୍କ ମୁଣ୍ଡକୁ ଥାଳିରେ ଆଘାତ କରିଥିଲେ, ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ୨୦୧୪ରେ ସେମାନଙ୍କ ବିବାହ ସମୟରେ ଯଥେଷ୍ଟ ଯୌତୁକ ନ ଆଣିବା ନେଇ ଅତୁଲ୍ୟାଙ୍କୁ ବାରମ୍ବାର ହଇରାଣ କରାଯାଉଥିଲା, ଯଦିଓ ସେମାନେ ଏକ ବାଇକ ଓ ସୁନା ଦେଇଥିଲେ। ଯୌତୁକ ଦାବି ନେଇ ତାଙ୍କୁ ବର୍ଷ ବର୍ଷ ଧରି ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା।
ଅତୁଲ୍ୟାଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ସତୀଶ ମଦ୍ୟପ ଥିଲେ ଓ ପ୍ରାୟତଃ ତାଙ୍କ ଝିଅଙ୍କୁ ମାରପିଟ କରୁଥିଲେ। ଥରେ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯିବା ଯୋଗୁଁ ମୁଁ ତାଙ୍କୁ ଘରକୁ ଫେରାଇ ଆଣିବାକୁ ଯୋଜନା କରୁଥିଲି। କିନ୍ତୁ ସତୀଶ କ୍ଷମା ମାଗିଥିଲେ ଓ ମୋ ଝିଅ ତାଙ୍କୁ କ୍ଷମା କରିଦେଉଥିଲା। ସେ ଆହୁରି କହିଛନ୍ତି ଯେ ଅତୁଲ୍ୟା ଆତ୍ମହତ୍ୟା କରିଥିବାର ସେ ବିଶ୍ବାସ କରି ପାରୁନାହାନ୍ତି। ସେ ଜାଣିବାକୁ ଚାହୁଁଛନ୍ତି ତାଙ୍କ ସହ କ’ଣ ଘଟିଥିଲା। ଏହା ସହ ଅତୁଲ୍ୟାଙ୍କ ପରିବାର ମଧ୍ୟ କିଛି ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ଅତୁଲ୍ୟାଙ୍କ ଶରୀରରେ ଆଘାତ ଚିହ୍ନ ରହିଛି ଓ ତାଙ୍କ ସ୍ୱାମୀ ଏକ ପ୍ଲାଷ୍ଟିକ ଷ୍ଟୁଲ ଉଠାଇ ତାଙ୍କୁ ମାରିବାକୁ ଉଦ୍ୟମ କରୁଥିବା ଦେଖାଯାଉଛି।
ଏ ନେଇ ଅତୁଲ୍ୟାଙ୍କ ପରିବାର ପକ୍ଷରୁ କେରଳରେ ପୋଲିସ୍ ଷ୍ଟେସନରେ ଅଭିଯୋଗ ଦାୟର କରାଯାଇଛି। ଭାରତୀୟ ନ୍ୟାୟ ସଂହିତାର ୧୯୬୧ ଯୌତୁକ ନିଷେଧ ଆଇନର ବିଭିନ୍ନ ଧାରାରେ ସତୀଶଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Woman_1753076756.jpg)