Odia Youth Murdered: ଓଡ଼ିଆ ଯୁବକଙ୍କୁ ମାରିଦେଲେ, ସାଙ୍ଗରେ ଥିବା ବିଦେଶିନୀଙ୍କୁ ଗଣଦୁଷ୍କର୍ମ କଲେ

କର୍ଣ୍ଣାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା । ସାଙ୍ଗରେ ଥିବା ମହିଳା ବନ୍ଧୁଙ୍କୁ ଗଣଦୁଷ୍କର୍ମ କରିବା ସହ ଓଡ଼ିଆ ଯୁବକଙ୍କୁ କେନାଲକୁ ଠେଲି ମାରିଦେଲେ ଦୁଷ୍କର୍ମକାରୀ । ଗତ ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଏହି ବର୍ବରକାଣ୍ଡ ।

କର୍ଣ୍ଣାଟକରେ ଚାଞ୍ଚଲ୍ୟ

କର୍ଣ୍ଣାଟକରେ ଏକ ଲୋମହର୍ଷଣକାରୀ କାଣ୍ଡ ଘଟିଛି ।  ଜଣେ ବିଦେଶୀ ଯୁବତୀଙ୍କ ସହ ଦୁଇ ଜଣଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଯୁବତୀଙ୍କ ସାଙ୍ଗରେ ଥିବା ଜଣେ ପୁରୁଷ ବନ୍ଧୁଙ୍କୁ କେନାଲକୁ ଠେଲି ହତ୍ୟା କରିଛନ୍ତି ଦୁଷ୍କର୍ମକାରୀ । ଏହି ମୃତକ ଜଣେ ଓଡ଼ିଆ ଏବଂ ତାଙ୍କ ନାଁ ବିଭାସ ବୋଲି ଜଣାପଡିଛି । ସେହିପରି ଗଣଦୁଷ୍କର୍ମର ଶିକାର ବିଦେଶିନୀଙ୍କ ଘର ଇସ୍ରାଏଲ । ତାଙ୍କ ସହ ଥିବା ଆଉ ଜଣେ ମହିଳା ବନ୍ଧୁ ସ୍ଥାନୀୟ ଏକ ହୋମଷ୍ଟେ ମାଲିକ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ଜଣେ ଆମେରିକୀୟ ନାଗରିକ ଓ ମରାଠୀ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । 

କ'ଣ ଥିଲା ପୁରା ଘଟଣା ?

ଗତ ଗୁରୁବାର ବିଳମ୍ବିତ ରାତିରେ ଏହି ବର୍ବରୋଚିତ ଘଟଣା ଘଟିଛି । ପୋଲିସ ସୂଚନା ଅନୁସାରେ, ଘଟଣା ସମୟରେ ଦୁଷ୍କର୍ମର ଶିକାର ଦୁଇ ଯୁବତୀଙ୍କ ସହ ୩ ଜଣ ପୁରୁଷ ବନ୍ଧୁ ରହିଥିଲେ । ସମସ୍ତେ ପର୍ଯ୍ୟଟକ ଥିଲେ । ରାତି ପ୍ରାୟ ୧୧ଟା ବେଳେ ୫ ଜଣଯାକ ମିଶି କୋପାଲ ଅଞ୍ଚଳର ସନାପୁର ହ୍ରଦ ନିକଟରେ ବୁଲାବୁଲି କରୁଥିଲେ । 

ଅଧିକ ପଢ଼ନ୍ତୁ: କୋଲକାତା ଟ୍ରିପଲ୍ ମର୍ଡର୍ କେସର ପର୍ଦ୍ଦାଫାସ, ହତ୍ୟାକାରୀ ନିଜ ପରିବାରର

ରିପୋର୍ଟ ମୁତାବକ, ଏହି ୩ ଯୁବକଙ୍କ ମଧ୍ୟରେ ଜଣେ ଆମେରିକୀୟ, ଜଣେ ମହାରାଷ୍ଟ୍ର ଓ ଅନ୍ୟ ଜଣେ ଓଡ଼ିଆ ଥିଲେ । ଦୁଇ ଯୁବତୀଙ୍କ ସହ ସମସ୍ତେ ମିଶି ହ୍ରଦ ପାଖରେ ବୁଲିବା ବେଳେ ୩ ଜଣ ଦୁର୍ବୃତ୍ତ ବାଇକରେ ସେଠି ପହଞ୍ଚିଥିଲେ । ଦୁର୍ବୃତ୍ତମାନେ ପ୍ରଥମେ ସେମାନଙ୍କୁ ଆଖପାଖରେ କୌଣସି ପେଟ୍ରୋଲ ପମ୍ପ ସମ୍ପର୍କରେ ପଚାରିଥିଲେ । ପରେ ସେମାନଙ୍କୁ ଟଙ୍କା ମାଗିଥିଲେ । 

ଏମାନେ ଟଙ୍କା ଦେବାକୁ ମନା କରିବାରୁ ରାଗିଯାଇ ସମସ୍ତଙ୍କୁ ଗାଳିଗୁଲଜ କରିବା ସହ ଦୁଇ ଯୁବତୀଙ୍କୁ ଅସଦାଚରଣ ଆରମ୍ଭ କରିଥିଲେ । ଏହାପରେ ସାଙ୍ଗରେ ଥିବା ୩ ପୁରୁଷ ବନ୍ଧୁଙ୍କୁ ପାଖ କେନାଲକୁ ଠେଲି ଦେଇଥିଲେ ଏବଂ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । 

୩ ଜଣ ଯୁବକଙ୍କ ମଧ୍ୟରୁ ଦୁଇ ଜଣ ପହଁରି ପହଁରି କୂଳକୁ ପଳାଇ ଆସିଥିବା ବେଳେ ଜଣେ ବୁଡି ଯାଇଥିଲେ । ତାଙ୍କ ନାଁ ବିଭାସ ଏବଂ ତାଙ୍କ ଘର ଓଡିଶାର ବୋଲି ସ୍ପଷ୍ଟ ହୋଇଛି । ଏହି ଘଟଣା ଏବେ ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଆକ୍ରମଣରୁ ବର୍ତ୍ତି ଯାଇଥିବା ଆମେରିକୀୟ ଓ ମରାଠୀ ଯୁବକ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି । ହେଲେ ଏ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳିନି । ପୋଲିସ ଘଟଣାର ତଦନ୍ତ କରୁଛି । 
 

ଅଧିକ ପଢ଼ନ୍ତୁ: ଗିରଫ ହେଲେ କୋଟିପତି ବାବୁ, ଘରେ ଥିଲା ୨ କିଲୋ ସୁନା ଓ ୧୭ ଲକ୍ଷ ଟଙ୍କା