• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଉପରେ ମାଛ ହୋଲ୍‌ସେଲିଂ, ଭିତରେ ଧଳାଜହର(ବ୍ରାଉନସୁଗର) କଳା କାରବାର। ମାଛ ହୋଲ୍‌ସେଲିଂକୁ ଢାଲ କରି ଚାଲିଥିଲା ବ୍ରାଉନସୁଗରର କଳା ନେଟଓ୍ୱର୍କ। ଆନ୍ତରାଜ୍ୟ ବ୍ରାଉନସୁଗର ବେପାରୀ ଲଲନ ଶାହା ଧରାପଡ଼ିବା ପରେ ଜଳେଶ୍ୱର ଧଳାଜହର କାରବାରର ଗୁମର ଖୋଲିଛି। ପଶ୍ଚିମବଙ୍ଗ ଏସଟିଏଫ୍, କ୍ରାଇମବ୍ରାଞ୍ଚ ଓ ଜଳେଶ୍ୱର ପୋଲିସ ମିଳିତ ଭାବେ ଲଲନ ଶାହାକୁ ଧରିବା ପରେ  ଆନ୍ତଃରାଜ୍ୟ ବ୍ରାଉନସୁଗର କାରବାର ପଛରେ ସୁରାଗ କାଢିବ କି ପୋଲିସ, ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।    

ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ବ୍ରାଉନସୁଗର କାରବାରର କିଙ୍ଗପିନ୍ ହେଉଛି ଲଲନ ଶାହା। ବର୍ତ୍ତମାନ ଲଲନ ପଶ୍ଚିମବଙ୍ଗ STF କବ୍‌ଜାରେ। ଜଳେଶ୍ୱର ବଡବଜାର ଛକରୁ ପଶ୍ଚିମବଙ୍ଗ ଏସଟିଏଫ୍, କ୍ରାଇମବ୍ରାଞ୍ଚ ଏବଂ ଜଳେଶ୍ୱର ପୋଲିସର ମିଳିତ ଅପରେସନ ବେଳେ ଧରାପଡ଼ିଥିଲା ଲଲନ। ଟେଲିଫୋନରେ ଲଲନ ଧଳାଜହରର ନେଟଓ୍ୱର୍କ ଅପରେଟ୍ କରୁଥିଲା।

ଗତ ୧୦ ତାରିଖରେ ପଶ୍ଚିମବଙ୍ଗ ଏସଟିଏଫ୍ ୬୫ କୋଟି ଟଙ୍କାର ହେରୋଇନ ସହ ନଗଦ ୨୦ ଲକ୍ଷ ଟଙ୍କା ଜବତ କରିଥିଲା। ଏହି ଘଟଣାରେ ୬ ଜଣ ଅଭିଯୁକ୍ତଙ୍କ ଭିତରେ ୨ ଅଭିଯୁକ୍ତ ଓଡ଼ିଶାର ଥିଲେ। ଶେଖ  ରସିଦ, ଇରସାଦ ଖାନ ଦୁଇ ଅଭିଯୁକ୍ତଙ୍କୁ  ପଚରାଉଚରା ପରେ ମାଷ୍ଟରମାଇଣ୍ଡ  ଲଲନ ଶାହାର ନାଁ ଖୁଲାସା ହୋଇଥିଲା। ଲଲନ ବ୍ରାଉନସୁଗର ଯୋଗାଉଥିବା ନେଇ ଗିରଫ ଦୁଇ ଅଭିଯୁକ୍ତ ଜେରା ବେଳେ ସ୍ୱୀକାର କରିଥିଲେ। 

 

କିଭଳି ଜଳେଶ୍ୱର ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ ଏସଟିଏଫ୍  ଲଲନ ଭଳି କୁଖ୍ୟାତ ବ୍ରାଉନସୁଗର ବ୍ୟବସାୟୀର ସୁରାଗ ପୂର୍ବରୁ ପାଉନଥିଲା। ଲଲନ ପୋଲିସର ଇନଫର୍ମର ଥିବା ମଧ୍ୟ ଚର୍ଚ୍ଚା ହେଉଛି। ଛୋଟ,ବଡ ବ୍ୟବସାୟୀଙ୍କ କଳା ବେପାର ଖବର ପୋଲିସକୁ ଦେଇ ନିଜ ଉପରୁ ସନ୍ଦେହର କଳା ବାଦଲକୁ ଦୂରେଇ ଦେଉଥିଲା କି  ଲଲନ ? ଧରାପଡିବା ପରେ ଖୋଲିବ କି ଅନ୍ୟମାନଙ୍କ ଗୁମର ?  ପୂର୍ବରୁ କେମିତି ଲଲନ ନାଁରେ ଏସଟିଏଫ୍  କିମ୍ବା  ସ୍ଥାନୀୟ ପୋଲିସ  କାହା ପାଖରେ ଗୋଟିଏ ବି ମାମଲା ନାହିଁ, ତାହା ସମସ୍ତଙ୍କୁ ତାଜୁବ କରିଛି। 

୨୦୨୦ ମସିହାରେ ଓଡିଶା-ପଶ୍ଚିମବଙ୍ଗ ସୀମାରୁ ମାଛ ଗାଲି ଭିତରେ ବ୍ରାଉନସୁଗର ସ୍ମଗଲିଂ ହେଉ ଥିବାବେଳେ ଜଳେଶ୍ୱର ପୋଲିସ ଧରିଥିଲା।  ଧରା ନପଡିବା ଲାଗି ଏଭଳି ଅଭିନବ ଉପାୟ ଆପଣା ଯାଇଥିଲା। ତେବେ ଏହା ପଛରେ ଲଲନର ବ୍ରେନ୍ ଥିଲା କି ?  ଏବେ ମାଛ ହୋଲସେଲିଂ ନାଁରେ ବ୍ରାଉନସୁଗର କାରବାର କରୁଥିବା ଲଲନଠାରୁ ପୋଲିସ କି ତଥ୍ୟ କାଢୁଛି, ତାହା ଅଧିକ ତଦନ୍ତରେ ହିଁ ଜଣାପଡ଼ିବ।