Advertisment

DN ଗ୍ରୁପରେ ଇନକମ୍ ଟ୍ୟାକ୍ସ ରେଡ୍, କର୍ମଚାରୀଙ୍କ ଘରୁ ମିଳିଲା ୩ ଟ୍ରଙ୍କ ନଗଦ ଟଙ୍କା

ତେବେ କେଉଁଠି ଲାଗିଛି କେତେ ଟଙ୍କା ? କିଏ ସେହି ପ୍ରଭାବଶାଳୀ ବ୍ୟକ୍ତିମାନେ ?

undefined

IT raid 20 places of DN Group over tax evasion charges

Advertisment

ରାଜଧାନୀର ପ୍ରତିଷ୍ଠିତ ବ୍ୟାବସାୟିକ ସାମ୍ରାଜ୍ୟ ଡିଏନ୍ ଗ୍ରୁପରେ ପଶିଲା ଆୟକର ବିଭାଗ। ବଡ଼ ଧରଣର ଚଢ଼ାଉରେ ମିଳିଲା ସୁଟକେଶ୍ ସହ ୩ ଟ୍ରଙ୍କର ପ୍ରାୟ ୩୦ କୋଟି ଟଙ୍କା। ଆୟକର ଫାଙ୍କି ଅଭିଯୋଗରେ ଭୁବନେଶ୍ୱର ସହ ପ୍ରାୟ ୨୦ଟି ସ୍ଥାନରେ ରେଡ୍ ହୋଇଥିବାବେଳେ DN GROUP ପଛରେ ସରକାରୀ ପ୍ରୋତ୍ସାହନ ଓ ପ୍ରଭାବଶାଳୀଙ୍କ ପ୍ରଚ୍ଛନ୍ନ ହାତ ଥିବା ଅଭିଯୋଗ କରି ବର୍ଷିଛି ବିଜେପି। ତା’ସହ ସବୁ ସତ ସାମ୍ନାକୁ ଆସିବା ଦରକାର ବୋଲି କହିଛି।

Advertisment

ରାଜଧାନୀର ଛାତି ଉପରେ ବ୍ୟବସାୟର ବିଶାଳ ସାମ୍ରାଜ୍ୟ। ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ଛତ୍ରଛାୟାରେ ରହି କାୟା ମେଲାଉଥିବା DN GROUP ଉପରେ ଆୟକର ବିଭାଗର ମହାଚଢ଼ାଉ। ଗୋଟିଏ କି ଦୁଇଟି ନୁହେଁ। ଭୁବନେଶ୍ୱର ସମେତ ବିଭିନ୍ନ ଜାଗାର ପ୍ରାୟ ୨୦ଟି ସ୍ଥାନରେ ଥିବା DN GROUPର ବ୍ୟବସାୟିକ ପ୍ରତିଷ୍ଠାନ, ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ନାୟକଙ୍କ ସମେତ ନିର୍ଦ୍ଦେଶକ, ଅଧିକାରୀ ଓ କର୍ମଚାରୀଙ୍କ ଘର ଉପରେ ଏକକାଳୀନ ଛାପା ମାରିଛି ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ।

ଭୁବନେଶ୍ବର ଆଇଆରସି ଭିଲେଜରେ ଥିବା ଡିଏନ୍ ଗ୍ରୁପର ମୁଖ୍ୟ ଅଫିସରେ ବି ହୋଇଛି ରେଡ୍। ଆୟକର ଫାଙ୍କିଥିବା ଅଭିଯୋଗରେ ହୋଇଥିବା ଆୟକର ଚଢ଼ାଉର ପ୍ରଥମ ଦିନରେ ଆଖି ତରାଟିଲା ଭଳି ମିଳିଛି ଟ୍ରଙ୍କ୍ ଭର୍ତ୍ତି ଟଙ୍କା। ସୁଟକେଶ୍ ଭର୍ତ୍ତି ବିଡ଼ା ବିଡ଼ା ନୋଟ୍। ତା’ପୁଣି DN GROUPର ଜଣେ କର୍ମଚାରୀଙ୍କ ଘରୁ। ତେବେ କେଉଁଠୁ ଆସିଲା ଏତେ ପରିମାଣର ଟଙ୍କା ? କେଉଁ ଉଦ୍ଦେଶ୍ୟରେ ଓ କାହାଠାରୁ ଏତେ ଟଙ୍କା ଆଣି ଜଣେ କର୍ମଚାରୀ ନିଜ ଘରେ ଥାକ ମାରି ରଖିଥିଲେ ? ସେନେଇ ଆୟକର ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। କେବଳ ଟଙ୍କା ନୁହଁ, ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ବି ଜବତ ହୋଇଛି। 

Advertisment

ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ଡିଏନ୍ ଗ୍ରୁପର ସପିଂ ମଲ୍, ହୋଟେଲ, ହାଉସିଂ ପ୍ରୋଜେକ୍ଟ, ଶିକ୍ଷାନୁଷ୍ଠାନ। କୁହାଯାଉଛି, ଡିଏନ୍ ଗ୍ରୁପରେ ନିବେଶ ହୋଇଛି ବହୁ ପ୍ରଭାବଶାଳୀଙ୍କ ଟଙ୍କା। ଯେଉଁ ଟଙ୍କାରେ ମୁଣ୍ଡ ଟେକିଛି DN GROUPର ବିଶାଳ ସାମ୍ରାଜ୍ୟ। ତେବେ କେଉଁଠି ଲାଗିଛି କେତେ ଟଙ୍କା ? କିଏ ସେହି ପ୍ରଭାବଶାଳୀ ବ୍ୟକ୍ତିମାନେ ? ଆୟକର ବିଭାଗର ଚଢ଼ାଉ ଜାରି ରହିଥିବାରୁ ସ୍ପଷ୍ଟ ସୂଚନା ମିଳିପାରିନି। 

ତେବେ କେଉଁ ପ୍ରଭାବଶାଳୀଙ୍କ ଛତ୍ରଛାୟାରେ ରହି ନିଜର କାୟା ମେଲାଉଥିଲେ ବ୍ୟବସାୟୀ ଜଗଦୀଶ ପ୍ରସାଦ ? ବିଶାଳ ବ୍ୟାବସାୟିକ ସାମ୍ରାଜ୍ୟ ପଛରେ ରହିଛି କି ରାଜ୍ୟ ସରକାରଙ୍କ ପ୍ରଛନ୍ନ ହାତ ? ଥରେ ଦେଖନ୍ତୁ ଏହି ଦୃଶ୍ୟକୁ। DN GROUPର ବିଭିନ୍ନ କାର୍ଯ୍ୟକ୍ରମକୁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ, ବ୍ୟାବସାୟିକ ପ୍ରତିଷ୍ଠାନ ଗୁଡ଼ିକର ଶୁଭାରମ୍ଭ ବି କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ସହ ଜାପାନ ଯାଇ ଇନଭେଷ୍ଟର୍ସ ମିଟରେ ବି ଜଗଦୀଶ କୁଆଡ଼େ ଯୋଗଦେଇଥିବା କହିଛି ବିଜେପି।

Advertisment

କେବଳ ଏତିକି ନୁହେଁ, ରଥଯାତ୍ରା ଭଳି ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବି ଦବଦବା ରହିଛି ଜଗଦୀଶ ନାଏକଙ୍କ। ଏବେ ଆୟକର ବିଭାଗର ସ୍କାନରକୁ ଆସିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। କହିଛି, ଏଭଳି କଳା ଟଙ୍କା ରଖିଥିବା ବ୍ୟକ୍ତି କିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିକଟତର ହେଉଛନ୍ତି, ତାର ସତ ସାମ୍ନାକୁ ଆସିବା ଦରକାର। ସେପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, କଂଗ୍ରେସ ଆଉ ବିଜେଡି ନେତାଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ବିଜେପିର ଏହି IT ରେଡ୍। ଏନେଇ ବିଜେଡ଼ି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ତେବେ ଆୟକର ଚଢାଉ ନେଇ ଡିଏନ୍ ଗ୍ରୁପ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ